ସୁନା ଅମୂଲ, ୨୪/୨୨ କ୍ୟାରେଟ୍ ବଦଳରେ ଏହି ସୁନାର ଡିମାଣ୍ଡ ରକେଟ୍ ବେଗରେ ବଢୁଛି

NEWS7
another-8299-covid-patients-has-been-discharged-in-odisha-on-10-06-21

ମୁମ୍ବାଇ ୨୭।୧୨: ଚଳିତ ବର୍ଷ ଭାରତରେ ସୁନା ମୂଲ୍ୟ ରେକର୍ଡ ସ୍ତରକୁ ଛୁଇଁଛି। ୨୬ ଡିସେମ୍ବର ଶୁକ୍ରବାର ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୫,୮୦୦ ଟଙ୍କା ବଢିଛି। କ୍ରିସମାସର ଦିନକ ପରେ ଦେଶରେ ଅଚାନକ ସୁନା ଦର ବଢିଯିବା ସମସ୍ତଙ୍କୁ ଚକିତ କରିଛି। ଏଥିରେ ସୁନା ମୂଲ୍ୟ ବର୍ଷର ସର୍ବୋଚ୍ଚ ସ୍ତରକୁ ଛୁଇଛି। ଏହି ସମୟରେ ହାଇଦ୍ରାବାଦରେ ସବୁଠୁ ଶସ୍ତା ସୁନା ପ୍ରତି ୧୦ ଗ୍ରାମ ୧,୪୦,୦୨୦ ଟଙ୍କାରେ କାରବାର ହୋଇଥିବା ବେଳେ ଚେନ୍ନାଇରେ ପ୍ରତି ୧୦ ଗ୍ରାମ ସବୁଠୁ ମହଙ୍ଗା ୧,୪୦,୬୨୦ ଟଙ୍କାରେ କାରବାର ହୋଇଛି।

ତେବେ ଏକ ରିପୋର୍ଟରୁ ଏ କଥା ମଧ୍ୟ ସାମ୍ନାକୁ ଆସିଛି ଯେ ଲୋକେ ଦର ବୃଦ୍ଧି ସତ୍ତ୍ୱେ ସୁନା କିଣିବାକୁ ପଛାଉ ନାହାନ୍ତି। ଅର୍ଥାତ ସ୍ୱର୍ଣ୍ଣାଳଙ୍କାର ବଜାରରେ ଏବେବି ସୁନା କିଣାବିକା ଜାରି ରହିଛି। ସୁନା କିଣିବା ପାଇଁ ଲୋକେ ଏକ ସ୍ମାର୍ଟ ଉପାୟ ଅବଲମ୍ବନ କରୁଛନ୍ତି। ସେମାନେ ୨୪ ଅଥବା ୨୨ କ୍ୟାରେଟ୍ ଶୁଦ୍ଧ ସୁନା ବଦଳେ ୧୪ ଓ ୧୮ କ୍ୟାରେଟ ସୁନାକୁ ପ୍ରାଥମିକତା ଦେଉଛନ୍ତି। ୧୮ ଓ ୧୪ କ୍ୟାରେଟ୍ ସୁନା ପ୍ରାୟତଃ ହୀରା ଜଡା ଗହଣାରେ ଉପଯୋଗ ହୁଏ। କାରଣ ଏହା ବହୁତ ମଜଭୁତ, ଏଥିରେ ଲାଗିଥିବା ମୂଲ୍ୟବାନ ରତ୍ନ ସହଜରେ ଖସି ଯାଏନି କି ଏହି ସୁନା ଭାଙ୍ଗେନି କି ମୋଡି ହୁଏନି। ତେବେ ଲୋକଙ୍କ ମାନସିକତାରେ ଏହି ପରିବର୍ତ୍ତନ ଏବେ ଭାରତୀୟ ସ୍ୱର୍ଣ୍ଣାଳଙ୍କର ବଜାରରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି। ସୁନା ମୂଲ୍ୟ ବୃଦ୍ଧିରେ ଲୋକେ ୧୪ ଓ ୧୮ କ୍ୟାରେଟ ସୁନା ଗହଣା କିଣାବିକା କରୁଛନ୍ତି।

ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ ୨୦୨୫ ଆରମ୍ଭରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୮୦,୦୦୦ ଟଙ୍କା ଥିଲା। ଏବେ ଏହା ୧.୪୨ ଲକ୍ଷ ଟଙ୍କାକୁ ପହଞ୍ଚିଛି। ୨ ବର୍ଷ ପୂର୍ବରୁ ବିବାହ ଭଳି ଉତ୍ସବରେ ଉପଯୋଗ ହେଉଥିବା ଗହଣାରେ ୨୨ କ୍ୟାରେଟ ଗୋଲ୍ଡ ପ୍ରାୟ ୭୫% ରହୁଥିଲା। ଏବେ ଏହା ୫୦%କୁ ହ୍ରାସ ହୋଇଛି। ଅନ୍ୟପଟେ ୧୪ ଓ ୧୮ କ୍ୟାରେଟ ଗୋଲ୍ଡର କିଣାବିକା ବଢିଛି। ବଜାର ବିଶେଷଜ୍ଞଙ୍କ କହିବା କଥା ହେଉଛି ସୁନାର ବଢୁଥିବା ମୂଲ୍ୟ କାରଣରୁ ଆଗାମୀ ସମୟରେ ବଜାରରେ ୧୪ ଓ ୧୮ କ୍ୟାରେଟ ସୁନାର ଚାହିଦା ବଢିକି ରହିବ। କାରଣ ସମସ୍ତଙ୍କ ପକ୍ଷେ ୨୨ କ୍ୟାରେଟ ସୁନା ଗହଣା କିଣିବା ସମ୍ଭବ ନୁହେଁ। ଏଣୁ ଏବେ ୧୪ ଓ ୧୮ କ୍ୟାରେଟ ଗୋଲ୍ଡ ବିକଳ୍ପ ଭାବେ ଉଭା ହୋଇଛି। କାରଣ ସ୍ୱର୍ଣ୍ଣାଳଙ୍କାର ବିନା ବିବାହ ଉତ୍ସବ ଫିକା।