LIVE TV

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, କଳାକାର ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ

NEWS7
bangladesh-death-sentence-man-has-been-hiding-in-india-delhi-police-arrested

ବରଗଡ଼: ଦୁଲୁକିବ ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି। ଅତିରିକ୍ତ ଜିଲ୍ଲାପାଳ ତଥା ଉପ ସଭାପତି ଧନୁଯାତ୍ରା ମହୋତ୍ସବ ସମିତି ଦ୍ଵାରା ବରଗଡ଼ ଧନୁଯାତ୍ରା ମହୋତ୍ସବର ବିଭିନ୍ନ କଳାକାର ଚୟନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୧୮ ଦିନ ୧୦ଟାରୁ ନଭେମ୍ବର ୧ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଳାକାରମାନେ କରିପାରିବେ ଆବେଦନ

୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି କ୍ରମେ ବରଗଡ଼ ଧନୁଯାତ୍ରା ମଥୁରା ନଗରୀର  ମହାରାଜା କଂସ, ମହାମନ୍ତ୍ରୀସାର୍ତ୍ତକୀ, ଚାଣୁର, ମୁଷ୍ଟିକ, ଅକୃର, ଉଗ୍ରସେନ, ବାସୁଦେବ, ଦେବକୀ, ନାରଦ ଏବଂ ସେନାପତି ଚରିତ୍ରରେ ଅଭିନୟ ନିମନ୍ତେ କଳାକାର ମାନଙ୍କ ଚୟନ ପାଇଁ ଇଚ୍ଛୁକ କଳାକାର ମାନଙ୍କ ଠାରୁ ନିର୍ଦ୍ଧାରିତ ଫର୍ମରେ ଆବେଦନ ପତ୍ର ଆହ୍ୱାନ କରାଯାଉଅଛି ଇଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଆବେଦନ ପତ୍ର ବରଗଡ଼ ଜିଲ୍ଲା ୱେବସାଇଟ https://bargarh.odisha.gov.in କିମ୍ବା ଧନୁଯାତ୍ରା ୱେବସାଇଟ :https//bargarhdhanuyatra.in ରୁ ଡାଉନଲୋଡ଼ କରି ଅତିରିକ୍ତ ଜିଲ୍ଲାପାଳ ତଥା ଉପ ସଭାପତି ଧନୁଯାତ୍ରା ମହୋତ୍ସବ ସମିତି, ବରଗଡ଼ଙ୍କ କାର୍ଯ୍ୟାଳୟ ଠାରେ ବ୍ୟକ୍ତିଗତ ଭାବେ / ଡାକ ଯୋଗେ କିମ୍ବା ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ I

ସୂଚନାଯୋଗ୍ୟ, ନିର୍ଦ୍ଧାରିତ  ସମୟ ପରେ ଗ୍ରହଣ ହୋଇ ଥିବା କୌଣସି ଆବେଦନ ପତ୍ରକୁ ବିଚାରକୁ ନିଆଯିବ ନାହିଁ ଏବଂ ଜଣେ କଳାକାର ସର୍ବାଧିକ ୨ଟି  ଭୂମିକା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବିନା ସ୍କ୍ରିପ୍ଟରେ ଖୋଲା ରଙ୍ଗମଞ୍ଚରେ ଅଭିନୟର ଅଭିଜ୍ଞତା ଥିବା ଆବଶ୍ୟକ। ଚୟନ ସମୟରେ ଯିବା ଆସିବା ଖର୍ଚ୍ଚ ପ୍ରାର୍ଥୀ ନିଜେ ବହନ କରିବେ ଓ ଇଛୁକ କଳାକାରମାନେ ଯଦି ଚାହିଁବେ ଚୟନ ସମୟରେ ନିଜଖର୍ଚ୍ଚରେ ବେଶଭୁଷା ସଜ୍ଜିତ ହୋଇପାରିବେ। ମନୋନୀତ କଳାକାର ମାନେ ବରଗଡ଼ ଧନୁଯାତ୍ରାରେ ଅଭିନୟ କରୁଥିବା ପର୍ଯ୍ୟନ୍ତ ଅନ୍ୟ କୌଣସି ଧନୁଯାତ୍ରାରେ ସମ୍ପୃକ୍ତ ଭୂମିକାରେ ଅଭିନୟ କରିପାରିବେ ନାହିଁ ।

କଂସ ଭୂମିକାରେ ଅଭିନୟ କରିବା ପାଇଁ ବୟସ ସୀମା ୧୮ ବର୍ଷ ରୁ ୬୦ ବର୍ଷ  ମଧ୍ୟରେ ହୋଇଥିବା ଆବଶ୍ୟକ। ସମସ୍ତ ଆବେଦନକାରୀଙ୍କୁ ଚୟନ ପ୍ରକ୍ରିୟା (Audition)ରେ ଯୋଗ ଦେବା ନିମନ୍ତେ ନିର୍ଦ୍ଧାରିତ ସ୍ଥାନ, ତାରିଖ ଏବଂ ସମୟ ଫୋନ / ୱାଟ୍ସଆପ୍ / ଇମେଲ ଯୋଗେ ଅବଗତ କରାଯିବ। ଚୟନ ପ୍ରକ୍ରିୟା (Audition)ରେ ମନୋନୀତ କଳାକାରମାନେ ନିର୍ଦ୍ଧାରିତ ତାରିଖ ଠାରୁ ଧନୁଯାତ୍ରା ସମାପ୍ତ ହେବା  ପର୍ଯ୍ୟନ୍ତ  ବରଗଡରେ ଅଭ୍ୟାସ ଓ ଅଭିନୟ ପାଇଁ ଉପଲବ୍ଧ ହେବେ।

ପ୍ରାର୍ଥୀ ଆବେଦନ ସମୟରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଯେ କୌଣସି ଏକ ପରିଚୟ ପତ୍ର ଯଥା ଆଧାର କାର୍ଡ, ଭୋଟର କାର୍ଡ, ପାନ କାର୍ଡ, ପାସପୋର୍ଟ, ବ୍ୟାଙ୍କ ପାସବୁକ ଇତ୍ୟାଦିର ନକଲ ଆବେଦନ ପତ୍ର ସହ ସଂଲଗ୍ନ କରିବେଇ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସ୍ୱଇଚ୍ଛାରେ କୌଣସି କାରଣ ନ ଦର୍ଶାଇ ଉପରୋକ୍ତ ସର୍ତ୍ତାବଳୀକୁ ପରିବର୍ତ୍ତନ କିମ୍ୱା ନାକଚ କରିପାରିବେ I