IND vs BAN: ଉତ୍ତେଜନା ମଧ୍ୟରେ ଏହି ଦିନ ଭାରତ ବନାମ ବାଂଲାଦେଶ ମୁକାବିଲା

NEWS7
asi-monuments-remain-closed-till-may-15

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ ଫେବୃଆରୀରେ ଖେଳାଯିବ। ଏହି ଇଭେଣ୍ଟ ପାଇଁ ବାଂଲାଦେଶ କ୍ରିକେଟ୍ ଦଳ ଭାରତ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି, କିନ୍ତୁ ସାମ୍ପ୍ରତିକ ଘଟଣାବଳୀ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଛି। ଏହି ସମୟରେ ଜାନୁଆରୀରେ ଭାରତ ଏବଂ ବାଂଲାଦେଶ କ୍ରିକେଟ୍ ଦଳ ପରସ୍ପର ସହିତ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମ୍ୟାଚ୍ ଜିମ୍ବାୱେରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି।

ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ

୧୯ ବର୍ଷରୁ କମ୍ ବିଶ୍ୱକପ୍ ଜାନୁଆରୀରେ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ ଜାନୁଆରୀ ୧୫ ତାରିଖରେ ଖେଳାଯିବ। ଭାରତ ଏବଂ ଆମେରିକା ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ବିଶ୍ୱକପ୍ ପାଇଁ ଦଳଗୁଡ଼ିକୁ ଅନେକ ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ଏବଂ ବାଂଲାଦେଶ ଗୋଟିଏ ଗ୍ରୁପରେ ଅଛନ୍ତି। ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଜାନୁଆରୀ ୧୭ ତାରିଖରେ ଖେଳାଯିବ। ବଡ଼ କଥା ହେଉଛି ଏହି ମ୍ୟାଚ୍ ଭାରତରେ କିମ୍ବା ବାଂଲାଦେଶରେ ଖେଳାଯିବ ନାହିଁ; ଏହା ଜିମ୍ବାଓ୍ଵେର ବୁଲାୱାୟୋରେ ଖେଳାଯିବ। ତେଣୁ, ଏହି ମ୍ୟାଚକୁ ନେଇ ସେମିତି କିଛି ଉତ୍ତେଜନା ନାହିଁ। ତଥାପି, ସମ୍ପ୍ରତି ଘଟଣାକ୍ରମ ପରେ, ଉଭୟ ଦଳର ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବା ସମୟରେ ପରିବେଶ କିପରି ହେବ ତାହା ଦେଖିବାକୁ ବାକି ରହିଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ନାହିଁ ଲିଗ୍ ମ୍ୟାଚ୍

ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ସମାନ ଗ୍ରୁପରେ ନାହାନ୍ତି। ତେଣୁ, ଭାରତ ବାଂଲାଦେଶ ସହିତ ଖେଳିବ, କିନ୍ତୁ ପାକିସ୍ତାନ ସହ ପ୍ରଥମ ପର୍ଯ୍ୟାୟରେ ଭାରତର ମ୍ୟାଚ୍ ନାହିଁ। ଯଦି ଭାରତ ଏବଂ ପାକିସ୍ତାନୀ ଦଳ ଆଗକୁ ବଢ଼ନ୍ତି, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ମୁହାଁମୁହିଁ ହୋଇ ପାରନ୍ତି। ପ୍ରଥମ ପର୍ଯ୍ୟାୟ କେବଳ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ।

ବାଂଲାଦେଶରେ ନିୟମିତ ଭାବରେ ହିନ୍ଦୁମାନଙ୍କୁ ଆକ୍ରମଣ ଏବଂ ହତ୍ୟା କରାଯାଉଛି। ଏହାକୁ ନେଇ ଭାରତରେ ପ୍ରତିବାଦର ସ୍ଵର ଉଠିବାରେ ଲାଗିଛି। ବାଂଲାଦେଶରେ ହିନ୍ଦୁମାନେ ସୁରକ୍ଷିତ ନୁହନ୍ତି, ତଥାପି ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ କୋଟି କୋଟି ଟଙ୍କାରେ IPLରେ ଖେଳିବାକୁ ସୁଯୋଗ ଦିଆଯାଉଛି। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜନତାଙ୍କ ଭାବନାକୁ ଦୃଷ୍ଟିରେ ରଖି ବିସିସିଆଇ କେକେଆରକୁ ତୁରନ୍ତ ରେହମାନଙ୍କୁ ଦଳରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲା।

ବିସିସିଆଇର ଅଚାନକ ଏହି ପଦକ୍ଷେପକୁ ନେଇ କ୍ଷୁବ୍ଧ ହୋଇ ଉଠିଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ ଏବଂ ସେଠକାର ଅନ୍ତରୀଣ ସରକାର। ବାଂଲାଦେଶ ବୋର୍ଡ ନିଜ ଦଳକୁ ଟି-୨୦ ବିଶ୍ଵକପ୍ ଖେଳିବା ପାଇଁ ଭାରତ ନ ପଠାଇବାକୁ ନିଷ୍ପତ୍ତି ନେଇଛି। କେବଳ ଏତିକି ନୁହେଁ ଆଇପିଏଲ୍ ୨୦୨୬ର ପ୍ରସାରଣ ଉପରେ ରୋକ୍ ଲଗାଇଛନ୍ତି ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର। ସଂପ୍ରତି ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ଵିପାକ୍ଷିକ ସଂପର୍କ ତିକ୍ତତାପୂର୍ଣ୍ଣ ରହିଛି।