Live Live
LIVE

Cuba suffering blackouts: କ୍ୟୁବାରେ ଘୋଟିଆସିଲା ଅନ୍ଧାକାର, ଟ୍ରମ୍ପଙ୍କ ଧମକ ପରେ ଦେଶରେ ଭୟଙ୍କର ପରିସ୍ଥିତି

NEWS7
aparajita-sarangi-met-cm-naveen-and-greet

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କ୍ୟୁବା ଉପରେ ନଜର ପକାଇବା ପରଠାରୁ ସେଠାକାର ସ୍ଥିତି ସଙ୍ଗୀନ ହୋଇପଡ଼ିଛି । କ୍ୟୁବାରେ ଏବେ ଶକ୍ତି ଏବଂ ଆର୍ଥିକ ସଙ୍କଟ ଉଗ୍ର ରୂପ ଧାରଣ କରିଛି । ଅନ୍ଧାର ଭିତରେ ବୁଡ଼ି ରହିଛି ଲାଟିନ ଆମେରିକୀୟ ଦ୍ବୀପ ଦେଶ କ୍ୟୁବା । ହଠାତ ପାଓ୍ବାରକଟ୍ ଲୋକଙ୍କୁ ଅନିଶ୍ଚିତତାକୁ ଭିତରକୁ ଠେଲିଦେଇଛି । ୧୧ ମିଲିୟନ ଲୋକ ଏବେ ଚିନ୍ତାରେ । କ୍ୟୁବାର ଶକ୍ତି ମନ୍ତ୍ରୀ କହିଛନ୍ତି, ଦେଶ ପାଓ୍ବାର ଗ୍ରୀଡ୍ରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଦେଶରେ ବ୍ଲାକଆଉଟ୍ ସ୍ଥିତି ଉପୁଜିଥିବାରୁ ଲୋକେ ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଛନ୍ତି ।

କ୍ୟୁବାରେ ବ୍ଲାକଆଉଟ୍ କାହିଁକି ?

Also Read: କଲୋମ୍ବିଆ, କ୍ୟୁବା ଏବଂ ମେକ୍ସିକୋକୁ ଟ୍ରମ୍ପଙ୍କ ଖୋଲା ଧମକ; ଏବେ ତୁମ ପାଳି !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭେନେଜୁଏଲାର ତୈଳ ଅବରୋଧ କରିବାରୁ କ୍ୟୁବା ଦୀର୍ଘ ସମୟ ଧରି ବ୍ଲାକଆଉଟ୍ ସମସ୍ୟାର ସମ୍ମୁଖୀନ ହେଉଛି । ଭେନେଜୁଏଲାରୁ କ୍ୟୁବା ସର୍ବାଧିକ ତୈଳ ଆମଦାନୀ କରୁଥିଲା । ଜାନୁଆରୀ ମାସରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପାଇଁ ଆମେରିକାର ଅଭିଯାନ କ୍ୟୁବାକୁ ଶକ୍ତ ଝଟକା ଦେଇଥିଲା। ସେବେଠାରୁ, ଟ୍ରମ୍ପ କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ ସମର୍ଥନ କରୁଛନ୍ତି ଏବଂ କ୍ୟୁବାକୁ ତେଲ ଯୋଗାଣ ବନ୍ଦ କରାଯାଇଛି।

ସେପଟେ କ୍ୟୁବାକୁ ତେଲ ବିକ୍ରୟ କରୁଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଲାଗୁ କରବେ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ମେକ୍ସିକୋ ଏବଂ ରୁଷ, କ୍ୟୁବାକୁ ତୈଳ ରପ୍ତାନୀ କରନ୍ତି । ଶୁକ୍ରବାର କ୍ୟୁବାରେ ବିଦ୍ୟୁତ୍ କାଟ ଏବଂ ଖାଦ୍ୟ ସାମଗ୍ରୀର ଉଚ୍ଚ ମୂଲ୍ୟ ମଧ୍ୟରେ ଏକ ହିଂସାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଦର୍ଶନକାରୀମାନେ ଶାସକ କମ୍ୟୁନିଷ୍ଟ ପାର୍ଟିର ଏକ କୋଠାରେ ଭଙ୍ଗାରୁଜା କରିଥିଲେ ।

କ’ଣ କହିଲେ କ୍ୟୁବା ରାଷ୍ଟ୍ରପତି ?

କ୍ୟୁବା ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲ ଶୁକ୍ରବାର କହିଛନ୍ତି ଯେ, କ୍ୟୁବା ତିନି ମାସ ଧରି ତୈଳ ଆମଦାନୀ କରିପାରି ନାହିଁ । ଦେଶ ସୌରଶକ୍ତି, ପ୍ରାକୃତିକ ଗ୍ୟାସ ଏବଂ ଥର୍ମୋଇଲେକ୍ଟ୍ରିକ୍ ପ୍ଲାଣ୍ଟ ଉପରେ ନିର୍ଭରଶୀଳ। ଡିଆଜ-କାନେଲ ଏହା ମଧ୍ୟ କହିଛନ୍ତି ଯେ, କ୍ୟୁବା ଏହାର ଶକ୍ତି ଏବଂ ଆର୍ଥିକ ସଙ୍କଟ ସମ୍ପର୍କରେ ଆମେରିକା ସହିତ ଆଲୋଚନା କରିଛି । ଆଲୋଚନା ଆରମ୍ଭ ହେବାର କିଛି ଦିନ ପରେ, କ୍ୟୁବାର ଉପପ୍ରଧାନମନ୍ତ୍ରୀ ଅସ୍କାର ପେରେଜ୍-ଓଲିଭା ଫ୍ରାଗା ସୋମବାର ଦିନ NBC ନ୍ୟୁଜ୍କୁ କହିଥିଲେ ଯେ, କ୍ୟୁବା ବିଦେଶରେ ରହୁଥିବା ଏହାର ନାଗରିକଙ୍କୁ କ୍ୟୁବାରେ ନିବେଶ ଏବଂ ବ୍ୟବସାୟ କରିବାକୁ ଅନୁମତି ଦେବାକୁ ଯୋଜନା କରୁଛି। ଏହି ନୀତିଗତ ପରିବର୍ତ୍ତନରେ ଆମେରିକାରେ ରହୁଥିବା କ୍ୟୁବାର ନାଗରିକ ମଧ୍ୟ ସାମିଲ ହେବେ।

କ୍ୟୁବା ଦଖଲ କରିବେ ଟ୍ରମ୍ପ !

କ୍ୟୁବାକୁ ଦଖଲ କରିବେ ବୋଲି ପୂର୍ବରୁ ଇସାରା କରିସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ୍ ଉପରେ ଆମେରିକା-ଇସ୍ରାଏଲର ମିଳିତ ଯୁଦ୍ଧ ପରେ କ୍ୟୁବାରେ ଶାସନ ପରିବର୍ତ୍ତନ ହେବ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି । ଏନେଇ ଟ୍ରମ୍ପ ରବିବାର କହିଥିଲେ ଯେ, କ୍ୟୁବା ଏକ ଚୁକ୍ତି କରିବାକୁ ଚାହୁଁଛି । ଆମେ ଶୀଘ୍ର ଏକ ଡିଲ କରିପାରୁ । ନଚେତ ଆମକୁ ଯାହା କରିବା ଦରକାର, କରିବୁ ।