କଳାହାଣ୍ଡି ଜିଲ୍ଲା ପାଇଁ ୮୯୧.୩୯ କୋଟି ଟଙ୍କା ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

NEWS7
among-the-last-3-corona-positives-in-the-state-are-5-and-7-year-old-girls

ଭୁବନେଶ୍ଵର: ଘୁମୁରା ମହୋତ୍ସବ ୨୦୨୬ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ୮୯୧.୩୯ କୋଟି ଟଙ୍କାର ୩୬୧୨ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୯୩.୩୬ କୋଟି ଟଙ୍କାର ୯୭୧ଟି ପ୍ରକଳ୍ପର ଉଦ୍ଘାଟନ ଓ ୬୯୮.୩ କୋଟି ଟଙ୍କା ମୂଲ୍ୟର ୨୬୪୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି । କଳାହାଣ୍ଡି ଓଡ଼ିଶାର ସବୁଠାରୁ ସମୃଦ୍ଧ ସାଂସ୍କୃତିକ ଅଞ୍ଚଳ ମଧ୍ୟରୁ ଅନ୍ୟତମ । କଳାହାଣ୍ଡି ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ଭରି ରହିଛି ଭାବନା, ସାହସ, ସ୍ଥିରତା ଏବଂ ଆତ୍ମସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଳାହାଣ୍ଡି ଘୁମୁରା ମହୋତ୍ସବ ୨୦୨୬ ଉଦ୍ଯାପନୀ ସନ୍ଧ୍ୟାରେ ଯୋଗ ଦେଇ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୨୦ କୋଟି ଟଙ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅର୍ଥାତ୍ ଦେଢ଼ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଗଲା । ଏହିସବୁ ପ୍ରକଳ୍ପ ଗୁଡ଼ିକ କଳାହାଣ୍ଡିର ବିକାଶକୁ ଆହୁରି ଗତି ଦେବ ବୋଲି ସେ କହିଥିଲେ।

Image

ଏହି ଅବସରରେ ଜିଲ୍ଲାରେ ଉତେଇ ରାଉଳ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ୩,୩୨୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ସେ କହିଥିଲେ । ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି ଏବଂ ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହିତ କଳାହାଣ୍ଡିରୁ ନବରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳକୁ କପା ଉତ୍ପାଦନ କ୍ଲଷ୍ଟର୍ ଭାବେ ପରିଣତ କରାଯିବ ବୋଲି ସେ ଘୋଷଣା କରିଥିଲେ । ଜିଲ୍ଲାର ବେଲ୍ଗାମ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବା ସହିତ ସାଣ୍ଡୁଲ ବ୍ୟାରେଜ୍ କାମ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ ।କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ୱର ସ୍ଥାନରେ ସ୍ଥାନୀତ କରିବା ପାଇଁ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ଭବାନୀପାଟଣା ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନର ସରକାର ହେଉଛି ଲୋକଙ୍କ ସରକାର । ସମସ୍ତଙ୍କ ବିକାଶ ଓ କଲ୍ୟାଣ ପାଇଁ ଉଦ୍ୟମ ଜାରି ରହିଛି । ରାଜ୍ୟ ସରକାର କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଧାନରେ ୮୦୦ ଟଙ୍କା ଇନପୁଟ୍ ସହାୟତା, ପିଏମ କିଷାନ ଓ ସିଏମ କିଷାନରେ ୧୦ ହଜାର ଟଙ୍କା, ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ସହାୟତା ମିଶାଇଲେ ଗୋଟିଏ କୃଷକ ପରିବାର ବର୍ଷକୁ ପ୍ରାୟ ୭୧ ହଜାର ଟଙ୍କା ଅଧିକ ରୋଜଗାର କରୁଛି । ତେଣୁ କୃଷକର ଆତ୍ମବିଶ୍ୱାସ ବୃଦ୍ଧି ହୋଇଛି । ଚାଷୀ ଏବେ ପୁଣି ବିଲକୁ ଫେରିଛି । ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଗତବର୍ଷ କଳାହାଣ୍ଡି ଜିଲ୍ଲାରେ ୧,୧୨,୦୦୦ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ୧,୨୧,୦୦୦ ଚାଷୀ ପଞ୍ଜୀକରଣ କରିଛନ୍ତି।

