ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ, ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ଯୁଦ୍ଧ

NEWS7
australia-former-captain-ian-chappell-requested-from-icc-to-ban-switch-hit-shot

ଭୁବନେଶ୍ଵର: କମ୍ପୁଛି ଖଣ୍ଡଗିରି । ୨୫ରୁ ଖଣ୍ଡଗିରିରେ ମାଘ ମେଳା ଆରମ୍ଭ ହୋଇଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି ଅପେରା ଓ୍ବାର୍ । ଆଜି ପ୍ରଥମ ଦିନରେ ୪ଟି ପେଣ୍ଡାଲରେ ନାଟକ ମଞ୍ଚସ୍ଥ କରିବେ ୪ଟି ପାର୍ଟି । ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ୭ଟି ପେଣ୍ଡାଲରେ ନାଟକ ମଞ୍ଚସ୍ଥ କରିବେ ୧୫ ଅପେରା ପାର୍ଟି । ତେବେ ପ୍ରଥମ ଦିନରେ ଯାତ୍ରା ରାଣୀ ସିଂହବାହିନୀର ଏଣ୍ଟ୍ରି ଏବଂ ଜଲିଉଡ୍ ସେନ୍ସେସନ୍ ପୀୟୂଷ ତ୍ରିପାଠୀଙ୍କୁ ଦେଖିବା ଲାଗି ଦର୍ଶକ ମହଲରେ ରହିଛି ଅପୂର୍ବ ଉତ୍ସାହ । ଏଥି ପାଇଁ ସକାଳୁ ସକାଳୁ ଟିକେଟ୍ କାଉଣ୍ଟର ଆଗରେ ଜମିଥିଲା ଦର୍ଶକଙ୍କ ଭିଡ଼ । ସେପଟେ ଖଣ୍ଡଗିରିରେ ସାଧୁସନ୍ଥଙ୍କ ଉପସ୍ଥିତିରେ ହୋମ ଯଜ୍ଞ ଚାଲିଥିବା ବେଳେ ସୃଷ୍ଟି ହୋଇଛି ଅଧ୍ୟାତ୍ମିକ ପରିବେଶ ।

ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ଯୁଦ୍ଧ । ପ୍ରଥମ ପର୍ଯ୍ୟାୟରେ ଆଜି ୪ଟି ପେଣ୍ଡାଲରେ ନାଟକ ମଞ୍ଚସ୍ଥ କରିବେ ୪ ଅପେରା ପାର୍ଟି । ଏଥର ଅପେରା ଓ୍ବାର ଆରମ୍ଭରୁ ଯାତ୍ରା ରାଣୀ ସିଂହବାହିନୀର ଏଣ୍ଟ୍ରି ଅପେରା ମାହୋଲକୁ ସରଗରମ୍ କରିଛି । ଜଲିଉଡ୍ ସେନ୍ସେସନ୍ ପୀୟୂଷ ତ୍ରିପାଠୀଙ୍କ ଅଭିନୀତ ନାଟକ ତୁ ମୋ ବଜରଙ୍ଗୀ ଦେଖିବା ଲାଗି ଦର୍ଶକଙ୍କ ଭିତରେ ରହିଛି ନାହିଁ ନଥିବା ଉତ୍କଣ୍ଠା । ଖାସ୍ ସେଇଥିପାଇଁ ତ ସକାଳୁ ସକାଳୁ ଟିକେଟ୍ କାଉଣ୍ଟର ଆଗରେ ଦେଖିବାକୁ ମିଳିଥିଲା ପୀୟୂଷ ଫ୍ୟାନ୍ଙ୍କ ଲମ୍ବା ଲାଇନ୍ । ଇନ୍ଦିରା ସାଂସ୍କୃତିକ ପରିଷଦ ଯାତ୍ରା କମିଟିର ଟିକେଟ୍ କାଉଣ୍ଟର ଆଗରେ ଜମିଥିଲା ଦର୍ଶକଙ୍କ ଭିଡ଼ । ଆଜିଠୁ ୨୭ ତାରିଖ ପର୍ଯ୍ୟନ୍ତ ତୁ ମୋ ବଜରଙ୍ଗୀ ନାଟକକୁ ରିପିଟ୍ କରିବ ଯାତ୍ରା ରାଣୀ ସିଂହବାହିନୀ ।

