ସୋନିଆ ଗାନ୍ଧିଙ୍କୁ ଗୋପନରେ ଭେଟିଲେ କପିଲ ଶିବଲ, ପାର୍ଟିରେ ବଡ଼ ରାଜନୈତିକ ଝଡ଼ର ସଂକେତ

NEWS7
bahrain-grants-pfizer-vaccine-for-vaccination

ନୂଆଦିଲ୍ଲୀ ୧୩।୧୨: କଂଗ୍ରେସ ଏବେ ଅନ୍ତର୍ଦ୍ୱନ୍ଦ ଦେଇ ଗତି କରୁଛି। ପାର୍ଟି ଭିତରେ ଚାଲିଥିବା ଟକରା ଟକରି, ବରିଷ୍ଠ ନେତାଙ୍କ ଅସନ୍ତୋଷ ଓ ନେତୃତ୍ୱକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ଶିବଲ ସୋନିଆ ଗାନ୍ଧିଙ୍କୁ ଗୋପନରେ ଭେଟିବା ଏବେ ପାର୍ଟିରେ ହଲଚଲ ବଢାଇ ଦେଇଛି। ସୂଚନା ଅନୁସାରେ ଏହି କଥିତ ସାକ୍ଷାତ ଆଲୋଚନା କୌଣସି ଔପଚାରିକ ଘୋଷଣା ବିନା ହୋଇଛି।

ଏହି ଘଟଣା ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଉପରେ ଅନେକ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ଏଥିରେ ସୋନିଆ ଗାନ୍ଧିଙ୍କ ନାଗରିକତା ଓ ଭୋଟର ହେବା ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ରହିଛି। ଅମିତ ଶାହଙ୍କ ଏହି ବୟାନ ପରେ କଂଗ୍ରେସ ବିଚଳିତ ହୋଇପଡିଥିବା ବେଳେ ବିପକ୍ଷ ୱାକଆଉଟ୍ କରିଛି। କପିଲ ଶିବଲ ଓ କଂଗ୍ରେସ ମଧ୍ୟରେ ଫାଟ କୌଣସି ନୂଆ କଥା ନୁହେଁ। ୨୦୨୧ରେ ଜି-୨୩ ସମୂହ ମାଧ୍ୟମରେ ପାର୍ଟି ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ନେତାଙ୍କ ମଧ୍ୟରେ କପିଲ ଶିବଲ ମଧ୍ୟ ଥିଲେ।

ସେତେବେଳେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି କଂଗ୍ରେସ ନେତୃତ୍ୱ ଛାଡନ୍ତୁ ବୋଲି କପିଲ ଶିବଲ କହିଥିଲେ। ଏହା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କ ଘର ଆଗରେ ପ୍ରଦର୍ଶନ କରିବା ସହ ଭଙ୍ଗା ରୁଜା ଓ ତାଙ୍କ କାରର ମଧ୍ୟ କ୍ଷତି କରିଥିଲେ। ଏହା ସେହି ମୋଡ ଥିଲା ଯେଉଁଠି କପିଲ ଶିବଲ ଓ ସୋନିଆ ଗାନ୍ଧିଙ୍କ ପରିବାର ମଧ୍ୟରେ ସମ୍ପର୍କ ବିଗିଡି ଯାଇଥିଲା। ଏହା ପରେ ଶିବଲ କଂଗ୍ରେସ ଠାରୁ ଦୂରେଇଯାଇଥିଲେ ଓ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ସାଂସଦ ନିର୍ବାଚିତ ହୋଇଥିଲେ। ଏଥିରେ ଏବେ ସୋନିଆଙ୍କ ସହ ତାଙ୍କର ଗୋପନ ସାକ୍ଷାତ ବଡ଼ ପ୍ରଶ୍ନ ପାଲଟିଛି।

ସଂସଦରେ ଅମିତ ଶାହ ଉଠାଇଥିବା ପ୍ରସଙ୍ଗ କଂଗ୍ରେସ ଲାଗି ଏବେ ସବୁଠୁ ବଡ଼ ସମସ୍ୟା ପାଲଟିଛି। ଅଭିଯୋଗ ହେଉଛି ନାଗରିକତା ସମ୍ପର୍କିତ କିଛି ମାମଲାରେ ଗୁରୁତର ପ୍ରଶ୍ନ ଉଠୁଛି। ଏହି ମାମଲା କୋର୍ଟରେ ମଧ୍ୟ ବିଚାରାଧୀନ ବୋଲି କୁହାଯାଉଛି। କଂଗ୍ରେସ ନେତାମାନେ ଏହି ସବୁ ଅଭିଯୋଗକୁ ମୁଳରୁ ଖଣ୍ଡନ କରୁଛନ୍ତି ହେଲେ ଏଥିରେ ପାର୍ଟି ଘାବରେଇଯାଇଥିବା ସାଂସଦଙ୍କ ଆଚରଣରୁ ଜଣାପଡୁଛି। ରାଜନୈତିକ ବିଶ୍ଲେଷକଙ୍କ ଅନୁସାରେ ଏହି ଆଇନଗତ ସଂକଟ କାରଣରୁ କଂଗ୍ରେସକୁ ଆଇନଗତ ପରାମର୍ଶର ଆବଶ୍ୟକତା ପଡିପାରେ। ଏଣୁ କପିଲ ଶିବଲଙ୍କ ଭଳି ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ।