ଆମେ ଗୋଟିଏ ମା' ପେଟର ନୁହଁ, କିନ୍ତୁ ଆମ ଦୁଃଖ ସମାନ: ଏବେ ହସି ଖେଳି ବଢୁଛନ୍ତି ୭ ଛୋଟ କୁନି କୁନି....

NEWS7
asia-pacific-group-unanimously-endorses-indias-candidature-for-non-permanent-seat-of-unsc

ଭୁବନେଶ୍ୱର ୧୦/୦୧: ମା' କଲା ସାତପର । ମଣିଷ ସ୍ପର୍ଶରେ ହୋଇଗଲେ ଅଛୁଆଁ । କିଏ ଖାତରେ ପଡ଼ି, ତ ଆଉ କିଏ ପରିତ୍ୟକ୍ତ କୂଅ ଓ ପୁଣି କିଏ ଦୁର୍ଘଟଣାର ଶିକାର ହୋଇ ଉଦ୍ଧାର । ସଭିଙ୍କୁ ପର କରି ଛାଡ଼ି ପଳାଇଛନ୍ତି ସେମାନଙ୍କ ମା’ । ବନବିଭାଗର ଶତଚେଷ୍ଟା ସତ୍ତ୍ଵେ ମା’ କି ହାତୀପଲ ଆଉ ଗ୍ରହଣ କରିନାହାନ୍ତି । କାରଣ ଏମାନଙ୍କୁ ଲାଗିଥିଲା ମଣିଷ ଛୁଆଁର ପାତକ । ହେଲେ ଏବେ ଉଦ୍ଧାର ମା’ ଛେଉଣ୍ଡ ୭ ହାତୀ ଶାବକ ଏକାଠି ।

ଆଜ୍ଞା ହଁ ଆମେ କହୁଛୁ ସେହି ହାତୀ ଛୁଆଙ୍କ କଥା । ସେମାନେ ହେଲେ ‘ଚନ୍ଦୁ’, ‘ସୀମା’, ‘ଜଗନ୍ନାଥ ଓରଫ ଜଗା’, ‘ଉମା’, ‘କାହ୍ନା’, ‘ରାଧିକା’ ଏବଂ ‘କାର୍ତ୍ତିକ’ । ଏମାନଙ୍କୁ ମା’ ସିନା ପର କରିଦେଲା, ହେଲେ କୋଳେଇ ନେଲା ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟି । ହାତୀ ପାଠଶାଳାରେ ଏମାନେ ଏବେ ଏକାଠି ।

ଏକାଠି ଖିଆପିଆ, ଖେଳକୁଦ ସାଙ୍ଗକୁ ପାଠଶାଳା ବି ଚାଲିଛି । ସମସ୍ତଙ୍କ ବୟସ ୩ ବର୍ଷରୁ ଆରମ୍ଭ କରି ୧୫ ବର୍ଷ । ସେତିକି ନୁହେଁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଏଲିଫ୍ୟାଣ୍ଟ୍ ରେସ୍ତୋରାଁରେ ମନଭରି ଖିଆପିଆ କରି ଜୀବନକୁ କରୁଛନ୍ତି ଉପଭୋଗ । ତେବେ ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, ମା' ସିନା କୋଳେଇଲାନି କିନ୍ତୁ କୁମାରଖୁଣ୍ଟି ନୂଆ ଠିକଣା ଭୁଲେଇଦେଇଛି ମାଆ ବିରହର ଦୁଃଖ ।

ସାଜିବେ ଜଙ୍ଗଲ ରକ୍ଷକ:

ବନବିଭାଗ କରିଥିବା ଯୋଜନା ଅନୁଯାୟୀ, ଏହି ହାତୀଛୁଆଙ୍କୁ ଦିଆଯାଉଛି ‘କୁମକୀ’ ପ୍ରଶିକ୍ଷଣ । ତାଲିମପ୍ରାପ୍ତ ହେବା ପରେ ଏମାନଙ୍କୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଛଡ଼ାଯାଇ ଜଙ୍ଗଲ ଜଗିବା କାମରେ ନିୟୋଜିତ କରାଯିବ । ଜଙ୍ଗଲରୁ ଶିକାରୀ ଏବଂ କାଠ ଚୋରଙ୍କୁ ତଡ଼ିବା ଠାରୁ ଆରମ୍ଭ କରି ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବା ହାତୀଙ୍କୁ ପୁଣି ଜଙ୍ଗଲକୁ ଫେରାଇ ଆଣିବା କାମରେ ନିୟୋଜିତ କରାଯିବ । ପର୍ଯ୍ୟଟକଙ୍କୁ ପିଠିରେ ବସାଇ ଜଙ୍ଗଲ ବୁଲାଇବା କାମରେ ମଧ୍ୟ ଲଗାଯିବ । ଫଳରେ ବନବିଭାଗର ରାଜସ୍ୱ ବୃଦ୍ଧି ଘଟିବ । ଏଭଳି ମହାନ ଉଦ୍ଦେଶ୍ୟ ରଖି କୁମାରଖୁଣ୍ଟି ଠାରେ ୨୦୨୪ ମାର୍ଚ୍ଚ ୬ରୁ ଆରମ୍ଭ ହୋଇଛି ହାତୀଙ୍କ ପାଠଶାଳା ।

କେଉଁଠୁ, କେବେ ଉଦ୍ଧାର ହୋଇଥିଲେ:

​​​​​​​କାର୍ତ୍ତିକ: ୨୦୧୦ ଜୁଲାଇ ୭ରେ ଆଠଗଡ଼ ଜଙ୍ଗଲରୁ ଉଦ୍ଧାର ହୋଇଥିଲା କାର୍ତ୍ତିକ । ଆଠଗଡ଼ ଜଙ୍ଗଲରେ ଏକ ଖାତରେ ପଡ଼ିଥିବାବେଳେ ମା’ ଓ ହାତୀପଲ ଉଦ୍ଧାର କରିବାକୁ ବହୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ବନ କର୍ମଚାରୀମାନେ ଛୁଆକୁ ଉଦ୍ଧାର କରିଥିଲେ ମଧ୍ୟ ଆଉ ମା’ କି ପଲ ଗ୍ରହଣ କରି ନଥିଲା । ତେଣୁ ତାକୁ କପିଳାସକୁ ଅଣାଯାଇ ସେଠାରେ କାର୍ତ୍ତିକ ନାମକରଣ କରାଯାଇଥିଲା । ଏବେ ତାକୁ ୧୪ ବର୍ଷ ପୂରିଲାଣି । ୨୦୨୪ ମାର୍ଚ୍ଚ ୧୫ରେ କାର୍ତ୍ତିକ କୁମାରଖୁଣ୍ଟିକୁ ଆସିଛି ।

ଉମା: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନାଞ୍ଚଳରୁ ୨୦୧୨ ସେପ୍ଟେମ୍ବର ୪ରେ ଉମା ଉଦ୍ଧାର ହୋଇଥିଲା । ବିଲ ଭିତରେ ଥିବା ଏକ କୂଅରେ ପଡ଼ିଥିବାବେଳେ ତାକୁ ବନବିଭାଗ ଲୋକଙ୍କ ସହ ମିଶି ଉଦ୍ଧାର କରିଥିଲା । ମଣିଷ ସଂସ୍ପର୍ଶରେ ଆସିଥିବାରୁ ତାକୁ ମା’ ଓ ହାତୀ ପଲ ଗ୍ରହଣ କରି ନଥିଲେ । ତେଣୁ ତାକୁ କପିଳାସକୁ ଅଣାଯାଇଥିଲା । ଏଠାରେ ତା’ର ନାମ ‘ଉମା’ ରଖାଯାଇଥିଲା । ଏବେ ଉମାକୁ ୧୧ ବର୍ଷ ପୂରିଲାଣି । ସେ ୨୦୨୪ ମାର୍ଚ୍ଚ ୧୫ରେ ଏଠାକୁ ଆସିଛି ।

ଚନ୍ଦୁ: ୨୦୧୧ ଡିସେମ୍ବର ୨୪ରେ ବରଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିଲା ଅଣ୍ଡିରା ହାତୀ ଛୁଆ ‘ଚନ୍ଦୁ’ । ଏକ ଖାତରେ ପଡ଼ି ମଣିଷ ସଂସ୍ପର୍ଶରେ ଆସିଥିବାରୁ ତାକୁ ଆଉ ମା’ କି ପଲ ଗ୍ରହଣ କରି ନଥିଲେ । ତେଣୁ ତାକୁ କପିଳାସକୁ ଅଣାଯାଇଥିଲା । ବନ କର୍ମଚାରୀମାନେ ତା’ ନାମ ରଖିଥିଲେ ‘ଚନ୍ଦୁ’ । ୧୫ ବର୍ଷର ଚନ୍ଦୁ ଏଠାରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲା । ଇଏ ବି ୨୦୨୪ ମାର୍ଚ୍ଚ ୧୫ରେ କୁମାରଖୁଣ୍ଟି ଆସିଛି।

