LIVE TV

ବିଲ୍ ମଞ୍ଜୁରୀରେ ଆଲୋଚନା ହେବା ଜରୁରି ; ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିପାରିବେନି କୋର୍ଟ

NEWS7
an-asi-of-punjab-police-met-suicide-after-murdering-his-sleeping-wife-at-jalandhar-cant

ନୂଆଦିଲ୍ଲୀ, ୨୦|୧୧: ରାଜ୍ୟପାଳ ସଙ୍ଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବା ଜରୁରୀ । ଆଲୋଚନା ମାଧ୍ୟମରେ କିପରି ରାଜ୍ୟପାଳ ବିଲକୁ ମଞ୍ଜୁରୀ ଦେବାରେ ସଫଳ ହେବେ ସେନେଇ ଗରୁତ୍ୱ ଦେବା ଆବଶ୍ୟକ । କିନ୍ତୁ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କୁ ବିଲର ମଞ୍ଜୁରୀ ନେଇ ସମୟସୀମା ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଚରାଯାଇଥିବା ୧୪ଟି ପ୍ରଶ୍ନରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ରାଷ୍ଟ୍ରପତିଙ୍କ ପ୍ରଶ୍ନ

ଧାରା ୧୪୩ ଆଧାରରେ ରାଷ୍ଟ୍ରପତି ସାମ୍ବିଧାନିକ ବେଞ୍ଚକୁ ୧୪ଟି ପ୍ରଶ୍ନ କରିଥିଲେ । ଯାହା ମଧ୍ୟରୁ ସବୁଠୁ ଗୁରୁଦ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା କି ରାଜ୍ୟପାଳ କୌଣସି ବିଲକୁ ମଞ୍ଜୁରି ପାଇଁ ମନ୍ତ୍ରିମଣ୍ଡଳର ପରାମର୍ଶ ଗ୍ରହଣ କରିବା ପାଇଁ ବାଧ୍ୟ ନା ନୁହେଁ । ଏହାସହ ଧାରା ୩୬୧ ଅନୁସାରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ କୋର୍ଟରେ ଜବାବ ରଖିବାକୁ ବାଧ୍ୟ ହେବେକି ବୋଲି ମହାମହିମ ପଚାରିଥିଲେ ।

ସୁପ୍ରିମକୋର୍ଟରେ ତାମିଲନାଡୁ ମାମଲା

ଗତ ଏପ୍ରିଲ ୮ ତାରିଖରେ ଜଷ୍ଟିସ ଜେବି ପରଡିଓ୍ୱାଲା ଏବଂ ଜଷ୍ଟିସ ଆର ମହାଦେବନଙ୍କ ବେଞ୍ଚ୍ ତାମିଲନାଡୁ ସରକାରଙ୍କ ଦ୍ୱାରା ଦାଖଲ ଏକ ମାମଲାର ଶୁଣାଣି କରିଥିଲେ । ଯାହା ତାମିଲନାଡୁ ଏବଂ ସେଠାକାର ରାଜ୍ୟପାଳଙ୍କ ମଧ୍ୟରେ ଥିଲା । ରାଜ୍ୟପାଳ ଜାଣିଶୁଣି ବିଲକୁ ମଞ୍ଜୁର କରୁନଥିବା ଏଥିରେ ଦର୍ଶାଯାଇଥିଲା । କୋର୍ଟ ଧାରା ୧୪୨କୁ ବ୍ୟବହାର କରି ମଞ୍ଜୁର ହୋଇନଥିବା ବିଲକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମଞ୍ଜୁର କିମ୍ବା ନାକଚ କରିବାକୁ କହିଥିଲେ ।

