ଉମର ଖାଲିଦଙ୍କୁ ହାତଲେଖା ଚିଠି ପଠାଇଲେ ନ୍ୟୁୟର୍କ ମେୟର ଜୋହରାନ ମମଦାନୀ, ଏଭଳି ଦାବି କଲେ ୮ ଆମେରିକୀୟ ସାଂସଦ

NEWS7
angul-doctor-beaten-by-police-demand-suspension-of-the-police-constable

ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦ ଆନ୍ଦୋଳନକାରୀ ଏବଂ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କ ପାଇଁ ଆମେରିକାରୁ ଚିଠି ଆସିଛି । ନ୍ୟୁୟର୍କର ନବନିଯୁକ୍ତ ମେୟର ଜୋହରାନ ମମଦାନୀ, ଉମରଙ୍କୁ ହାତଲେଖା ଚିଠି ପଠାଇଛନ୍ତି । ତାଙ୍କ ବ୍ୟତୀତ ୮ ଆମେରିକୀୟ ସାଂସଦ ମଧ୍ୟ ଉମର ଖାଲିଦଙ୍କୁ ମୁକ୍ତ କରିବାକୁ ଚିଠି ଲେଖିଛନ୍ତି । ଜାନୁଆରୀ ୧, ୨୦୨୬ରେ ମମଦାନୀ ମେୟର ଭାବରେ ଶପଥ ନେବା ପରେ ଏହି ଚିଠି ଆସିଛି। ଚିଠିରେ ମାମଦାନୀ ଉମରଙ୍କ ପ୍ରତି ଏକତା ଏବଂ ସମର୍ଥନ ପ୍ରକାଶ କରିଛନ୍ତି।

ମମଦାନୀ ଲେଖିଛନ୍ତି, ‘ପ୍ରିୟ ଉମର, ତୁମର ସେହି କଥାକୁ ମୁଁ ମନେ ରଖିଛି, ଯେଉଁଥିରେ ତୁମେ କହିଥିଲ ତିକ୍ତତାକୁ ନିଜ ଉପରେ ଭାରୀ ହେବାକୁ ଦିଅ ନାହିଁ । ତୁମର ପିତାମାତାଙ୍କୁ ଭେଟି ଖୁସି ଲାଗିଲା। ଆମେ ତୁମ ପାଇଁ ଚିନ୍ତିତ।’ମମଦାନୀଙ୍କ ପରେ, ଆଠ ଜଣ ଆମେରିକୀୟ ସାଂସଦ ଏବେ ଖାଲିଦଙ୍କ ସମର୍ଥନରେ ବାହାରିଛନ୍ତି। ବୁଧବାର ସେମାନେ ଭାରତ ସରକାରଙ୍କୁ ଏକ ଚିଠି ଲେଖି ଖାଲିଦଙ୍କ ମାମଲାର ଶୁଣାଣି ଅନ୍ତର୍ଜାତୀୟ ଆଇନ ଅନୁଯାୟୀ କରିବାକୁ ଦାବି କରିଛନ୍ତି।

ହାଉସ୍ ରୁଲ୍ସ କମିଟିର ରାଙ୍କିଂ ସଦସ୍ୟ ଏବଂ ଟମ୍ ଲାଣ୍ଟୋସ୍ ମାନବାଧିକାର କମିଟିର ସହ-ଅଧ୍ୟକ୍ଷ ଡେମୋକ୍ରାଟ୍ ଜିମ୍ ମ୍ୟାକଗଭର୍ନ କହିଛନ୍ତି ଯେ, ସେ ଏହି ମାସର ଆରମ୍ଭରେ ଉମର ଖାଲିଦଙ୍କ ପିତାମାତାଙ୍କୁ ଭେଟିଥିଲେ। ମ୍ୟାକଗଭର୍ନ ଆହୁରି କହିଛନ୍ତି, ‘ଖାଲିଦଙ୍କୁ ବିନା ବିଚାରରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଭାରତରେ ଜେଲରେ ରଖାଯାଇଛି। ମୋର ସହକର୍ମୀଙ୍କ ସହ, ମୁଁ ତାଙ୍କୁ ଜାମିନ ପ୍ରଦାନ କରିବାକୁ ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଏକ ସମୟୋଚିତ ଓ ନିରପେକ୍ଷ ନ୍ୟାୟ ଦେବାକୁ ଅନୁରୋଧ କରୁଛି।’

 