ସୀମା: ରାଉରକେଲା ପାନପୋଷରେ ୨୦୨୪ ଅକ୍ଟୋବର ୧୪ରେ ଏକ ୨୩ ଟିକିଆ ହାତୀ ପଲ ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ଧକ୍କାରେ ମା’ ସହ ଦୁର୍ଘଟଣାର ଶିକାର ହୋଇଥିଲା ‘ସୀମା’ । ଛୋଟେଇ ଛୋଟେଇ ଚାଲୁଥିବା ବେଳେ ମା’ ହାତୀ ସହ ପଲ ପଳାଇଥିଲା । ଅକ୍ଟୋବର ୧୬ରେ ବନବିଭାଗ ଛୁଆଟିକୁ ଉଦ୍ଧାର କରିଥିଲା । ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ତାକୁ ଚିକିତ୍ସା ପାଇଁ ସେହିଦିନ ନନ୍ଦନକାନନକୁ ପଠାଇ ଦିଆଯାଇଥିଲା । ସୁସ୍ଥ ହେବାପରେ ତାକୁ ଗତବର୍ଷ ଅକ୍ଟୋବର ୩୧ରେ କୁମାରଖୁଣ୍ଟିକୁ ଅଣା ଯାଇଥିଲା ।

ରାଧିକା: ୨୦୨୪ ସେପ୍ଟେମ୍ବର ୧୬ରେ କଳାହାଣ୍ଡି ନର୍ଲାରୁ ଉଦ୍ଧାର ହୋଇଥିଲା ଛୁଆ ହାତୀ ‘ରାଧିକା’ । ଦୁଇଦିନ ପର୍ଯ୍ୟନ୍ତ ତାକୁ ମା’ ଓ ପଲ ସହ ଫେରାଇବା ପାଇଁ ବନବିଭାଗ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ମା’ ଆଉ ଗ୍ରହଣ କରି ନଥିଲା । ତେଣୁ ତାକୁ କଳାହାଣ୍ଡି ଚିପୁଲ ସେଣ୍ଟ୍ରାଲ ନର୍ସରୀକୁ ସ୍ଥାନାନ୍ତର କରା ଯାଇଥିଲା । ସେତେବେଳେ ମାତ୍ର ଦେଢ଼ବର୍ଷର ଥିଲା ରାଧିକା । ୨୦୨୪ ନଭେମ୍ବର ୨୬ରେ ରାଧିକାକୁ କୁମାରଖୁଣ୍ଟିକୁ ଅଣାଯାଇଥିଲା ।

କାହ୍ନା: ୨୦୨୪ ନଭେମ୍ବର ୨ରେ କେନ୍ଦୁଝର ଚମ୍ପୁଆ ରେଞ୍ଜରୁ ଉଦ୍ଧାର ହୋଇଥିଲା ଛୁଆ ହାତୀ ‘କାହ୍ନା’ । ଡିହାଇଡ୍ରେସନ୍ରେ ଆକ୍ରାନ୍ତ ହୋଇଥିବା ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଥିଲା । ଦୁଇଦିନ କାହ୍ନାର ଚିକିତ୍ସା କରିବା ପରେ ତାକୁ ମା’ ଓ ପଲ ସହ ଫେରାଇ ନେବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ବନବିଭାଗ ବିଫଳ ହୋଇଥିଲା । ତେଣୁ ତାକୁ ପଦ୍ମପୁର ମେଗା ନର୍ସରୀରେ ଆଣି ରଖାଯାଇଥିଲା । ସେଠାରୁ ତାକୁ ୨୦୨୪ ନଭେମ୍ବର ୨୩ରେ ଚନ୍ଦକା କୁମାରଖୁଣ୍ଟିକୁ ଅଣା ଯାଇଥିଲା ।

ଜଗା: ଶିମିଳିପାଳ ଅଭୟାରଣ୍ୟରେ ମା’ ଓ ପଲଠାରୁ ଅଲଗା ହୋଇ ଏକାକୀ ବୁଲୁଥିବା ଜଗା ଓରଫ ଜଗନ୍ନାଥକୁ ବନବିଭାଗ ଉଦ୍ଧାର କରି ଶିମିଳିପାଳ ଜେନାବିଲି ହାତୀ ରେସ୍କ୍ୟୁ ସେଣ୍ଟରରେ ରଖିଥିଲା । ସେଠାରେ ତା’ର ଯତ୍ନ ନିଆଯାଉଥିବା ବେଳେ ୨୦୨୪ ମାର୍ଚ୍ଚ ୫ରେ ଜଗାକୁ ଚନ୍ଦକା କୁମାରଖୁଣ୍ଟିକୁ ଅଣାଯାଇଥିଲା । ଏହି ପାଠଶାଳା ଆରମ୍ଭରୁ ଜଗା ପ୍ରଥମ ଛାତ୍ର ଭାବେ ପାଠପଢ଼ା ଜାରି ରଖିଛି ।