T20 World Cup 2026: କଣ ବାଂଲାଦେଶକୁ ବିଶ୍ଵକପରୁ ବାହାର କରି ପାରିବ BCCI, ଜାଣନ୍ତୁ କ'ଣ କହୁଛି ICC ନିୟମ ?

NEWS7
aryan-khan-will-remain-in-jail-for-now-court-rejects-bail-plea

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୬କୁ ଆଉ ପାଖାପାଖି ଗୋଟିଏ ମାସ ବାକି ରହିଛି। ଏହାକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ମାତ୍ର ବାଂଲାଦେଶର ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲ ୨୦୨୬ରୁ ବାହାର କରାଯିବାର ପ୍ରଭାବ ଏବେ ଟି-୨୦ ବିଶ୍ଵକପ୍ ଉପରେ ପଡ଼ିଛି। ନିଜ ଖେଳାଳିଙ୍କ ପ୍ରତି ବିସିସିଆଇର ଏମିତି ପଦକ୍ଷେପ ଦେଖି ବାଂଲାଦେଶ ନିଜର କ୍ରିକେଟ୍ ଟିମକୁ ଟି-୨୦ ବିଶ୍ଵକପ୍ ପାଇଁ ଭାରତ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ପରି ବାଂଲାଦେଶ ମଧ୍ୟ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳିବାକୁ ଆଇସିସିକୁ ଚିଠି ଲେଖିଛି। ଏହି ଘଟଣାକ୍ରମ ପୁଣି ଥରେ ଆଇସିସିର ନିୟମ ଓ ବିସିସିଆଇର ସାମର୍ଥ୍ୟକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି। କଣ ବିସିସିଆଇ କୌଣସି ଦେଶର କ୍ରିକେଟ୍ ଟିମକୁ ବିଶ୍ଵକପରୁ ବାହାର କରି ପାରିବ।

କଣ ବିସିସିଆଇ ବାହାର କରି ପାରିବ ?

ଏହି ପୂରା ଘଟଣାକ୍ରମ ମଧ୍ୟରେ ପ୍ରଶ୍ନ ଉଠୁଛି କଣ ବିସିସିଆଇ କୌଣସି ଦଳକୁ ବିଶ୍ଵକପ୍ରୁ ବାହାର କରି ପାରିବ ? ଏହାର ଉତ୍ତର ସ୍ପଷ୍ଟ ହେଉଛି ନା। ବିବିସିଆଇ ନିଃସନ୍ଦେହ ପ୍ରଭାବଶାଳୀ, ମାତ୍ର ସେ କୌଣସି ଦେଶର ଟିମକୁ ବିଶ୍ଵକପରୁ ବାହାର କରି ପାରିବ ନାହିଁ। ଏମିତି କରିବାର ଅଧିକାର କେବଳ ଆଇସିସି ପାଖରେ ରହିଛି ଏବଂ ତା ପୁଣି ନିୟମ ଆଧାରରେ। ଯଦି କୌଣସି ଦଳ ଖେଳିବାକୁ ମନା କରେ ତେବେ କେବଳ ଆଇସିସି ହିଁ ଉକ୍ତ ଟିମ୍ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବ।

ଆଇସିସିର ଭୂମିକା କଣ ?

ଏହି ପୂରା ବିବାଦରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଆଇସିସିର ରହିଛି। ଆଇସିସିର ନିୟମ ଅନୁଯାୟୀ, କୌଣସି ବି ଟିମ୍ ଟୁର୍ଣ୍ଣାମେଣ୍ଟ ନ ଖେଳିବାକୁ ମନା କରି ପାରିବେ ନାହିଁ। କୌଣସି ଦେଶ କିମ୍ବା ବୋର୍ଡକୁ ଏହି ଅଧିକାର ନୁହେଁ ଯେ ସେ ନିଜ ଦମରେ ମ୍ୟାଚ୍ ଆୟୋଜନ ସ୍ଥଳ ବଦଳାଇ ପାରିବ। ଯଦି କୌଣସି ଦଳ ସୁରକ୍ଷା କିମ୍ବା ଅନ୍ୟ ଠୋସ୍ କାରଣରୁ କୌଣସି ଦେଶରେ ଖେଳିବାକୁ ଅସମର୍ଥ ତେବେ ଆଇସିସି ଏହା ଉପରେ ବିଚାର କରିପାରେ। ଏ ପର୍ଯ୍ୟନ୍ତ ଆଇସିସି ପକ୍ଷରୁ ବାଂଲାଦେଶର ନିଷ୍ପତ୍ତି ଉପରେ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ। କୁହାଯାଉଛି ଆଇସିସି ସ୍ଥିତିର ସମୀକ୍ଷା କରିବା ପରେ କୌଣସି ଅନ୍ତିମ ନିର୍ଣ୍ଣୟ ନେବ।

ଯଦି ବାଂଲାଦେଶ ନ ଆସିଲେ କଣ ହେବ

ଯଦି ବାଂଲାଦେଶ ବାସ୍ତବରେ ଭାରତରେ ମ୍ୟାଚ୍ ଖେଳିବାକୁ ନ ଆସେ, ତେବେ ଆଇସିସି ପାଖରେ କିଛି ବିକଳ୍ପ ରହିଛି। ବାଂଲାଦେଶର ମ୍ୟାଚ୍ଗୁଡ଼ିକୁ ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରେ। କିମ୍ବା ଆଇସିସି ନିୟମ ଆଧାରରେ ବାଂଲାଦେଶ ଉପରେ ଜରିମାନା କିମ୍ବା ଅନୁଶାସନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ। କିନ୍ତୁ ସାଧାରଣତଃ ଆଇସିସି ଶତ ଚେଷ୍ଟା କରିଥାଏ ଯେ, କୌଣସି ବି ଟିମ୍ ଟୁର୍ଣ୍ଣାମେଣ୍ଟରୁ ବାହାରି ନ ଯାଉ।

ଟୁର୍ଣ୍ଣାମେଣ୍ଟ ଉପରେ କ’ଣ ପ୍ରଭାବ ପଡ଼ିବ ?

ଭାରତ, ପାକିସ୍ତାନ ଏବଂ ବର୍ତ୍ତମାନ ବାଂଲାଦେଶକୁ ନେଇ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ସ୍ପଷ୍ଟ କରିଛି ଯେ କ୍ରିକେଟ୍ ଆଉ କେବଳ ଏକ ଖେଳ ନୁହେଁ, ବରଂ ଏହା କୂଟନୀତି ଏବଂ ସୁରକ୍ଷାର ବିଷୟ ମଧ୍ୟ ପାଲଟିଛି। ଯଦି ଅଧିକ ଦଳ ନିରପେକ୍ଷ ସ୍ଥାନ ଦାବି କରିବା ଆରମ୍ଭ କରନ୍ତି, ତେବେ ଟୁର୍ଣ୍ଣାମେଣ୍ଟର ଯୋଜନା ଏବଂ ଦର୍ଶକଙ୍କ ଅନୁଭବ ପ୍ରଭାବିତ ହୋଇପାରେ। ତଥାପି ଟୁର୍ଣ୍ଣାମେଣ୍ଟର ସୁଗମ ପରିଚାଳନା ସୁନିଶ୍ଚିତ କରିବା ଉପରେ ଆଇସିସି ଗୁରୁତ୍ଵ ଦେଇଛି।