ଖାଲିଦଙ୍କ ପିତା-ମାତା ଡିସେମ୍ବର ୨୦୨୫ରେ ଆମେରିକା ଯାଇଥିଲେ। ସେମାନଙ୍କ ସାନ ଝିଅର ବିବାହରେ ତାଙ୍କ ବଡ଼ ଝିଅ ସାମିଲ ହୋଇପାରି ନଥିଲେ । ତେଣୁ ତାଙ୍କୁ ଭେଟିବାକୁ ସେମାନେ ଆମେରିକା ଯାଇଥିଲେ । ଖାଲିଦଙ୍କ ସାଥୀ ବାନୋଜ୍ୟୋତ୍ସ୍ନା ଲାହିରୀ କହିଛନ୍ତି ଯେ, ଉମରଙ୍କ ପିତାମାତା ଆମେରିକାରେ ମମଦାନୀଙ୍କ ସହିତ ବହୁତ ସମୟ ଆଲୋଚନା କରିଥିଲେ । ଜେଲରେ ଥିବା ଖାଲିଦଙ୍କ ଅବସ୍ଥା ବିଷୟରେ ତାଙ୍କୁ କହିଥିଲେ । ଏବେ ନ୍ୟୁୟର୍କର ଭାରତୀୟ ବାଂଶୋଦ୍ଭବ ମେୟର ଜୋହରାନ ମମଦାନୀଙ୍କ ଉମର ଖାଲିଦଙ୍କ ସମର୍ଥନରେ ଏହି ଚିଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ସୂଚନାଯୋଗ୍ୟ, ଉମର ଖାଲିଦଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଏବଂ ୟୁଏପିଏ ଅଧୀନରେ ଅନେକ ମାମଲା ରହିଛି । ସେ ଏବେ ତିହାର ଜେଲ୍ରେ ବନ୍ଦୀ ଅଛନ୍ତି । ଏହା ପୂର୍ବରୁ ୨୦୨୩ରେ ଜୋହରାନ ମମଦାନୀ ଉମର ଖାଲିଦଙ୍କ ଚିଠି ପଢ଼ିଥିଲେ । ଖାଲିଦଙ୍କୁ ବିନା ମକଦ୍ଦମାରେ ଦୀର୍ଘ ଦିନ ଧରି ଜେଲ୍ରେ ରଖାଯାଇଛି ବୋଲି କହିଥିଲେ ମମଦାନୀ । ମମଦାନୀ ମଞ୍ଚରୁ କହିଥିଲେ, ‘ମୁଁ ଉମର ଖାଲିଦଙ୍କ ଦ୍ୱାରା ଲିଖିତ ଏକ ଚିଠି ପଢିବାକୁ ଯାଉଛି। ସେ ଜଣେ ପୂର୍ବତନ JNU ଛାତ୍ର ଏବଂ କର୍ମୀ ଯିଏ ଭିଡ଼ ହିଂସା ଏବଂ ଘୃଣା ବିରୁଦ୍ଧରେ ଅଭିଯାନ ଚଳାଇଥିଲେ। ସେ ୧୦୦୦ ଦିନରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି। ସେ UAPA ଅଭିଯୋଗର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ବିଚାର ଆରମ୍ଭ ହୋଇନାହିଁ। ତାଙ୍କର ଜାମିନ ଅନେକ ଥର ନାମଞ୍ଜୁର ହୋଇଛି, ଏବଂ ତାଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି।’

ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍ ନେତା ଜୋହରାନ୍ ମମଦାନୀ ନ୍ୟୁୟର୍କର ମେୟର ହୋଇଛନ୍ତି। ନଭେମ୍ବର ୪, ୨୦୨୫ରେ ନ୍ୟୁୟର୍କ ସିଟି ମେୟର ନିର୍ବାଚନରେ ଜିତି ମମଦାନୀ ଇତିହାସ ସୃଷ୍ଟି କରିଥିଲେ । ମମଦାନନୀ ୧୦୦ ବର୍ଷ ମଧ୍ୟରେ ନ୍ୟୁୟର୍କର ସବୁଠାରୁ ଯୁବ ମେୟର, ପ୍ରଥମ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରଥମ ମୁସଲିମ ମେୟର। ମମଦାନୀ ହେଉଛନ୍ତି ଭାରତୀୟ ଜନ୍ମିତ ମୀରା ନାୟାରଙ୍କ ପୁଅ, ଯିଏ ମନସୁନ ୱେଡିଂ ଏବଂ ସଲାମ ବମ୍ବେ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ନିର୍ବାଚନରେ ବିଜୟ ପରେ, ମମଦାନୀ ବ୍ରୁକଲିନ୍ ପାରାମାଉଣ୍ଟ ଥିଏଟରରେ ସମର୍ଥକମାନଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ବିଜୟ ଭାଷଣରେ, ସେ ୧୫ ଅଗଷ୍ଟ, ୧୯୪୭ ମଧ୍ୟରାତ୍ରରେ ଜବାହରଲାଲ ନେହେରୁଙ୍କ ‘ଟ୍ରିଷ୍ଟ ୱିଥ୍ ଡେଷ୍ଟିନି’ ଭାଷଣର ଉଲ୍ଲେଖ କରିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ରାମା ଦୁୱାଜି, ବାପା ମହମୁଦ ମାମଦାନୀ ଏବଂ ମାଆ ମୀରା ନାୟାର ମଧ୍ୟ ଉପସ୍ଥିତ ଥିଲେ।