କାହାର ହେବ ଛେଳି ? ମାଲିକାନାକୁ ନେଇ ଥାନାରେ ତୁମ୍ବିତୋଫାନ, ନୀରହ ଜନ୍ତୁର ଟିଆଇ ପରେଡ୍‌

NEWS7
auction-of-2-new-ipl-teams-in-october-preparations-to-hold-mega-auction-in-january

ନୀଳଗିରି ୩୦।୧୨ : ନୀଳଗିରି ଥାନାରେ ତୁମ୍ବିତୋଫାନ । ଛେଳିର ମାଲିକାନା ନେଇ ଥାନାରେ ଟିଆଇ ପରେଡ୍ । ପ୍ରକୃତ ମାଲିକକୁ ଚିହ୍ନିବାକୁ ଛେଳିଟିର ଟିଆଇ ପରେଡ୍ କରାଯିବା ଓ ସାକ୍ଷୀ ପାଇଁ ଆଉ ଏକ ଛେଳିକୁ ଅଣାଯିବା ଚର୍ଚ୍ଚାର ବିଷୟ ହୋଇଛି । ହେଲେ ବିବାଦ ତୁଟିନି । ମାଲିକାନା ଦାବି କରୁଥିବା ଦୁଇ ବ୍ୟକ୍ତିଙ୍କୁ ଚିହ୍ନି ନପାରିବାରୁ ଥାନାରେ ଛେଳି ଅଟକ ରହିଛି । ଉଭୟ ପକ୍ଷର ଏତଲା ଆଧାରରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

ନୀଳଗିରି ଏନ୍ଏସି ଅନ୍ତର୍ଗତ ସାନଅତା ଗାଁର ମୋନାଲିସା ଦାସ ୨୦ରୁ ଊଦ୍ଧ୍ୱର୍ ଛେଳି ପାଳିଛନ୍ତି । ଦେଢ଼ ମାସ ତଳେ ତାଙ୍କର ଏକ ଛେଳି ହଜିଯାଇଥିଲା । ବହୁ ଖୋଜାଖୋଜି ସତ୍ତେ୍ୱ ସେ ଛେଳିକୁ ପାଇନଥିଲେ । ଶୁକ୍ରବାର ନୀଳଗିରି ଗୁଡ଼ିଖାଣିଆ ଗ୍ରାମର ଲକ୍ଷ୍ମଣ ବିନ୍ଧାଣିଙ୍କ ଘରେ ଛେଳି ଥିବା କୌଣସି ସୂତ୍ରରୁ ଖବର ପାଇ ସେଠାକୁ ଯାଇଥିଲେ। ମୋନାଲିସା ନିଜର ଛେଳି ଚିହ୍ନଟ କରିବା ପାଇଁ ସେମାନଙ୍କ ଶିଙ୍ଗରେ ରଙ୍ଗ ମାରିଥିଲେ। ଲକ୍ଷ୍ମଣଙ୍କ ଘରେ ଏକ ଛେଳି ଶିଙ୍ଗରେ ଅନୁରୂପ ଚିହ୍ନ ଦେଖି ଥାନାକୁ ଆଣିଥିଲେ। ହେଲେ ଉକ୍ତ ଛେଳି ମୋନାଲିସାଙ୍କର ନୁହେଁ ବରଂ ଏହାକୁ ସୋମନାଥପୁର ଗ୍ରାମରୁ ୨୦୦୦ ଟଙ୍କା ଦେଇ କିଣିଥିବା କହିଥିଲେ ଲକ୍ଷ୍ମଣ । ଶେଷରେ ପ୍ରକୃତ ମାଲିକଙ୍କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ପୋଲିସ୍ ଦୁଇ ପକ୍ଷଙ୍କୁ ଛିଡ଼ା କରାଇଥିଲା । ତଦନ୍ତକାରୀ ଅଧିକାରୀ ଶ୍ରୀନିବାସ ରାଉତ ଛେଳିକୁ ଟିଆଇ ପରେଡ୍ କରିଥିଲେ । ହେଲେ ଛେଳି ଲକ୍ଷ୍ମଣ କିମ୍ବା ମୋନାଲିସାଙ୍କ ନିକଟକୁ ଯାଇ ନ ଥିଲା। ଏ ଘଟଣାକୁ ନେଇ ଥାନାରେ କୌତୂହଳପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ପରେ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହେବାରୁ ଛେଳିକୁ ଚିହ୍ନିବା ପାଇଁ ଆଉ ଗୋଟିଏ ଛେଳି ଅଣାଯାଇଥିଲା । ତଥାପି କିଛି ସୁଫଳ ମିଳିପାରିନାହିଁ । ତେଣୁ ଛେଳିଟିକୁ ଥାନାରେ ଅଟକ ରଖାଯାଇଛି । ଅଞ୍ଚଳରୁ କିଛି ମାସ ତଳେ ଦୁଇଟି ବୋଦା ଚୋରି ହୋଇଥିଲା । ଉଦ୍ଧାର ହେବା ପରେ ଦୁଇ ଜଣ ବ୍ୟକ୍ତି ପୋଲିସ୍ ନିକଟରେ ପହଞ୍ଚି ମାଲିକାନା ଦାବି କରିଥିଲେ । ହେଲେ ବିବାଦର ସମାଧାନ ହୋଇପାରି ନ ଥିଲା । ବୋଦା ଦୁଇଟି ଥାନାରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ କିଛିଦିନ ପରେ ମରି ଯାଇଥିଲା । ଆଉ ଗୋଟିଏ ବୋଦା ଏକାକୀ ରହୁଥିଲା । ସୋମବାର ଘଟଣା ପରେ ବୋଦାକୁ ସାଥୀ ମିଳିଯାଇଛି ।