ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଆଫ୍ରିକୀୟ ଚିତା, ଖୁଆଡ଼ ନିର୍ମାଣ କାର୍ଯ୍ୟ ଆରମ୍ଭ

NEWS7
anaconda-orangutan-giraffe-brought-to-nandankanan-soon

ବାରଙ୍ଗ ୪।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଖୁବ୍‌ଶୀଘ୍ର ଆସିବ ଆଫ୍ରିକୀୟ ଚିତା । ଚିତା ଦେଖିବା ପାଇଁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିବ । ଚିତା ରହିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିସାରିଛି । ରହିବା ପାଇଁ ଅନୁମତି ମିଳିବା ପରେ ଖୁଆଡ଼ କାର୍ଯ୍ୟ ଆରମ୍ଭ ହୋଇଛି । ଚିତା ପାଇଁ ବାତ୍ତାନୁକୂଳ ପରିବେଶ ତିଆରି କରାଯାଉଛି । ଯେଉଁଠାରେ ଚିତା ସହଜରେ ରହିପାରିବ । ସେଥିପାଇଁ  ୧୮୫୨ ବର୍ଗ ମିଟର ଅଞ୍ଚଳରେ ଖୁଆଡ଼ ନିର୍ମାଣ ହେଉଛି । ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ୨୮୮ ବର୍ଗ ମିଟର ଅଞ୍ଚଳରେ ଚିତା ରହିବା ପାଇଁ ୬ଟି ଘର ତିଆରି ହେଉଛି । ଯେଉଁଠାରେ ଚିତା ରାତିରେ ରହିବ, ବିଶ୍ରାମ ନେଇପାରିବ । ମଝି ଭାଗରେ ଚିତା ବୁଲିବା ପାଇଁ ୧୩୫୨ ବର୍ଗମିଟର ସ୍ଥାନ ରହିଛି । ସେଥିରେ ଏକ ଛୋଟ ପୋଖରୀ ସହିତ ବଡ଼ ବଡ଼ ପଥର ରଖାଯିବ । ଚିତା ପୋଖରୀରୁ ପାଣି ପିଇବା ସହିତ ଖୋଲା ସ୍ଥାନରେ ବୁଲି ପାରିବ ।

ଅଧିକ ପର୍ଯ୍ୟଟକ ଚିତା ଦେଖିବା ପାଇଁ ୨୧୨ ବର୍ଗ ମିଟର ରେ ବଡ଼ ଗ୍ୟାଲେରୀ ତିଆରି ହେଉଛି । ଗ୍ୟାଲେରୀରେ ଥାଇଲାଣ୍ଡରୁ ୫ଟି କାଚ ଆସି ଲାଗିବ । ଯେଉଁଥିରେ ପର୍ଯ୍ୟଟକ ସୁବିଧାରେ ଅତି ନିକଟରୁ ଚିତାର ମଜା ନେଇପାରିବେ । ସେପଟେ ଆଫ୍ରିକାରୁ ଚିତା ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଆସନ୍ତା ଜୁନ୍‌ ମାସ ସୁଦ୍ଧା ଖୁଆଡ଼ କାର୍ଯ୍ୟ ଶେଷ ହେବା ପରେ ଚିତା ଆସିବ ।

ନନ୍ଦନକାନନ ପ୍ରାଣୀଉଦ୍ୟାନ ବିଶ୍ବ ସ୍ତରୀୟ ଚିଡ଼ିଆଖାନା ହେବା ପାଇଁ ଆଧୁନିକ  ଖୁଆଡ଼ ସହିତ ଦେଶ ବିଦେଶର ଜୀବଜନ୍ତୁ ଆସୁଛନ୍ତି । ୨୦୨୨ରେ  ଆଫ୍ରିକାରୁ ଚିତା ଅଣାଯାଇ ମଧ୍ୟପ୍ରଦେଶର କୁନା ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା । ଏବେ ନନ୍ଦନକାନନ ଆସିବେ ଆଫ୍ରିକୀୟ ଚିତା ।