ବାଂଲାଦେଶରେ ହିନ୍ଦୁ ହତ୍ୟା ଜାରି, ପେଟ୍ରୋଲ ପମ୍ପରେ ଯୁବକଙ୍କୁ ଗାଡ଼ି ଚଢ଼େଇ ହତ୍ୟା କଲେ BNP ନେତା

NEWS7
another-odia-nishan-jyoti-mohanty-earned-name-in-world-hockey

ଢାକା ୧୭।୧: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଘଟଣା ଲଗାତାର ସାମ୍ନାକୁ ଆସୁଛି। ତାଜା ଘଟଣା ରାଜାବାଡୀ ଜିଲ୍ଲା ସଦର ଉପଜିଲ୍ଲାରେ ଘଟିଛି। ଏଠାକାର ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ହିନ୍ଦୁ ଯୁବକକୁ ଜାଣିଶୁଣି ଗାଡ଼ି ଚଢାଇ ହତ୍ୟା କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଘଟଣା ୧୬ ଜାନୁୟାରୀ ଶୁକ୍ରବାର ହୋଇଛି। ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି।

ମୃତକଙ୍କୁ ରିପନ ଶାହ (୩୦) ଭାବେ ଚିହ୍ନଟ କରାଯାଇଛି। ସେ ରାଜାବାଡୀ ଗୋଲନ୍ଦା ଛକ ନିକଟସ୍ଥ କରିମ ଫିଲିଂ ଷ୍ଟେସନରେ କାମ କରୁଥିଲା। କୁହାଯାଉଛି ଏକ ଗାଡ଼ି ମାଲିକ ପେଟ୍ରୋଲ ପମ୍ପରେ ତେଲ ଭରେଇବା ପରେ ପଇସା ନ ଦେଇ ପଳାଉଥିଲା। ରିପନ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କ ଉପରେ ଗାଡ଼ି ଚଢେଇ ଦେଇଥିବା ବେଳେ ଘଟଣାସ୍ଥଳରେ ରିପନଙ୍କର ମୃତ୍ୟୁ ହୋଇଛି।

ଘଟଣା ସମ୍ପର୍କରେ ପୋଲିସ ପୁଷ୍ଟି କରିଛି। କହିଛି ଗାଡି଼କୁ ଜବତ କରାଯାଇଛି ଓ ମାଲିକ ଅବୁଲ ହାସେମକୁ ଗିରଫ କରାଯାଇଛି। କୁହାଯାଉଛି ଅବୁଲ ହାସେମ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ରାଜବାଡୀ ଜିଲ୍ଲା ୟୁନିଟରେ ପୂର୍ବରୁ କୋଷାଧ୍ୟକ୍ଷ ଥିଲେ। ଗାଡ଼ି ଡ୍ରାଇଭର କମଲ ହୁସେନକୁ ମଧ୍ୟ ପୋଲିସ ଗିରଫ କରିଛି। ରାଜାବାଡୀ ସଦର ପୋଲିସ ଥାନା ଇନଚାର୍ଜ ଖୋଣ୍ଡକର ଜିୟାଉର ରହମାନ କହିଛନ୍ତି ଯେ ଏହା କୌଣସି ଦୁର୍ଘଟଣା ନଥିଲା, ସ୍ପଷ୍ଟ ରୂପେ ଏକ ହତ୍ୟା ମାମଲା।

ସେ କହିଛନ୍ତି ଯେ ଅଭିଯୁକ୍ତ ପଇସା ଦେବାକୁ ମନା କଲା ଓ ଘଟଣାସ୍ଥଳରୁ ପଳାୟନ କରିବା ପୂର୍ବରୁ ପୀଡ଼ିତ ତା ଗାଡ଼ି ଆଗରେ ଛିଡା ହୋଇଥିଲା। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ଏତିକିରେ ସୀମିତ ନାହିଁ। ଏହା ପୂର୍ବରୁ ଚଳିତ ସପ୍ତାହ ଆରମ୍ଭରେ ଫେନୀ ଜିଲ୍ଲାର ଡାଗନଭୂୟାଁ ଉପଜିଲ୍ଲାରେ ସମୀର ଦାସ ନାମକ ଜନୈକ ହିନ୍ଦୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା। ତାଙ୍କ ଶବ ଏକ ଖେତରୁ ମିଳିଥିଲା।

ଜାନୁୟାରୀ ୯ ତାରିଖରେ ବାଂଲାଦେଶରେ ହିନ୍ଦୁଙ୍କ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ମମ ଅତ୍ୟାଚାରକୁ ନେଇ ଭାରତ ଚିନ୍ତା ବ୍ୟକ୍ତ କରିଥିଲା। ଭାରତ କହିଥିଲା ଯେ ପରିସ୍ଥିତି ଉପରେ ନଜର ରଖା ଯାଇଛି ଓ ଆଶା କରାଯାଉଛି ବାଂଲାଦେଶ ସରକାର ଘଟୁଥିବା ଏପରି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବେ। ଏହା ଛଡା ମାନବାଧିକାର ସଙ୍ଗଠନମାନେ ମଧ୍ୟ ଏବେକା ଅନ୍ତରୀଣ ସରକାରରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଗୁରୁତର ଚ୍ୟାଲେଞ୍ଜ ପାଲଟିଥିବା କହିଛନ୍ତି।