Strait of Hormuz: ଇରାନକୁ ଚକମା ! ଟ୍ରାକିଂ ବନ୍ଦ କରି ମୁମ୍ବାଇରେ ପହଞ୍ଚିଲା ବିଶାଳ ତୈଳବାହୀ ଜାହାଜ

NEWS7
auto-bike-durghatana

ମୁମ୍ବାଇ: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଲାଗିରହିଥିବା ଯୁଦ୍ଧ କାରଣରୁ ହର୍ମୁଜ୍ ଜଳପଥରେ ବାଣିଜ୍ୟିକ କାରବାର ପ୍ରାୟତଃ ଠପ୍ ହୋଇଯାଇଛି। ଚୀନକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶର ତୈଳବାହୀ ଜାହାଜକୁ ଛାଡ଼ିବ ନାହିଁ ବୋଲି ଇରାନ ଧମକ ଦେଇଛି। ଏହାରି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏକ ତୈଳବାହୀ ଜାହାଜ ହର୍ମୁଜ୍ ଜଳପଥ ଅତିକ୍ରମ କରି ସୁରକ୍ଷିତ ଭାବେ ମୁମ୍ବାଇ ବନ୍ଦରରେ ପହଞ୍ଚିବାରେ ସଫଳ ହୋଇଛି।

ଟ୍ରାକିଂ ସିଷ୍ଟମ୍ ବନ୍ଦ କରି ଖସି ଆସିଲା ଜାହାଜ

ସାଉଦି ଆରବରୁ ଅଶୋଧିତ ତୈଳ ଆଣିଥିବା ଏହି ଜାହାଜର ନାମ ହେଉଛି 'ସେନଲଙ୍ଗ୍ ସୁଏଜମାକ୍ସ' ଏବଂ ଏଥିରେ ଲାଇବେରିଆର ପତାକା ଲାଗିଛି। ଜଣେ ଭାରତୀୟ କ୍ୟାପଟେନ୍ ସୁକ୍ଷାନ୍ତ ସିଂହ ସାନ୍ଧୁ ଏହାର ନେତୃତ୍ୱ ନେଉଛନ୍ତି।

* ମାର୍ଚ୍ଚ ୧ ତାରିଖରେ ସାଉଦିର ରାସ୍ ତନୁରା ବନ୍ଦରରୁ ଏହି ଜାହାଜରେ ତୈଳ ଲୋଡ୍ କରାଯାଇଥିଲା।

* ଇରାନର ଆଖିରୁ ବର୍ତ୍ତିବା ପାଇଁ ଜାହାଜଟି ହର୍ମୁଜ୍ ଜଳପଥ ଭିତରେ ନିଜର ଟ୍ରାନ୍ସପଣ୍ଡର ଏବଂ ଏଆଇଏସକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା।

* ମାର୍ଚ୍ଚ ୮ ତାରିଖରେ ଏହା ରାଡାରରୁ ଗାଏବ ହୋଇଯାଇଥିଲା ଏବଂ ବିପଦପୂର୍ଣ୍ଣ ଜଳପଥ ଅତିକ୍ରମ କରିବା ପରେ ମାର୍ଚ୍ଚ ୯ ରେ ପୁଣିଥରେ ଟ୍ରାକିଂ ଡାଟାବେସରେ ଦେଖାଦେଇଥିଲା। ଶେଷରେ ବୁଧବାର ଦିନ ୧ଟା ବେଳେ ଏହା ମୁମ୍ବାଇ ବନ୍ଦରରେ ପହଞ୍ଚିଥିଲା।

ଜାହାଜରେ ଅଛି ୧.୩୫ ଲକ୍ଷ ଟନ୍ ଅଶୋଧିତ ତୈଳ

ମୁମ୍ବାଇ ପୋର୍ଟ ଅଥରିଟିର (MbPA) ଡେପୁଟି କଞ୍ଜରଭେଟର ପ୍ରବୀଣ ସିଂହଙ୍କ ସୂଚନା ଅନୁଯାୟୀ, ଜାହାଜରେ ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ରହିଛି। ଜବାହର ଦ୍ୱୀପରେ ସନ୍ଧ୍ୟା ୬.୦୬ ମିନିଟରେ ଜାହାଜ ଲାଗିବା ପରେ ତୈଳ ଖଲାସ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ତୈଳ ପୂର୍ବ ମୁମ୍ବାଇର ମାହୁଲ (Mahul) ସ୍ଥିତ ରିଫାଇନାରୀକୁ ଯିବ। ଆଟଲାଣ୍ଟିକ୍ ଗ୍ଲୋବାଲ୍ ସିପିଂର ଜିତେନ୍ଦ୍ର ଯାଦବଙ୍କ ଅନୁଯାୟୀ, ଜାହାଜରେ ମୋଟ ୨୯ ଜଣ (ଭାରତୀୟ, ପାକିସ୍ତାନୀ ଏବଂ ଫିଲିପାଇନ୍ସ) କ୍ରୁ ସଦସ୍ୟ ଅଛନ୍ତି ଏବଂ କାର୍ଗୋ ଖାଲି କରିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ।

ଏବେ ବି ଫସିଛନ୍ତି ୨୮ଟି ଭାରତୀୟ ଜାହାଜ

ହର୍ମୁଜ୍ ଜଳପଥ ଦେଇ ଏହି ବିଶାଳ ଜାହାଜର ସୁରକ୍ଷିତ ଆଗମନ ଭାରତର ସମ୍ଭାବ୍ୟ ତୈଳ ସଙ୍କଟକୁ କିଛି ମାତ୍ରାରେ କମ୍ କରିବ ବୋଲି ଆଶା କରାଯାଉଛି। କାରଣ ଭାରତକୁ ଆସୁଥିବା ମୋଟ ତୈଳ ଓ ଗ୍ୟାସର ଅଧାରୁ ଅଧିକ ଏହି ରାସ୍ତା ଦେଇ ଆସିଥାଏ।

also- ଭାରତ ପାଇଁ ବଢ଼ିଲା ଟେନସନ, ଯୁଦ୍ଧ ସଙ୍କଟ ବେଳେ ଟ୍ରମ୍ପ ନେଲେ ବଡ଼ ପଦକ୍ଷେପ

ତେବେ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିପିଂର ରିପୋର୍ଟ ଅନୁଯାୟୀ, ଏବେ ବି ହର୍ମୁଜ୍ ଜଳପଥ ଏବଂ ଏହାର ଆଖପାଖରେ ୨୮ଟି ଭାରତୀୟ ଜାହାଜ ଫସି ରହିଛନ୍ତି। ଅବଶ୍ୟ ବିଗତ କିଛି ଦିନ ମଧ୍ୟରେ ଦେଶ ମହିମା, ଦେଶ ଅଭିମାନ, ସ୍ୱର୍ଣ୍ଣ କମଳ, ବିଶ୍ୱ ପ୍ରେରଣା, ଜଗ ବିରାଟ, ଜଗ ଲୋକେଶ ଏବଂ ଏଲଏନଜିସି ଅସୀମ୍ ଭଳି ଜାହାଜ ସୁରକ୍ଷିତ ଭାବେ ଆରବ ସାଗର ଆଡ଼କୁ ଚାଲିଆସିବାରେ ସଫଳ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଅନେକ ଜାହାଜ ନିଜର ଟ୍ରାକିଂ ସିଷ୍ଟମ୍ ବନ୍ଦ କରୁଛନ୍ତି କିମ୍ବା ଇରାନକୁ ଚକମା ଦେବା ପାଇଁ ନିଜକୁ 'ଚାଇନିଜ୍ ଜାହାଜ' ବୋଲି ଦର୍ଶାଇ ଖସି ଆସିବାକୁ ପ୍ରୟାସ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ସରକାର ଜାହାଜ ଚଳାଚଳ ଉପରେ କୌଣସି ସରକାରୀ କଟକଣା ଲଗାଇନାହାଁନ୍ତି, କିନ୍ତୁ ବିପଦକୁ ଆକଳନ କରି ସତର୍କତାର ସହ ଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି।