ଋଷିକେଶ ଏମ୍ସରେ ଗ୍ୟାଙ୍ଗଷ୍ଟର ବିନୟ ତ୍ୟାଗୀର ମୃତ୍ୟୁ, କୋର୍ଟ ଯିବା ବାଟରେ ହୋଇଥିଲା ଗୁଳିମାଡ଼

NEWS7
arvind-kejriwal-pressmeet-on-corona-situation

ନୂଆଦିଲ୍ଲୀ: ଋଷିକେଶ ଏମ୍ସରେ ଭର୍ତ୍ତି ହୋଇଥିବା ଗ୍ୟାଙ୍ଗଷ୍ଟର ବିନୟ ତ୍ୟାଗୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଲକ୍ସରରେ ତାକୁ ଦୁଇ ଜଣ ଅପରାଧୀ ଗୁଳି କରିଥିଲେ। ଗ୍ୟାଙ୍ଗଷ୍ଟର ବିନୟ ତ୍ୟାଗୀର ଅସ୍ତ୍ରୋପଚାର ଏମ୍ସ ଋଷିକେଶରେ କରାଯାଇଥିଲା। ଡାକ୍ତରଙ୍କ ଏକ ଦଳ ତାଙ୍କ ଛାତି, ବେକ ଏବଂ ହାତରେ ଲାଗିଥିବା ଗୁଳିଗୁଡ଼ିକୁ ବାହାର କରିଥିଲେ। ଗୁଳିର ଆଘାତ ଯୋଗୁଁ ତାର ଅନ୍ତନଳୀ ଫାଟି ଯାଇଥିଲା। ଗ୍ୟାଙ୍ଗଷ୍ଟରକୁ ICUର ଭେଣ୍ଟିଲେଟରରେ ରଖାଯାଇଥିଲା।

ବରିଷ୍ଠ ପୋଲିସ ଅଧୀକ୍ଷକ (ହରିଦ୍ୱାର) ପ୍ରମେନ୍ଦ୍ର ଡୋଭାଲ କହିଛନ୍ତି ଯେ, ତ୍ୟାଗୀ ମୃତ୍ୟୁ ପରେ ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩ (ହତ୍ୟା) ମାମଲାରେ ଯୋଡ଼ିଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନେ ନ୍ୟାୟିକ ହେପାଜତରେ ଅଛନ୍ତି। ସେମାନେ ପୋଲିସକୁ କହିଛନ୍ତି ଯେ, ଆର୍ଥିକ ବିବାଦକୁ ନେଇ ଗୁଳି ମାରିଥିଲେ ।

ମୁଜାଫରନଗରର ଖଇଖେରୀ ଗ୍ରାମର ବାସିନ୍ଦା ବିନୟ ତ୍ୟାଗୀକୁ ଲକ୍ଷ ଲକ୍ଷ ଟଙ୍କାର ନଗଦ ଏବଂ ଅଳଙ୍କାର ଚୋରି ମାମଲାରେ ଅକ୍ଟୋବର ୧ ତାରିଖରେ ଡେରାଡୁନ ପୋଲିସ ଗିରଫ କରିଥିଲା। ହରିଦ୍ୱାରରେ ପୂର୍ବରୁ ପଞ୍ଜିକୃତ ମାମଲା ଯୋଗୁଁ ତାକୁ ଡିସେମ୍ବର ୧୨ ତାରିଖରେ ରୁରକି ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଅପରାହ୍ନରେ, ଏକ ପୋଲିସ ଟିମ ତାକୁ ଶୁଣାଣି ପାଇଁ ଲକ୍ସର କୋର୍ଟକୁ ନେଇ ଯାଉଥିଲା।

ବିନୟ ତ୍ୟାଗୀ ସହିତ ଏକ ଟାଟା ସୁମୋ ଗାଡ଼ିରେ ଛଅ ଜଣ ପୋଲିସ କର୍ମଚାରୀ ଯାତ୍ରା କରୁଥିଲେ। ଲକ୍ସରର ଏକ ରେଳ ଓଭରବ୍ରିଜ୍ ଉପରେ ପୋଲିସ ଗାଡ଼ିଟି ଟ୍ରାଫିକ୍ ଜାମ୍ରେ ଫସି ଯାଇଥିଲା। ସେହି ମୁହୂର୍ତ୍ତରେ, ଏକ ମୋଟରସାଇକେଲରେ ଦୁଇଜଣ ମୁଖାପିନ୍ଧା ଅପରାଧୀ ପୋଲିସ ଗାଡ଼ି ଉପରେ ଗୁଳି ଚଳାଇଥିଲେ। ଆକ୍ରମଣ ପରେ, ଅପରାଧୀମାନେ ଫେରାର ହୋଇଯାଇଥିଲେ ।

ପୋଲିସ ଗାଡ଼ି ଉପରେ ଆଖିବୁଜା ଗୁଳି ଚଳାଇ କୁଖ୍ୟାତ ବିନୟ ତ୍ୟାଗୀକୁ ହତ୍ୟା କରିଥିବା ଦୁଇ ଆକ୍ରମଣକାରୀ ସନି ଯାଦବ ଓରଫ ଶେରା ଏବଂ ଅଜୟକୁ ଖାନପୁର ଅଞ୍ଚଳରୁ ପୋଲିସ ଗିରଫ କରିଛି। ଦୁହେଁ କାଶୀପୁର (ଉଧମ ସିଂହ ନଗର)ର ବାସିନ୍ଦା ।

ବିନୟ ତ୍ୟାଗୀ ମେରଠର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏବଂ କୁଖ୍ୟାତ ସୁନୀଲ ରାଠି ଗ୍ୟାଙ୍ଗ ସହିତ ଜଡିତ ବୋଲି କୁହାଯାଉଛି। ବିନୟକୁ ପ୍ରାୟ ଦେଢ଼ ମାସ ପୂର୍ବରୁ ଏକ ଚୋରି ମାମଲାରେ ଡେରାଡୁନ ପୋଲିସ ଗିରଫ କରିଥିଲା। ତା ବିରୁଦ୍ଧରେ ରୁରକି ଏବଂ ଲକ୍ସରରେ ମଧ୍ୟ ମାମଲା ରୁଜୁ ହୋଇଛି। ଲକ୍ସର ପୋଲିସ ଷ୍ଟେସନରେ ବିନୟ ତ୍ୟାଗୀ ଏବଂ ତା ସ୍ତ୍ରୀ ବିରୁଦ୍ଧରେ ୧ କୋଟି ଟଙ୍କାର ଠକେଇ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ମାମଲାରେ ତାକୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା।