LIVE TV

ପୁରୁଣା ବାହନ ଚଳାଉଛନ୍ତି କି? ଏବେ ପକେଟ ଉପରେ ପଡିବ ବର୍ଦ୍ଧିତ ଫିଟନେସ୍ ଫି ପ୍ରଭାବ

NEWS7
ambanis-wealth-beats-tech-giants-elon-musk-and-google-founders

ନୂଆଦିଲ୍ଲୀ ୧୯।୧୧: ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ (ଏମଓଆରଟିଏଚ) ସାରା ଦେଶରେ ଭେଇକ୍ଲ ଫିଟନେସ୍ ଟେଷ୍ଟ ଫିରେ ସଂଶୋଧନ କରିଛନ୍ତି। ଏବେ ନୂଆ ଫିକୁ ବୃଦ୍ଧି କରାଯାଇଛି, କିଛି ମାମଲାରେ ଏହା ୧୦ ଗୁଣା ପର୍ଯ୍ୟନ୍ତ ବଢି ଯାଇଛି। କେନ୍ଦ୍ରୀୟ ମୋଟରବାହନ ନିୟମ( ପଞ୍ଚମ ସଂଶୋଧନ) ଅନୁସାରେ ଅଧୁସୂଚିତ ସଂଶୋଧନ ତୁରନ୍ତ ପ୍ରଭାବ ସାରା ଦେଶରେ ଲାଗୁ ହେବ ଓ ସବୁ ଭେଇକ୍ଲ କ୍ୟାଟଗରୀ ପାଇଁ କାର୍ଯ୍ୟକାରୀ ହେବ। ଏହି ପରିବର୍ତ୍ତନରେ ଏକ ହାଇଫିଟନେସ୍ ଫି ଲାଗି ଆୟୁ ସୀମାକୁ କମ କରାଯିବ।

ପୂର୍ବରୁ ବର୍ଦ୍ଧିତ ଶୁଳ୍କ କେବଳ ୧୫ ବର୍ଷରୁ ଅଧିକ ପୁରୁଣା ବାହନ ଉପରେ ଲାଗୁ ହେଉଥିଲା। ହେଲେ ନୂଆ ଢାଞ୍ଚାରେ ସରକାର ୧୦ ବର୍ଷରୁ ଆରମ୍ଭ ହେଉଥିବା ଏକ ସ୍ତରୀୟ ପ୍ରଣାଳୀ ଆରମ୍ଭ କରିଛନ୍ତି। ଏଥିରେ ବାହନଙ୍କୁ ଏବେ ୩ଟି ଆୟୁବର୍ଗରେ ବଣ୍ଟା ଯାଇଛି। ଯେଉଁଥିରେ ପ୍ରଥମ ଆୟୁବର୍ଗ ୧୦-୧୫ ବର୍ଷ ଥିବା ବେଳେ ଦ୍ୱିତୀୟ ୧୫-୨୦ ବର୍ଷ ଓ ତୃତୀୟ ଆୟୁ ବର୍ଗ ହେଉଛି ୨୦ ବର୍ଷରୁ ତଦୁର୍ଦ୍ଧ୍ୱ। ଏହି ସ୍ଲାବ ଅନୁସାରେ ବର୍ଦ୍ଧିତ ଫି ଲାଗୁ ହେବ, ଯାହା ୧୫ ବର୍ଷରୁ ଅଧିକ ପୁରୁଣା ବାହନ ଲାଗି ପୂର୍ବ ଭଳି ସମାନ ଦରର ସ୍ଥାନ ନେବ। ଏହି ଅପଡେଟ୍ ଷ୍ଟ୍ରକ୍ଚର ସବୁ ପ୍ରକାରର ବାହନ ପାଇଁ ଲାଗୁ ହେବ।

ତେବେ ସବୁଠୁ ଅଧିକ ଶୁଳ୍କ ବୃଦ୍ଧି ପୁରୁଣା ହେଭି ଭେଇକ୍ଲ ଉପରେ କରାଯାଇଛି। ଏପରି ବାହାନଙ୍କ ଲାଗି ପ୍ରାୟତଃ ଇମିସନ ଓ ସୁରକ୍ଷା ସମ୍ପର୍କିତ ଚିନ୍ତା ଥାଏ। ୨୦ ବର୍ଷରୁ ଅଧିକ ପୁରୁଣା ହେଭି ଭେଇକ୍ଲର ଫିଟନେସ୍ ଟେଷ୍ଟ ଫି ୨,୫୦୦ ଟଙ୍କାରୁ ବଢାଇ ୨୫,୦୦୦ ଟଙ୍କା କରିଦିଆଯାଇଛି। ଏହି ଆୟୁବର୍ଗର ମିଡିୟମ କମର୍ସିଆଲ ବାହନ ଲାଗି ଏ ପର୍ଯ୍ୟନ୍ତ ୧,୮୦୦ ଟଙ୍କା ପଡୁଥିବା ଫିକୁ ବଢାଇ ୨୦,୦୦୦ ଟଙ୍କା କରାଯାଇଛି। ସେହିପରି ପ୍ରାଇଭେଟ ୟୁଜ କ୍ୟାଟଗରୀରେ ୨୦ ବର୍ଷରୁ ଅଧିକ ପୁରୁଣା ହାଲୁକା ମୋଟର ଯାନ ନିମନ୍ତେ ୧୫,୦୦୦ ଟଙ୍କା ଫି ଲାଗୁ ହେଉଥିବା ବେଳେ ତିନିଚକିଆ ବାହନଙ୍କ ନିମନ୍ତେ ୭୦୦୦ ଟଙ୍କା କରାଯାଇଛି।

୨୦ ବର୍ଷରୁ ଅଧିକ ପୁରୁଣା ଟୁ-ହ୍ୱିଲର ଶୁଳ୍କ ମଧ୍ୟ ୩ ଗୁଣାରୁ ଅଧିକ ହୋଇଛି। ଏ ପର୍ଯ୍ୟନ୍ତ ଏଥି ପାଇଁ ମାତ୍ର ୬୦୦ ଟଙ୍କା ଦେବାକୁ ପଡୁଥିଲା। ହେଲେ ଏବେ ଏହା ୨,୦୦୦ ଟଙ୍କା କରାଯାଇଛି। ୧୫ ବର୍ଷରୁ କମ୍ ପୁରୁଣା ବାହନଙ୍କୁ ମଧ୍ୟ ବଢା ଦରରେ ଫି ଭରିବାକୁ ପଡିବ। ସଂଶୋଧିତ ନିୟମ ୮୧ ଅନୁସାରେ ଏବେ ଏପରି ବାହନ ଉପରେ ଅଧିକ ଫି ଲାଗୁ ହେବ। ଯେପରି ମୋଟର ସାଇକେଲ ଉପରେ ୪୦୦ ଟଙ୍କା, ହାଲୁକା ମୋଟର ସାଇକେଲ ଲାଗି ୬୦୦ ଟଙ୍କା, ମିଡିୟମ ଓ ହେଭି କମର୍ସିଆଲ ଭେଇକ୍ଲ ଲାଗି ୧,୦୦୦ ଟଙ୍କା ଦେବାକୁ ପଡିବ। ଏହି ପରିବର୍ତ୍ତନ ବାହନ ଅନୁପାଳନ ମାନଦଣ୍ଡକୁ କଡ଼ା କରିବା, ପୁରୁଣା ବାହନ ଯୋଗୁ ହେଉଥିବା ପ୍ରଦୂଷଣ କମ କରିବା ଓ ପୁରୁଣା ବାହନକୁ ଧିରେ ଧିରେ ସଡ଼କରୁ ହଟାଇବା ପାଇଁ ସରକାରଙ୍କ ବ୍ୟାପକ ପ୍ରୟାସର ଅଂଶବିଶେଷ।