କଂଗ୍ରେସ ପ୍ରଥମରୁ ଉଲଗ୍ନ...ଏଆଇ ସମିଟ୍‌ରେ ସାର୍ଟଲେସ୍ ପ୍ରଦର୍ଶନକୁ ନେଇ ମୋଦୀଙ୍କ ଟାର୍ଗେଟ୍‌

NEWS7
arushi-murder-case-file-to-be-reopen

ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ଭାରତୀୟ ଯୁବ କଂଗ୍ରେସର ସାର୍ଟଲେସ୍ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି । କଂଗ୍ରେସକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘କଂଗ୍ରେସ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ନିଜର ନଗ୍ନ ରାଜନୀତିର ମଞ୍ଚରେ ପରିଣତ କରିଥିଲା । ଦେଶର ଲୋକମାନେ ଜାଣନ୍ତି ଯେ, ଆପଣ (କଂଗ୍ରେସ) ପ୍ରଥମରୁ ଉଲଗ୍ନ ।’

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଦେଶରେ କିଛି ରାଜନୈତିକ ଦଳ ଅଛନ୍ତି ଯେଉଁମାନେ ଭାରତର ସଫଳତାକୁ ହଜମ କରିପାରୁନାହାନ୍ତି। ଭାରତରେ ବିଶ୍ୱର ସବୁଠାରୁ ବଡ଼ ଏଆଇ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁଁ ମେରଠର ଲୋକମାନଙ୍କୁ ପଚାରିବାକୁ ଚାହୁଁଛି, ଆପଣ ଏହି ଏଆଇ ସମ୍ମିଳନୀ ପାଇଁ ଗର୍ବିତ ଥିଲେ କି ନାହିଁ ? କିନ୍ତୁ କଂଗ୍ରେସ ଏବଂ ଏହାର ଇକୋସିଷ୍ଟମ କ'ଣ କଲା ? କଂଗ୍ରେସ ଭାରତର ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ଏହାର ମଇଳା ଏବଂ ନଗ୍ନ ରାଜନୀତି ପାଇଁ ଏକ ମଇଦାନରେ ପରିଣତ କରିଥିଲା । କଂଗ୍ରେସ ନେତାମାନେ ବିଦେଶୀ ଅତିଥିମାନଙ୍କ ସମ୍ମୁଖରେ ନଗ୍ନ ହୋଇ ସଭାସ୍ଥଳରେ ପହଞ୍ଚିଥିଲେ। ମୁଁ କଂଗ୍ରେସ ଲୋକଙ୍କୁ ପଚାରୁଛି ଯେ, ଦେଶ ଜାଣେ ଆପଣ ପୂର୍ବରୁ ନଗ୍ନ । ତେବେ ଆପଣମାନେ ଆପଣଙ୍କ ପୋଷାକ କଣ ପାଇଁ ବାହାର କରୁଥିଲେ ?’

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘କଂଗ୍ରେସ ନେତାମାନେ ଯାହା କରିଛନ୍ତି ତାହା ଦର୍ଶାଉଛି ଯେ, ଦେଶର ସବୁଠାରୁ ପୁରୁଣା ଦଳ କେତେ ଆଦର୍ଶଗତ ଭାବରେ ରୋଗଣ୍ ହୋଇଯାଇଛି। କେହି କଳ୍ପନା କରିପାରିବେ ନାହିଁ। ଆମେ ଏପରି ଲୋକ ଯେଉଁମାନେ ଗାଁରେ ବିବାହ ହେଲେ, ସମଗ୍ର ଗାଁ ଏହାକୁ ସଫଳ କରିବା ପାଇଁ ସମସ୍ତ ପ୍ରୟାସ କରେ । ଯାହା ଦ୍ୱାରା ଅତିଥିମାନେ ଗାଁର ଏକ ସକାରାତ୍ମକ ପ୍ରତିଛବି ସହିତ ବିଦାୟ ନେଇ ଯାଆନ୍ତି। କିନ୍ତୁ କଂଗ୍ରେସ ଦଳ ନିଜ ଦେଶକୁ କଳଙ୍କିତ କରିବାରେ ବ୍ୟସ୍ତ।’

କଂଗ୍ରେସକୁ କଟାକ୍ଷ କରି ମୋଦୀ କହିଛନ୍ତି, ‘କଂଗ୍ରେସ ନେତାମାନେ ମୋଦୀଙ୍କୁ ଘୃଣା କରନ୍ତି। ସେମାନେ ମୋ କବର ଖୋଳିବାକୁ ଚାହାଁନ୍ତି। ମୋ ମାଆଙ୍କୁ ଗାଳି ଦେବାକୁ ମଧ୍ୟ ପଛାନ୍ତି ନାହିଁ । ସେମାନେ ବିଜେପି-ଏନଡିଏ ବିରୋଧୀ । ତୁମା ପାଇଁ ରାଜନୀତିରେ ଏହା ଆବଶ୍ୟକ। ଆମେ ମଧ୍ୟ ଏହାକୁ ସହ୍ୟ କରିବୁ। କଂଗ୍ରେସ ମନେ ରଖିବା ଉଚିତ ଥିଲା ଯେ, ଏଆଇ ସମ୍ମିଳନୀ ବିଜେପି କାର୍ଯ୍ୟକ୍ରମ ନଥିଲା, କିମ୍ବା ସେଠାରେ କୌଣସି ବିଜେପି ନେତା ଉପସ୍ଥିତ ନଥିଲେ। ଏହା ଏକ ଜାତୀୟ କାର୍ଯ୍ୟକ୍ରମ ଥିଲା। କଂଗ୍ରେସ ସବୁ ସୀମା ଲଂଘଛି । ସମଗ୍ର ଦେଶ କଂଗ୍ରେସର କାର୍ଯ୍ୟଶୈଳୀ ଏବଂ ନୀତି ଉପରେ ଛେପ ପକାଉଛି ।’

ସୂଚନାଯୋଗ୍ୟ, ଶୁକ୍ରବାର (୨୦ ଫେବୃଆରୀ) ଯୁବ କଂଗ୍ରେସ କର୍ମୀମାନେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ପଶି ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧ କରି ବେକାରୀ, ମୁଦ୍ରାସ୍ଫୀତି ଏବଂ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ଉପରେ ସ୍ଲୋଗାନ ଦେଇଥିଲେ। କିଛି ପ୍ରଦର୍ଶନକାରୀ ଭାରତ ଏଆଇ ସମିଟ୍ ପ୍ରଦର୍ଶନୀ ବୋର୍ଡ ସମ୍ମୁଖରେ ସ୍ଲୋଗାନ ଦେବା ସମୟରେ ସେମାନଙ୍କର ସାର୍ଟ ଖୋଲି ଫଟୋ ଉଠାଇଥିଲେ।