ସେହିଭଳି ସନାତନ ସେବା ସମିତି ଯାତ୍ରା କମିଟି ମଞ୍ଚରେ ଆଜିଠୁ କୋଣାର୍କ ଗଣନାଟ୍ୟ ଆରମ୍ଭ କରୁଛି ଏ ବର୍ଷର ସୁପର ହିଟ୍ ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ । ଅନନ୍ତ କେଶରୀ ସାଂସ୍କୃତି ପରିଷଦ ମଞ୍ଚରେ ଧଉଳି ଗଣନାଟ୍ୟ ମଞ୍ଚସ୍ଥ କରିବ ନାଟକ ଚଣ୍ଡାଶୋକ । ସେହିଭଳି ହରେକୃଷ୍ଣ ମହତାବ ପେଣ୍ଡାଲରେ ଅପେରା ଅଶୋକ ସମ୍ରାଟ ମଞ୍ଚସ୍ଥ କରିବ ନାଟକ ଅଧା ରହିଗଲା ଆମ କାହାଣୀ । ନିଜ ପସନ୍ଦିତା କଳାକାର ଓ ସେମାନଙ୍କ ନାଟକ ଦେଖିବାକୁ ଟିକେଟ୍ କାଟି ପ୍ରସ୍ତୁତ ହେଲେଣି ଦର୍ଶକ । ଆଜି ଠାରୁ ପର୍ଯ୍ୟାୟକ୍ରମେ ୭ଟି ମଞ୍ଚରେ ନାଟକ ମଞ୍ଚସ୍ଥ କରିବେ ୧୫ ଅପେରା ପାର୍ଟି । ଫେବ୍ରୁଆରୀ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ମହାସମର ।

ଯାତ୍ରା ପେଣ୍ଡାଲଗୁଡ଼ିକରେ ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଇଛି ଫାୟାର ମକ୍ ଡ୍ରିଲ୍ । ସବୁ ମଣ୍ଡପକୁ ନିୟନ୍ତ୍ରଣ କରିବା ଲାଗି ଗୋଟିଏ କଣ୍ଟ୍ରୋଲ ରୁମ୍ ରହିଛି । ଯାତ୍ରା କମିଟି ସଦସ୍ୟଙ୍କୁ ମଧ୍ୟ ଅଗ୍ନି ନିର୍ବାପକ ବ୍ୟବହାର ପାଇଁ ତାଲିମ୍ ଦିଆଯାଇଛି । ଏଥି ସହ ପ୍ରତି ପେଣ୍ଡାଲରେ ନିୟୋଜିତ ହୋଇଛନ୍ତି ଜଣେ ଜଣେ ଅଗ୍ନିଶମ ବାହିନୀର କର୍ମଚାରୀ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଉପରେ ଲାଗିଛି ରୋକ୍ । SOP ଉଲଂଘନ କଲେ NOC ବାତିଲ ପାଇଁ ମଧ୍ୟ ବିଏମସି ପକ୍ଷରୁ ଦିଆଯାଇଛି ଚେତାବନୀ ।

ସେପଟେ ଖଣ୍ଡଗିରି ପାହାଡ଼ରେ ସାଧୁ ସନ୍ଥଙ୍କ ଉପସ୍ଥିତିରେ ଚାଲିଛି ହୋମ ଯଜ୍ଞ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥଙ୍କ ସାନିଧ୍ୟ ଲାଭ କରିବାକୁ ଜମିଛି ଭିଡ଼ । ଭଳିକି ଭଳି ଦୋକାନର ପସରା ଖଣ୍ଡଗିରି ମେଳାକୁ କରିଛି ଲୋକରଣ୍ୟ ।