ଋଷିଆ ପଳାଇଥିଲେ ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦ, ଜାଣନ୍ତୁ ଏବେ କରୁଛନ୍ତି କ’ଣ?

NEWS7
babubali-director-ss-rajamouli-found-corona-positive-home-quarantine

ଲଣ୍ଡନ ୧୭।୧୨: ସିରିଆର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଅସଦ ପାଖାପାଖି ଦୁଇ ଦଶନ୍ଧୀ ଧରି ଦେଶ ଶାସନ କରିଥିଲେ। ତେବେ ୨୦୨୪ରେ ବଢୁଥିବା ବିଦ୍ରୋହ ଓ ଜନଆକ୍ରୋଶ ଯୋଗୁ ସେ ସିରିଆ ଛାଡି ଋଷିଆ ପଳାୟନ କରିଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ତାଙ୍କୁ ଶରଣ ଦେଇଥିଲେ। ଏହା ପରେ ଅସଦ କେଉଁଠି ଓ କଣ କରୁଛନ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ତାର କୌଣସି ସୂଚନା ମିଳି ନଥିଲା। ଏବେ ଅସଦଙ୍କ ସମ୍ପର୍କିତ ଏକ ବଡ଼ ସୂଚନା ଆସୁଛି। ବ୍ରିଟିଶ ସମ୍ବାଦପତ୍ର ଗାର୍ଡିଆନ ଏକ ରିପୋର୍ଟରେ ଦାବି କରିଛି ଯେ ଅସଦ ଏବେ ତାଙ୍କର ପୁରୁଣା ପେଷା ନେତ୍ର ରୋଗ ବିଶେଷଜ୍ଞ (ଅପଥଲ୍ମୋଲଜିଷ୍ଟ) ରୂପେ ଫେରୁଛନ୍ତି।

ଅସଦଙ୍କ ଜନୈକ ନିର୍ଭରଯୋଗ୍ୟ ବନ୍ଧୁଙ୍କ ସୂତ୍ରରୁ ମିଳିଥିବା ଏହି ସୂଚନାରେ ଅସଦ ମସ୍କୋରେ କ୍ଲାସ ରୁମରେ ବସି ତାଙ୍କର ପ୍ରାକ୍ଟିସ୍ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛନ୍ତି। ତେବେ ଅସଦଙ୍କ ପାଇଁ ନେତ୍ର ରୋଗ ଚିକିତ୍ସା କେବଳ ଏକ ପେଷା ନୁହେଁ, ଏହା ତାଙ୍କର ନିଶା ମଧ୍ୟ। ତାଙ୍କ ପାଖରେ ଅର୍ଥର କୌଣସି ଅଭାବ ନାହିଁ କାରଣ ଯୁଦ୍ଧ ପୂର୍ବରୁ ସେ ଡାମାସକସ୍ ରେ ପ୍ରାକ୍ଟିସ୍ କରୁଥିଲେ। ଏବେ ସମ୍ଭବତଃ ମସ୍କୋର ଧନୀକ ବର୍ଗ ତାଙ୍କର ଟାର୍ଗେଟ୍ କ୍ଲାଏଣ୍ଟ ହୋଇ ପାରନ୍ତି। ସିରିଆରେ ଶାସନ ସମାପ୍ତ ହେବା ପରେ ଅସଦଙ୍କ ପରିବାର ମସ୍କୋ ଓ ୟୁଏଇରେ ପୃଥକ ପୃଥକ ରହୁଛନ୍ତି।

ସୂଚନା ଅନୁସାରେ ଅସଦଙ୍କ ପରିବାର ମସ୍କୋର ପ୍ରସିଦ୍ଧ ରୁବଲେଭକା  ଅଞ୍ଚଳର ଏକ ଏଲିଟ ଗେଟେଡ କମ୍ୟୁନିଟିରେ ରହୁଛି। ଏଠାରେ ତାଙ୍କର ସାକ୍ଷାତ ଏପରି ଲୋକଙ୍କ ସହ ହେଉଛି ଯେଉଁମାନଙ୍କ ମଧ୍ୟରେ ୨୦୧୪ରେ ୟୁକ୍ରେନ କିଭରୁ ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚ୍ ମଧ୍ୟ ଅଛନ୍ତି। ପଇସାର ଅଭାବ ନଥିଲେ ମଧ୍ୟ ଅସଦ ଆଉ ପୂର୍ବଭଳି ରାଜନୈତିକ ରୂପେ ପ୍ରଭାବଶାଳୀ ନାହାନ୍ତି। କ୍ରେମଲିନ ସୂତ୍ର ଅନୁସାରେ ପୁଟିନ ଓ ଋଷିଆର ରାଜନୈତିକ ଏଲିଟ୍ ଏବେ ତାଙ୍କୁ ବେକାର ଭାବୁଛନ୍ତି। ଏଣୁ ଅସଦଙ୍କୁ ଏଠାରେ କୌଣସି ସାର୍ବଜନିକ ଅଥବା ରାଜନୈତିକ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରାଯାଉନି।

୮ ଡିସେମ୍ବର ୨୦୨୪ରେ ଯେତେବେଳେ ସିରିଆ ବିଦ୍ରୋହୀ ରାଜଧାନୀ ଆଡକୁ ଅଗ୍ରସର ହେବାକୁ ଲାଗିଲେ ଅସଦ ତାଙ୍କ ପୁଅମାନଙ୍କ ସହ ଡାମାସକସ୍ ଛାଡି ଋଷିଆ ସୈନିକଙ୍କ ଏସ୍କର୍ଟରେ ଖମେଇମିମ୍ ବାୟୁସେନା ଘାଟି ପହଞ୍ଚିଥିଲେ ଓ ସେ ଦେଶ ଛାଡି ଦେଇଥିଲେ। ଋଷିଆ ସୁନିଶ୍ଚିତ କରିଥିଲା ଯେ ଅସଦ ଯେପରି କୌଣସି ସାର୍ବଜନିକ ସ୍ଥଳରେ ଦେଖା ନ ଯାଆନ୍ତି। ଋଷିଆର ଇରାକ ରାଜଦୂତ ଏଲବ୍ରସ କୁତ୍ରସେଭ କହିଛନ୍ତି ଯେ ଅସଦ ମସ୍କୋରେ ସୁରକ୍ଷିତ ଅଛନ୍ତି , ହେଲେ ରାଜନୈତିକ ଗତିବିଧିରେ ସାମିଲ ହେଉ ନାହାନ୍ତି।