Live Live
LIVE

ମାସେ ପରେ କବରରୁ ବାହାରିଲା ଶବ, ହୃଦଘାତ ନୁହେଁ ହୋଇଥିଲା ହତ୍ୟା

NEWS7
ass-education-minister-badri-patra-will-be-discussion-with-teachers

ନୂଆଦିଲ୍ଲୀ: ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା... ଲୁଚାଇବାକୁ ପତ୍ନୀ ରଚିଲେ ମିଛ ନାଟକ। ପରିବାର ଲୋକଙ୍କୁ କହିଲେ ହୃଦଘାତରେ ହୋଇଛି ସ୍ବାମୀଙ୍କର ମୃତ୍ୟୁ । ହେଲେ ଏବେ କିନ୍ତୁ ଧରାପଡ଼ିଛି ସତ । ମାସେ ପରେ କବରରୁ ଶବ ବାହାର କରାଯିବା ପରେ ସବୁ ସତ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଛି। କର୍ଣ୍ଣାଟକରେ ଏହି ଫିଲ୍ମ ଷ୍ଟାଇଲ ହତ୍ୟାକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ମୃତକ ପରମେଶଙ୍କ ପତ୍ନୀଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଗତ ଜାନୁଆରୀ ୨୯ରେ କର୍ଣ୍ଣାଟକର ଟୁମକୁର ଜିଲ୍ଲାର ୫୦ ବର୍ଷୀୟ ଶ୍ରମିକ ପରମେଶଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀ ପି ଆଶା(୪୬) ଜଣେ ଘରୋଇ ସହାୟିକା। ଆଶା ପରିବାର ଲୋକଙ୍କୁ ଜଣାଇଥିଲେ ଯେ, ପରମେଶଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଯାହା ପର ଦିନ ପରିବାର ଲୋକେ ପରମେଶଙ୍କ ଶେଷକୃତ୍ୟ ସାରିଥିଲେ।

ତେବେ ଏଇଠି ଘଟଣାର ଅନ୍ତ ଘଟିନଥିଲା। ପରମେଶଙ୍କ ମୃତ୍ୟୁର ମାତ୍ର ୨୦ ଦିନ ପରେ ଆଶା ନିଜର ପୁରୁଣା ପ୍ରେମିକ ୪୮ ବର୍ଷୀୟ ଚନ୍ଦ୍ରପ୍ପାଙ୍କୁ ବିବାହ କରିଥିଲେ। ଯାହା ପରମେଶଙ୍କ ହତ୍ୟା ସନ୍ଦେହକୁ ବଢ଼ାଇଥିଲା। ପରମେଶଙ୍କ ଭଉଣୀ ଅଭିଯୋଗ କରିଥିଲେ ଯେ, ତାଙ୍କ ଭାଇଙ୍କୁ ନିର୍ଯାତନା ଦିଆଯାଇଥିଲା ଏବଂ ତାଙ୍କର ମୃତ୍ୟୁ ସାଧାରଣ ନୁହେଁ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲା। ଆଉ ତଦନ୍ତ ଅନୁସାରେ, ପ୍ରାୟ ମାସେ ପରେ ମୃତଦେହକୁ କବରରୁ ବାହାର କରାଯାଇ ପୋଷ୍ଟମର୍ଟମ କରାଯାଇଥିଲା। ଯେଉଁଥିରେ ହାର୍ଟ ଆଟାକ ଯୋଗୁ ମୃତ୍ୟୁ ବଦଳରେ ଅଣନିଶ୍ବାସୀ ହୋଇ ମୃତ୍ୟୁ ହେବାର ସଙ୍କେତ ମିଳିଥିଲା।

ପୋଲିସର ସୂଚନା ଅନୁସାରେ, ପଚରାଉଚରା ବେଳେ ଆଶା ଏବଂ ଚନ୍ଦ୍ରପ୍ପା ହତ୍ୟା କଥାକୁ ସ୍ବୀକାର କରିଛନ୍ତି। ପୋଲିସ କହିଛି, ପରମେଶ ଶୋଇଥିବାବେଳେ ଉଭୟ ତାଙ୍କ ମୁହଁରେ ତକିଆ ପକାଇ ମାରିଦେଇଥିଲେ। ଆଉ ଜାଣିଶୁଣି ହୃଦଘାତର ନାଟକ ରଚିଥିଲେ। ତେବେ ବର୍ତ୍ତମାନ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ହେପାଜତକୁ ପଠାଇବା ସହ ପୋଲିସ ମାମଲାରେ ଅଧିକ ତଦନ୍ତ କରୁଛି।