ଉଷ୍ମାନ ହାଦୀକୁ ତସ୍ଲିମା ନସରିନ କହିଲେ ଜିହାଦୀ ଓ ବାଂଲାଦେଶକୁ କହିଲେ ଜିହାଦୀସ୍ତାନ

NEWS7
ambulance-worker-carries-pregnant-woman-in-stretcher-in-sambalpur

ନୂଆଦିଲ୍ଲୀ ୧୯।୧୨: ବାଂଲାଦେଶରେ ଉଷ୍ମାନ ହାଦୀ ମୃତ୍ୟୁ ପରେ ଉପୁଜିଥିବା ହିଂସାକୁ ନେଇ ଲେଖିକା ତସ୍ଲିମା ନସରୀନ ପ୍ରତିକ୍ରିୟା ଦେଇଛନ୍ତି। ନସରୀନ ହାଦୀକୁ ଜିହାଦୀ ବୋଲି କହିଥିବା ବେଳେ ବାଂଲାଦେଶକୁ ଜିହାଦୀସ୍ତାନ ବୋଲି କହିଛନ୍ତି। ନସରୀନଙ୍କ ଅନୁସାରେ ବାଂଲାଦେଶରେ ଯାହା ବି ହେଉଛି ତାହା ସାଧାରଣ ନୁହେଁ। ମୌଳବାଦୀ ସାରା ଦେଶକୁ ଏବେ ଜଳାଇବାରେ ଲାଗିଛନ୍ତି। ନସରୀନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଲେଖିଛନ୍ତି ଯେ ଜଣେ ଜିହାଦୀର ମୃତ୍ୟୁରେ ହଜାର ହଜାର ଜିହାଦୀ ପୁରା ବାଂଲାଦେଶରେ ଉପଦ୍ରବ କରୁଛନ୍ତି।

ନସରୀନ ଲେଖିଛନ୍ତି ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ଜଣେ ଜିହାଦୀଙ୍କ କାରଣରୁ ଗଛରେ ଟଙ୍ଗାଇ ଜଳାଇ ଦିଆଗଲା, ଏଥି ପାଇଁ କାହାର ହାତ ଥରିନଥିଲ କି କାହା ମନରେ ଦୟା ବି ଆସିନଥିଲା। ସମସ୍ତେ ସ୍ଲୋଗାନ ଦେଉଥିଲେ –‘ନାରା ଏ ତକବିର ଆଲ୍ଲା ଓ ଅକବର’ ଏହା ଜିହାଦୀସ୍ତାନର ଅସଲ ଛବି ଅଟେ। ଉଷ୍ମାନ ହାଦୀ ଇକବାଲ ମଞ୍ଚର ମୁଖପାତ୍ର ଥିଲା। ବାଂଲାଦେଶରେ ଜୁଲାଇ ୨୦୨୪ରେ ହୋଇଥିବା ହଙ୍ଗାମାରେ ହାଦୀର ମୁଖ୍ୟ ଭୂମିକା ଥିଲା। ଏହି ଆନ୍ଦୋଳନ ଯୋଗୁ ଶେଖ ହସିନାଙ୍କ ସରକାର ଭାଙ୍ଗି ଯାଇଛି। ହାଦୀ ଆଗାମୀ ନିର୍ବାଚନରେ ଢାକା-୮ ସିଟରୁ ଲଢିବାକୁ ପ୍ରସ୍ତୁତି କରୁଥିଲା।

ଏହି ଆସନରେ ନିର୍ବାଚନ ପ୍ରଚାର କରିବା କାଳରେ ଦୁଇଜଣ ଯୁବକ ମୋଟର ସାଇକେଲରେ ଆସି ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ୭ ଦିନ ପୂର୍ବରୁ ଗୁଳି କରିଥିଲେ। ବାଂଲାଦେଶ ସରକାରଙ୍କ ପକ୍ଷରୁ ଢାକା ଓ ସିଙ୍ଗାପୁରରେ ତାର ଚିକିତ୍ସା କରାଯାଇଥିଲା। ହେଲେ ତାର ମୃତ୍ୟୁ ହୋଇଛି। ଗୁରୁବାର ହାଦୀର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସାରା ଦେଶରେ ହିଂସାକାଣ୍ଡ ଘଟିଛି। ଢାକା ଓ ଚଟଗ୍ରାମ ସମେତ ଦେଶର ଅନେକ ଅଞ୍ଚଳରେ ହିଂସା ଦେଖା ଯାଇଛି।

ଉତ୍ତେଜିତ ଲୋକେ ଢାକାରେ ଦୁଇଟି ସମ୍ବାଦପତ୍ର କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ସେହିପରି ଚଟଗାଁରେ ଭାରତର ସହାୟକ ଦୂତାବାସ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ତେବେ ଏହି ହିଂସାରୁ ରାଜନୈତିକ ଦଳମାନେ ନିଜକୁ ପୃଥକ କରି ନେଇଛନ୍ତି। ହାଦୀ ଯେଉଁ ସଙ୍ଗଠନ ପାଇଁ କାମ କରୁଥିଲା ସେହି ସଙ୍ଗଠନ କହୁଛି ଆମେ ଜାଣିନୁ ଉପଦ୍ରବୀ କିଏ। ସେହିପରି ଜମାତ ଓ ବିଏନପି ଭଳି ରାଜନୈତିକ ଦଳମାନେ ଏହି ଘଟଣାରୁ ନିଜକୁ ପୃଥକ କରିଛନ୍ତି। ଅନ୍ୟପଟେ ଢାକା ଓ ଚଟଗାଁର ଅଧିକାଂଶ ଅଞ୍ଚଳକୁ ସେନା ଏବେ ନିଜ ନିୟନ୍ତ୍ରଣକୁ ନିଆଯାଇଛି।