ପୁରୀରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ରଥଯାତ୍ରା ପୂର୍ବ ପ୍ରସ୍ତୁତିର କଲେ ସମୀକ୍ଷା

NEWS7
another-twist-in-aditya-death-case

ପୁରୀ ୧୫।୩: ରଥଯାତ୍ରା ଦାୟିତ୍ବ ମିଳିବା ପରେ ପୁରୀରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ରଥଯାତ୍ରା ପୂର୍ବରୁ ସମସ୍ତ ପ୍ରସ୍ତୁତି ନେଇ ଏଡିଜିଙ୍କ ସମୀକ୍ଷା । ପୁରୀ ଏସପି ଏବଂ ଜିଲ୍ଲାପାଳଙ୍କ ସହିତ କଲେ ଆଲୋଚନା । ଜେବିପିସି ଓ ଟାଉନ ହଲ କଣ୍ଟ୍ରୋଲ ରୁମ୍ ଠାରେ କଲେ ଅନୁଧ୍ୟାନ । ରଥଯାତ୍ରା ସମୟରେ କିଭଳି ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ହେବ ସେନେଇ କରିଛନ୍ତି ସମୀକ୍ଷା ।

ରଥଯାତ୍ରା ଦାୟିତ୍ବ ମିଳିବା ପରେ ପୁରୀ ଆସି ସମୀକ୍ଷା କରିଛନ୍ତି ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ରବିବାର ସକାଳେ ସୌମେନ୍ଦ୍ର ପ୍ରିୟଦର୍ଶୀ ପୁରୀ ଗସ୍ତରେ ଆସି ପ୍ରଥମେ ଜେବିପିସି ଯାଇ ସେଠାରେ ଅନୁଧ୍ୟାନ କରିଥିଲେ । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସ୍‌ପି ପ୍ରତୀକ ସିଂଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତି ଥିଲେ । ପରେ ଟାଉନ ହଲ୍‌ ଠାରେ ଥିବା ପୋଲିସ କଣ୍ଟ୍ରୋଲ ରୁମ୍, ବାଗେଡିଆ ଧର୍ମଶାଳା ଠାରେ ଥିବା କଣ୍ଟ୍ରୋଲ ରୁମ୍‌କୁ ଯାଇ ଏଡିଜି ଅନୁଧ୍ୟାନ କରିଥିଲେ । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ବାହାରେ, ଭିତରେ, ବଡ଼ଦାଣ୍ଡରେ କିଭଳି ଶୃଙ୍ଖଳିତ ଭାବେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ସେନେଇ ସମୀକ୍ଷା କରିଥିଲେ ।

ଚଳିତବର୍ଷ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ ଜେବିପିସିରେ କରାଯିବା ନେଇ ବ୍ୟବସ୍ଥା କରାଯାଉଛି । ସେହିପରି ପର୍ଯ୍ୟାପ୍ତ ସିସିଟିଭି ବ୍ୟବସ୍ଥା, ପାର୍କିଂସ୍ଥଳୀ, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଓ ସୁବିଧାରେ ଯାତାୟତ ନେଇ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଏପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ବିଭିନ୍ନ ବିଭାଗ ନିଜର କାର୍ଯ୍ୟ ରଥଯାତ୍ରା ପୂର୍ବରୁ କିଭଳି ଠିକ୍ ଭାବେ ସମ୍ପାଦନ କରିବେ ସେନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଚଳିତ ବର୍ଷ ରଥଯାତ୍ରାରେ ଯେଭଳି ନହୁଏ ଏଥିଲାଗି ସମସ୍ତ ପ୍ରକାରର ଗୁରୁତ୍ବ ପ୍ରଶାସନ ପକ୍ଷରୁ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।