ଧାନ ସଂଗ୍ରହ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ସରକାର ସବୁବେଳେ ତତ୍ପର ଅଛନ୍ତି । କେନ୍ଦ୍ର ସରକାର ମଧ୍ୟ ୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠେଇବା ପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସରକାର ଛୋଟ ବଡ଼ ସମସ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା କରୁଛନ୍ତି । ସମସ୍ତଙ୍କ ସହଯୋଗରେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Image

ଜିଲ୍ଲାବାସୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଦାୟିତ୍ୱ ନେବା ପରଠାରୁ ରାଜ୍ୟର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିଆସୁଛି । ଆମର ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ, ସବୁ ଅଞ୍ଚଳ ପାଇଁ ଉତ୍ତମ ରାସ୍ତା, ପ୍ରତି ପରିବାରକୁ ସ୍ୱଚ୍ଛ ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମଜବୁତ ଭିତ୍ତିଭୂମି ଏବଂ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ ବିକାଶ କିଭଳି ପହଞ୍ଚିବ, ତାହା ହେଉଛି ଆମ ସରକାରର ପ୍ରାଥମିକତା ।

ସେ ପୁଣି କହିଥିଲେ ଆମ ସରକାର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମନ୍ତ୍ର ବିକାଶ ଭି, ବିରାଶତ ଭି, କୁ ଆଧାର କରି ରାଜ୍ୟର ବିକାଶ ସହିତ ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ଆଗେଇ ନେବାପାଇଁ ଉଦ୍ୟମ ଅବ୍ୟାହତ ରଖିଛି । ଆମ ସରକାର ପାଇଁ ଓଡ଼ିଶାର ପ୍ରତ୍ୟେକଟି ଜିଲ୍ଲା ହେଉଛି ସମାନ । ଆମେ ରାଜ୍ୟର ସନ୍ତୁଳିତ ବିକାଶ ଉପରେ ଗୁରୁତ୍ୱ ଦେଇ କାମ କରୁଛୁ । ଆଗାମୀ ଦିନରେ ରାଜ୍ୟରେ ଶିଳ୍ପାୟନ ହେବ, କେବଳ ଉପକୂଳବର୍ତ୍ତୀ ଜିଲ୍ଲାରେ ନୂହେଁ ସବୁ ଜିଲ୍ଲାରେ ହେବ । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଆହୁରି ଅଧିକ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସେ କହିଥିଲେ ।

Image​​​​​​​

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୁମୁରା ୨୦୨୬ର ସ୍ୱତନ୍ତ୍ର ସ୍ମରଣିକା ‘କଳାଝରଣ’ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ କହିଥିଲେ ଯେ, କଳାହାଣ୍ଡି ହେଉଛି ଐତିହ୍ୟ, କଳା, ସଂସ୍କୃତିର ମାଟି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କଳାହାଣ୍ଡି ଆଜି ବିକାଶ ପଥରେ ଆଗଉଛି । ୨୦୩୬ ସୁଦ୍ଧା କଳାହାଣ୍ଡି ଯେପରି ରାଜ୍ୟର ଶ୍ରେଷ୍ଠ ଜିଲ୍ଲାରେ ପରିଣତ ହେବ, ସେଥିପାଇଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ବାରମ୍ୱାର ଯାଇ ଲୋକଙ୍କ ସହିତ ମିଶୁଛନ୍ତି, ଯାହା ଭାରତବର୍ଷରେ ବିରଳ । ଖୁସିର କଥା, ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ବିକାଶ ପାଇଁ ସକରାତ୍ମକ ଅଛନ୍ତି । ତେଣୁ କଳାହାଣ୍ଡିକୁ ଏକ ନମ୍ୱର ସ୍ଥାନରେ ରଖିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ନିମନ୍ତ୍ରଣ ରକ୍ଷା କରି କଳାହାଣ୍ଡି ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କଳାହାଣ୍ଡିର ସମୃଦ୍ଧ ସଂସ୍କୃତି ବିଷୟରେ ବର୍ଣ୍ଣନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ରଞ୍ଜନ ପାଟଯୋଶୀ, ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ସ୍ୱାଗତ ଭାଷଣ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ ।