ନୂଆବର୍ଷରେ ଦର୍ଶନ କର, ଆଶିଷ ନିଅ, ଭାବର ଠାକୁରଙ୍କ ନୀତି ଭାଙ୍ଗନି: ବିଶ୍ବ ହିନ୍ଦୁ ପରିଷଦ କାହାକୁ କଲେ ଅନୁରୋଧ ?

NEWS7
ananya-pandy-will-attend-ncb-again-on-monday-in-the-link-of-drugs-case

ଭୁବନେଶ୍ବର: ଇଂରାଜୀ ନବବର୍ଷ ପାଳନ ପାଇଁ ମହାପ୍ରଭୁଙ୍କୁ ଅନିଦ୍ରା ନ ରଖିବାକୁ ଆହ୍ୱାନ କଲା ରାଜ୍ୟ ହିନ୍ଦୁ ବିଶ୍ୱ ପରିଷଦ।ସୋମବାର ଭୁବନେଶ୍ବରରେ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କ ରାତି ସାରା ମହାପ୍ରଭୁଙ୍କ ଦର୍ଶନ ନ କରିବା ପାଇଁ ନିବେଦନ କରିଛି ବିଏଚପି। ପ୍ରତିଦିନ ଯେପରି ନୀତି ହୁଏ ସେହିଭଳି ମହାପ୍ରଭୁଙ୍କ ପହଡ଼ ପକାଇବା ପାଇଁ ମନ୍ଦିର ପ୍ରଶାସକଙ୍କୁ ମଧ୍ୟ ଅନୁରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ।

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସମ୍ପାଦକ ମହେଶ କୁମାର ସାହୁ, ଶ୍ରୀ ମନ୍ଦିର ପ୍ରଶାସନ ପରିଚାଳନା କମିଟିର ସଭାପତି ଗଜପତି ମହାରାଜ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଏନେଇ ଚିଠି ଲେଖିଛନ୍ତି। ସେ କହିଛନ୍ତି ଠାକୁରଙ୍କ ଦର୍ଶନ କରିବା ପାଇଁ କୌଣସି ଆପତ୍ତି ନାହିଁ। କିନ୍ତୁ ପୂର୍ବରୁ ଚାଲୁଥିବା ରୀତି ନୀତି ଅନୁଯାୟୀ ଦର୍ଶନ କରିବା ଦରକାର।

ସାମ୍ବାଦିକ ସମ୍ମିଳନୀରେ ଆହୁରି କୁହାଯାଇଛି ଆବହମାନ କାଳରୁ ମହାପ୍ରଭୁଙ୍କ ସକଳ ପରମ୍ପରା ସନାତନ ଧର୍ମ ଶାସ୍ତ୍ର ଅନୁଯାୟୀ ଅନୁଷ୍ଠିତ ହୋଇ ଆସୁଅଛି। ହେଲେ କିଛି ବର୍ଷ ହେବ ଜାନୁଆରୀ-୧ ଇଂରାଜୀ ନବବର୍ଷ ପାଇଁ ଅର୍ଦ୍ଧରାତ୍ରିରେ ମନ୍ଦିର ଖୋଲିବା ଏକ ନିୟମିତ କାର୍ଯ୍ୟ ହୋଇଛି। ଯାହା ଧାର୍ମିକ ତଥା ହିନ୍ଦୁ ପରମ୍ପରା ଦୃଷ୍ଟିକୋଣରୁ ଆଦୌ ସମୀଚୀନ ନୁହେଁ। ଯେଉଁ କାରଣରୁ ପ୍ରତିବର୍ଷ ଧର୍ମ ଶାସ୍ତ୍ରବିତ ତଥା ପରମ୍ପରା ସଂସ୍କୃତି ସମ୍ପର୍କରେ କାର୍ଯ୍ୟ କରୁଥିବା କେତେକ ବ୍ୟକ୍ତି ତଥା ଅନୁଷ୍ଠାନଗୁଡ଼ିକ ଅସନ୍ତୋଷ ପ୍ରକାଶ କଲେଣି। ଏହା ଏକ ସମ୍ବେଦନଶୀଳ ବିଷୟ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ​

ପରିଷଦ ଆହୁରି କହିଛି ହିନ୍ଦୁ ମାନଙ୍କର ନୂତନ ବର୍ଷ ହେଉଛି ଚୈତ୍ର ମାସ ଶୁକ୍ଳ ପ୍ରତିପଦା। ଯାହାର ପୌରାଣିକ ଏବଂ ବୈଜ୍ଞାନିକ ସିଦ୍ଧାନ୍ତ ମଧ୍ୟ ରହିଛି। ତେଣୁ କ୍ୟାଲେଣ୍ଡରରେ ବଦଳୁଥିବା ତାରିଖ ଜାନୁଆରୀ ୧ ପାଇଁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ରାତ୍ରି ଅନିଦ୍ରା ନକରି ସ୍ବାଭାବିକ ଭାବରେ ମହାପ୍ରଭୁଙ୍କ ଦୈନନ୍ଦିନ ରୀତି ନୀତି ଅନୁଷ୍ଠିତ କରିବାକୁ ଅନୁରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ।