ଭାରତକୁ ଡରୁଛି ଇସଲାମାବାଦ, ପାକିସ୍ତାନ ରାଷ୍ଟ୍ରପତି କହିଲେ- 'ପଡୋଶୀ ଦେଶ କରିପାରନ୍ତି ଯୁଦ୍ଧ, ଆମେ ଆଲୋଚନା ଚାହୁଁଛୁ'

NEWS7
an-earthquake-of-magnitude-3-8-on-the-richter-scale

ଲାହୋର, ୦୩ /୦୩: ଅପରେସନ ସିନ୍ଦୂର ପରେ ପାକିସ୍ତାନ ଭୟରେ ରହିଛି । ଭାରତ ପକ୍ଷରୁ ଆଉ ଏକ ସମ୍ବାବ୍ୟ ଆକ୍ରମଣ ନେଇ ଆଶଙ୍କା କରୁଛନ୍ତି ସେଠାକାର ନେତା । ଭାରତୀୟ ଅଧିକାରୀ ମଧ୍ୟ ଅପରେସନ ସିନ୍ଦୂର ଜାରି ରହିଥିବା କହୁଛନ୍ତି । କାଶ୍ମୀରରେ ଅନେକ ଆତଙ୍କବାଦୀଙ୍କୁ ସେନା ନିପାତ କରିବା ଜାରି ରଖିଛି । ଏସବୁ ଭିତରେ ଭାରତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀ ।

ସେ କହିଛନ୍ତି ଯେ, ଭାରତୀୟ ନେତାମାନେ ଖୋଲାଖୋଲି ଯୁଦ୍ଧ ବାବଦରେ ମତ ଦେଉଛନ୍ତି । ପାକିସ୍ତାନ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛି । ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନ ଯୁଦ୍ଧ ସପକ୍ଷରେ ନାହିଁ । ତେବେ ଜର୍ଦାରୀଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହାସହ ପାକିସ୍ତାନ ଉପରେ ଆଫଗାନିସ୍ତାନ ଏବଂ ବାଲୋଚ୍ ଆର୍ମୀ ଲଗାତର ଆକ୍ରମଣ କରୁଛନ୍ତି ।

ପାକ୍ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଆଫଗାନିସ୍ତାନ ଦୋହା ଚୁକ୍ତିକୁ ଉଲ୍ଲଙ୍ଘନ କରୁଛି । ଆଫଗାନ୍ ମାଟିରୁ ପାକ୍ ବିରୋଧରେ ଷଡଯନ୍ତ୍ର ହେଉଛି । କୌଣସି ଘରୋଇ କିମ୍ବା ବୈଦେଶିକ ଶକ୍ତିକୁ ପାକିସ୍ତାନର ଶାନ୍ତି ଭଙ୍ଗ କରିବାକୁ ଦିଆଯିବ ନାହିଁ । ଏହାସହ ସେ ଇରାନ ବିରୋଧରେ ଜାରି ସାମରିକ ଅଭିଯାନକୁ ବିରୋଧ କରିଛନ୍ତି । ସେ ଇରାନର ଅଖଣ୍ଡତାକୁ ସମର୍ଥନ କରୁଛନ୍ତି । ଖାମେନିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ଅନ୍ୟ ଦିଗରେ ଇରାନ ପାକିସ୍ତାନକୁ ଧମକ ଦେଇଛି । ପାକିସ୍ତାନର ବାୟୁସୀମାକୁ ଆମେରିକା ବ୍ୟବହାର କରୁଥିବା ଇରାନ ଅଭିଯୋଗ କରିଛି । ଯଦି ପାକିସ୍ତାନ ନିଜର ଆକାଶମାର୍ଗକୁ ନିୟନ୍ତ୍ରଣ ନକରେ ତାହାଲେ ଭଲ ହେବନି ବୋଲି ତେହେରାନ ଚେତାବନୀ ଦେଇଛି .