ବାଲିଯାତ୍ରା ୨୦୨୫
LIVE TV

Delhi Blast: ପୋଲିସ ହେପାଜତରେ i-20 କାରର ମାଲିକ ସଲମାନ, ଚାଲିଛି ଜେରା

NEWS7
amit-shah-gets-additional-charge-of-ministry-of-cooperation-in-new-modi-cabinet

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଲକିଲ୍ଲା ନିକଟରେ ସୋମବାର ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣାରେ ତଦନ୍ତକୁ ଜୋରଦାର କରାଯାଇଛି। ବିସ୍ଫୋରଣରେ ଯେଉଁ କାର ବ୍ୟବହୃତ ହୋଇଥିବା କଥା ସାମ୍ନାକୁ ଆସିଛି, ସେହି i-20 କାରଟି ସଲମାନ ନାମକ ବ୍ୟକ୍ତିଙ୍କ ନାଁରେ ପଞ୍ଜିକୃତ ଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର ମାଲିକ ସଲମାନଙ୍କୁ ନିଜ ହେପାଜତକୁ ନେଇ ପଚରା ଉଚୁରା କରୁଛି।

ତେବେ ପଚରା ଉଚୁରା ସମୟରେ ସଲମାନ ପୋଲିସକୁ ଜଣାଇଛି ଯେ, ସେ ଏହି କାରକୁ ଅନ୍ୟ ଜଣଙ୍କୁ ବିକ୍ରି କରି ଦେଇଥିଲା। ଏବେ କେସରେ ପ୍ରକୃତ ମାଲିକର ସନ୍ଧାନ ପାଇଁ ପୋଲିସ ଆରଟିଓ(ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ) ସହ ଯୋଗାଯୋଗ କରୁଛି।  ଆରଟିଓ ରେକର୍ଡରୁ କାରର ବିକ୍ରି ଓ ହସ୍ତାନ୍ତରକୁ ନେଇ ଯାଞ୍ଚ ଚାଲିଛି। ଯଦ୍ଵାରା ଜଣା ପଡ଼ିବ, ବିସ୍ଫୋରଣ ସମୟରେ କାର କାହା କବଜାରେ ଥିଲା ଏବଂ ଏହାର ପ୍ରକୃତ ମାଲିକ କିଏ। ପୋଲିସ ଏହା ସୁନିଶ୍ଚିତ କରିବାକୁ ଚାହୁଁଛି ଯେ, ବିସ୍ଫୋରଣ ପଛରେ ପ୍ରକୃତ ଦୋଷୀ ନିକଟରେ ପହଞ୍ଚିବା ପାଇଁ କାରର ବର୍ତ୍ତମାନ ମାଲିକର ସଠିକ୍ ଚିହ୍ନଟ କରାଯିବ।

ଦିଲ୍ଲୀ ଧମାକା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ସୁଭାଷ ମାର୍ଗ ଟ୍ରାଫିକ ସିଗ୍ନାଲରେ ଆଇ-ଟ୍ଵେଣ୍ଟି କାରରେ ବିସ୍ଫୋରଣ ଘଟିଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ଏବଂ କିଛି ବାହନ କ୍ଷତିଗ୍ରସ୍ତ ହୋଇଛି। ଉଲ୍ଲେକନୀୟ ସୋମବାର ସନ୍ଧ୍ୟାରେ ଦିଲ୍ଲୀର ରାଜଧାନୀରେ ଲାଲକିଲ୍ଲା ନିକଟରେ ଏକ କାରରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ଦୁର୍ଘଟଣାସ୍ଥଳରେ ଏନଆଇଏ ଅନ୍ୟ ଏଜେନ୍ସି ସହ ମିଶି ତଦନ୍ତ ଚଳାଇଛି।