ବଢ଼ିଲା କ୍ରିକେଟ ବିବାଦ; ଭାରତ ବିରୁଦ୍ଧରେ ବଡ଼ ପଦକ୍ଷେପ ନେଲା ବାଂଲାଦେଶ, ସତର୍କ ବିସିସିଆଇ

NEWS7
astrophysicist-shashikumar-madhusudhan-chitre-died-in-mumbai

ନୂଆଦିଲ୍ଲୀ: ତିନି- ତିନି ଜଣ ହିନ୍ଦୁଙ୍କୁ ହତ୍ୟା ପରେ ବାଂଲାଦେଶ ସହ ଭାରତର ସଂପର୍କ ତିକ୍ତ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। କେବଳ ରାଜନୈତିକ ନୁହେଁ ଏହି ବିବାଦ ଏବେ କ୍ରିକେଟ ଗ୍ରାଉଣ୍ଡକୁ ବି ବ୍ୟାପିଲାଣି। ଏହି କ୍ରମରେ ସୋମବାର ବାଂଲାଦେଶ, ଏଭଳି ଏକ ବଡ଼ ଘୋଷଣା କରିଛି, ଯାହାକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି।

ରିପୋର୍ଟ ଅନୁସାରେ, ବାଂଲାଦେଶ ସରକାର ଆଇପିଏଲ ପ୍ରସାରଣ ଉପରେ ବ୍ୟାନ ଲଗାଇଛି। ସୋମବାର ବାଂଲାଦେଶ ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି, ଦେଶରେ ଆଇପିଏଲର ଟେଲିକାଷ୍ଟ ଏବଂ ବ୍ରଡକାଷ୍ଟ ଉପରେ ରୋକ ଲଗାଯାଉଛି।’ ତେବେ ଏହି ବ୍ୟାନ୍ ପାଇଁ ଦେଶର କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା- ପ୍ରସାରଣ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲା। ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରକୃତରେ ବାଂଲାଦେଶରେ ଆଇପିଏଲ ବ୍ୟାନ ନିଷ୍ପତ୍ତି ମୁସ୍ତଫିଜୁର ରହମାନଙ୍କୁ ଆଇପିଏଲରୁ ବାହାର କରାଯାଇଥିଲା। ଯାହାକୁ ନେଇ ବାଂଲାଦେଶର କ୍ରୀଡ଼ା ମନ୍ତ୍ରଣାଳୟ ସହ ଜଡ଼ିତ ଡାକ୍ତର ଆସିଫ ନଜରୁଲ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଙ୍କୁ ଦେଶରେ ଆଇପିଏଲ ମ୍ୟାଚ ପ୍ରସାରଣ ନକରିବାକୁ ଅପିଲ୍ କରିଥିଲେ। ନିଜ ପୋଷ୍ଟରେ ଆସିଫ୍ ନଜରୁଲ ମୁସ୍ତଫିଜୁର ରହମାନଙ୍କ ସହ ହୋଇଥିବା ଆଚରଣ ଉପରେ ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ, ବାଂଲାଦେଶ କ୍ରିକେଟ କିମ୍ବା ସେମାନଙ୍କର କୌଣସି ଖେଳାଳିଙ୍କ ଅପମାନକୁ ଗ୍ରହଣ କରାଯିବ ନାହିଁ।

ସୂଚନାଥାଉକି, ବାଂଲାଦେଶ ଏହା ପୂର୍ବରୁ ଟି୨୦ ଓ୍ବାର୍ଲ୍ଡ କପ୍ ୨୦୨୬ ପାଇଁ ଭାରତ ଆସିବାକୁ ମଧ୍ୟ ମନା କରିଛି। ବିସିସିଆଇକୁ ଏକ ଇମେଲରେ ମୁସ୍ତଫିଜୁର ରହମାନଙ୍କୁ ବାହାର କରିବା ଉପରେ ସ୍ପଷ୍ଟୀକରଣ ମଧ୍ୟ ମାଗିଛି। ଖାଲି ସେତିକି ନୁହେଁ, ବାଂଲାଦେଶ କ୍ରିକେଟ ବୋର୍ଡ ଏକ ଇମେଲରେ ଆଇସିସିକୁ ମଧ୍ୟ ବିଶ୍ବ କପ୍ ଖେଳାଯିବା ସ୍ଥାନ ପରିବର୍ତ୍ତନ କରିବାକୁ ଅପିଲ କରିଛି। ଭାରତ ବଦଳରେ ଟି୨୦ ବିଶ୍ବ କପ୍ ମ୍ୟାଚ ଶ୍ରୀଲଙ୍କାରେ କରିବାକୁ କହିଛି ବାଂଲାଦେଶ। ଏଥିପାଇଁ ବାଂଲାଦେଶ ସୁରକ୍ଷାର ଦ୍ବାହି ମଧ୍ୟ ଦେଇଛି। ତେବେ ଏହି ବ୍ୟାନ ସହ ବାଂଲାଦେଶ ମଧ୍ୟ ସେହି ଦେଶଙ୍କ ତାଲିକାରେ ସାମିଲ ହୋଇଛି, ଯେଉଁଠି ବିସିସିଆଇର ଟି୨୦ ଲିଗ୍ ପ୍ରସାରଣ ହେଉନାହିଁ।