ଲାଲକିଲା ବିସ୍ପୋରଣର ୯ମ ଅଭିଯୁକ୍ତ ଗିରଫ, ଖୋଲି ପାରେ ଆତଙ୍କୀ ଷଡ଼ଯନ୍ତ୍ରର ରହସ୍ୟ

NEWS7
atm-loot-in-bhubaneswar

ନୂଆଦିଲ୍ଲୀ ୧୮।୧୨: ରାଷ୍ଟ୍ରୀୟ ଏଜେନ୍ସୀ (ଏନଆଇଏ) ଗୁରୁବାର ଦିଲ୍ଲୀ ବିସ୍ଫୋରଣ ମାମଲାରେ ନବମ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ୟାସିର ଅହମଦ ଡାର ବୋଲି ଜଣାପଡିଛି। ଏନଆଇଏ ଡାରକୁ ଗିରଫ କରିବା ପରେ ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟରେ ହାଜର କରିଛି। କୋର୍ଟ ୟାସିର ଡାରକୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ଏନଆଇଏ ହାଜତକୁ ପଠାଇ ଦେଇଛି। ଏହି ଗିରଫଦାରୀକୁ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଉଛି।

ଏହି ମାମଲା ଦିଲ୍ଲୀର ଐତିହାସିକ ଲାଲକିଲା ନିକଟରେ ହୋଇଥିବା ବିସ୍ଫୋରଣ ସହ ସମ୍ପର୍କିତ। ଏହି କେସ୍ ରେ ଏ ପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇଥିବା ବେଳେ ନବମ ଅଭିଯୁକ୍ତ ମଧ୍ୟ ଧରାପଡିଛି। ୟାସିର ଡାରକୁ କୋର୍ଟରେ ହାଜର କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କୌଣସି ଅପ୍ରିୟ ଘଟଣାକୁ ଟାଳିବାକୁ କୋର୍ଟ ପରିସର ଓ ଏହାର ଆଖପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଡାରକୁ କୋର୍ଟରେ ହାଜର କରାଯିବା ବେଳେ ଏନଆଇଏ କୋର୍ଟଙ୍କୁ ଏହି ମାମଲାର ତଦନ୍ତ ଏବେ ସରିନଥିବା କହିଛି। ଏଣୁ ଅଭିଯୁକ୍ତକୁ ପଚରା ଉଚରା କରି ସୂଚନା ଏକତ୍ର କରିବା ଏବେ ବାକି ରହିଛି ବୋଲି ଏନଆଇଏ କହିଛି।

ଏଜେନ୍ସୀର କହିବା କଥା ହେଉଛି ୟାସିର ଅହମଦ ଡାର ସମ୍ପର୍କିତ ନେଟୱାର୍କ, ତାର ସମ୍ପର୍କ ଓ ଷଡ଼ଯନ୍ତ୍ରରେ ସାମିଲ ଅନ୍ୟ ଲୋକଙ୍କ ସମ୍ପର୍କରେ ସନ୍ଧାନ କରିବା ଅତ୍ୟନ୍ତ ଜରୁରି। ଏଣୁ ଏନଆଇଏ ୟାସିର ଡାରର ରିମାଣ୍ଡ ନିବେଦନ କରିଥିଲା। ଏହାକୁ କୋର୍ଟ ମଞ୍ଜୁର କରିଛନ୍ତି। ଏହି ଗିରଫଦାରୀର ସପ୍ତାହକ ପୂର୍ବରୁ ଏନଆଇଏ ମାମଲାର ଅଷ୍ଟମ ଅଭିଯୁକ୍ତକୁ ଗିରଫ କରିଥିଲା। ସେ ଜମ୍ମୁ-କାଶ୍ମୀର ବାରାମୂଲାର ବାସିନ୍ଦା ଓ ତା ନାମ ଡା. ବିଲାଲ ନସିର ମଲ୍ଲା ବୋଲି କୁହାଯାଇଛି। ଏଜେନ୍ସୀ ଅନୁସାରେ ଡା. ବିଲାଲ ଏହି ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଡା. ଉମର ଉନ ନବୀକୁ ଜାଣିଶୁଣି ସହାୟତା କରିଥିଲା।

ଏନଆଇଏ କହିଛି ଯେ ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଓ ଏହାକୁ ଆତଙ୍କବାଦୀ ଷଡ଼ଯନ୍ତ୍ର ନଜରରେ ଦେଖା ଯାଉଛି। ଦିଲ୍ଲୀ ଓ ଲାଲକିଲା ସମ୍ପର୍କିତ ବିସ୍ଫୋରଣ ମାମଲାକୁ ନେଇ ସୁରକ୍ଷା ଏଜେନ୍ସୀ ପ୍ରଥମରୁ ଆଲର୍ଟ ମୋଡରେ ଅଛନ୍ତି। ଯାଞ୍ଚଏଜେନ୍ସୀ ଅଭିଯୁକ୍ତଙ୍କ ଫଣ୍ଡିଂ, ସେମାନଙ୍କ ସମ୍ପର୍କ ଓ ସମ୍ଭାବିତ ସହଯୋଗୀଙ୍କ ସୂଚନା ସଂଗ୍ରହ ଲାଗି ନିରନ୍ତର ପ୍ରୟାସରେ ଅଛନ୍ତି। ଏନଆଇଏ ଭାବୁଛି ଏହି ମାମଲାର କେତେକ ତାର ପରସ୍ପର ସହ ଯୋଡି ହୋଇ ରହିଛି ଓ ଆଗାମୀ ଦିନରେ ଆହୁରି ଅନେକ କଥା ଜଣାପଡିବ।