ଏହାସହ କୋର୍ଟ କହିଥିଲେ ଯେ, ସେମାନେ ରାଜ୍ୟପାଳଙ୍କ କ୍ଷମତାକୁ ସଙ୍କୁଚିତ କରୁନାହାଁନ୍ତି । କିନ୍ତୁ ସଙ୍ଘୀୟ ବ୍ୟବସ୍ଥାକୁ ସେ ସମ୍ମାନ ଦେବା ଜରୁରୀ । ବିଧାନସଭାକୁ ଜନତା ନିର୍ବାଚିତ କରି ପ୍ରତିନିଧିଙ୍କୁ ପଠାଇଥାନ୍ତି । ସରକାର ଜନତାଙ୍କ ପାଖରେ ଉତ୍ତରଦାୟୀ । ତେବେ କୋର୍ଟଙ୍କ ରାୟକୁ ନେଇ ବିବାଦ ବଢିଥିଲା । ଯାହା ପରେ ରାଷ୍ଟ୍ରପତି ସାମ୍ବିଧାନିକ ବେଞ୍ଚକୁ ଏନେଇ ୧୪ ପ୍ରଶ୍ନ କରିଥିଲେ ।

ଏବେ କ’ଣ କହିଲେ ସୁପ୍ରିମକୋର୍ଟ ?

୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ ଯେ, କୌଣସି ନିଷ୍ପତ୍ତିରେ ରାଜ୍ୟପାଳଙ୍କୁ ବ୍ୟକ୍ତିଗତ ଭାବେ ଆଇନ ଅନୁଯାୟୀ ଦାୟୀ କରାଯାଇପାରିବ ନାହିଁ । କିନ୍ତୁ କୋର୍ଟ ନିଷ୍ପତ୍ତି ଉପରେ ନଜର ରଖିପାରିବେ । ତାଙ୍କ ଉପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଲର ମଞ୍ଜୁରୀ ନେଇ ନିର୍ଦ୍ଦେଶ ଲଦି ଦିଆଯାଇପାରିବ ନାହିଁ । କିନ୍ତୁ ଏକ ଉଚିତ ସମୟ ସୀମାରେ ବିଲ୍ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ ।

ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ଧାରା ୨୦୦ ଏବଂ ୨୦୧କୁ ନେଇ ପ୍ରଶ୍ନ କରିପାରିବେ । କିନ୍ତୁ ମଞ୍ଜୁରୀ ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ରାଜ୍ୟପାଳଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶ୍ନ କରାଯାଇପାରିବ ନାହିଁ । ରାଜ୍ୟପାଳ ନିଜ ଇଚ୍ଛାନୁସାରେ ବିଲକୁ ମଞ୍ଜୁରୀ କିମ୍ବା ଫେରସ୍ତ କରିପାରିବେ । ସମ୍ବିଧାନର ଏହି ଅଧିକାରକୁ ଛଡାଇ ନିଆଯାଇପାରିବ ନାହିଁ ।

ପୂର୍ବରୁ ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ ଯେ, ରାଜ୍ୟପାଳ କୌଣସି ବିଲକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଲେ ସେ ବିଲର ସାମ୍ବିଧାନିକ ବୈଧତା ବାବଦରେ ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ କରିବା ଉଚିତ । କିନ୍ତୁ ଗୁରୁବାର ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ପୂର୍ବରୁ ଦୁଇ ଜଣିଆ ବେଞ୍ଚର ଆଦେଶକୁ ଖାରଜ କରିଦେଇଛନ୍ତି ।

କୋର୍ଟ କହିଛନ୍ତି ୟେ, ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଲ୍‌ର ମଞ୍ଜୁରକୁ ଘୁଞ୍ଚାଇପାରିବେ ନାହିଁ । ଏହା ଭାରତର ସଙ୍ଘୀୟ ବ୍ୟବସ୍ଥା ଉପରେ ଆଧାରିତ । ରାଜ୍ୟପାଳ ବିଲ ବାବଦରେ ବିଧାନସଭା ସହ ଆଲୋଚନା କରିପାରିବେ । କେଉଁ କାରଣ ପାଇଁ ବିଲ୍ ଉପରେ ମୋହର ମାରି ନାହାଁନ୍ତି ସେନେଇ ମଧ୍ୟ ରାଜ୍ୟ ବିଧାନସଭା ସହ ଆଲୋଚନା କରିପାରିବେ ।