୫୪ ହଜାର ଟନ LPG ବୋଝେଇ ନେଇ ମୁନ୍ଦ୍ରା ପୋର୍ଟରେ ଲାଗିଲା ଶିବାଲିକ୍, ଦେଶରେ ଟଳିବ ରନ୍ଧନ ଗ୍ୟାସ୍ ସଂକଟ

NEWS7
all-temple-open-in-bhadrak

  • ହୋର୍ମୁଜ ରାସ୍ତା ବନ୍ଦ ରହିବା କାରଣରୁ ଏଲପିଜି ବୋଝେଇ ଜାହାଜ ସେଠାରେ ଫଶି ରହିଥିଲେ
  • ଯୁଦ୍ଧ ମଧ୍ୟରେ ଭାରତର ଏଲପିଜି ବୋଝେଇ ଜାହାଜ ଶିବାଲିକ୍ ସୋମବାର ଭାରତ ପହଞ୍ଚିଛି
  • ଏବେ ଶିବାଲିକ ପହଞ୍ଚି ସାରିଥିବା ବେଳେ ଅନ୍ୟ ଜାହାଜଟି ଆଜି ଅପରାହ୍ନ ଅଥବା କାଲି ସକାଳ ସୁଦ୍ଧା ଭାରତ ଉପକୂଳକୁ ପହଞ୍ଚିବ

 ଗାନ୍ଧି ନଗର ୧୬।୩: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁ ଭାରତରେ ରୋଷେଇ ଗ୍ୟାସ୍ ସଂକଟ ଉପୁଜିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ହୋର୍ମୁଜ ପ୍ରଣାଳୀରେ ଜାହାଜ ଯାତାୟାତ ବାଧିତ ହୋଇଛି। ଏଣୁ ବିଶ୍ୱରେ ତୈଳ ଓ ଏଲପିଜି ସଂକଟ ଗଭୀର ହୋଇଛି। ହେଲେ ଏବେ ଭାରତରେ ଏଲପିଜି ସଂକଟ ଖୁବ୍ ଶୀଘ୍ର ଟଳିବ। ଯୁଦ୍ଧ ମଧ୍ୟରେ ଭାରତର ଏଲପିଜି ବୋଝେଇ ଜାହାଜ ଶିବାଲିକ୍ ସୋମବାର ଭାରତ ପହଞ୍ଚିଛି। ଏହା ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଲାଗିଛି। ଏହି ଜାହାଜରେ ୫୪ ହଜାର ଟନ ଗ୍ୟାସ୍ ବୋଝେଇ ଅଛି।

ହୋର୍ମୁଜ ରାସ୍ତା ବନ୍ଦ ରହିବା କାରଣରୁ ଏଲପିଜି ବୋଝେଇ ଜାହାଜ ସେଠାରେ ଫଶି ରହିଥିଲେ। ତେବେ ଭାରତର ବୈଦେଶିକ ମନ୍ତ୍ରାଳୟ ଓ ଇରାନ ବୈଦେଶିକ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ପରେ ଭାରତର ଦୁଇଟି ଜାହାଜ ଶିବାଲିକ ଓ ନନ୍ଦା ଦେବୀକୁ ହୋର୍ମୁଜ ଅତିକ୍ରମ କରିବାକୁ ଅନୁମତି ଦିଆଯାଇଥିଲା। ଏବେ ଶିବାଲିକ ପହଞ୍ଚି ସାରିଥିବା ବେଳେ ଅନ୍ୟ ଜାହାଜଟି ଆଜି ଅପରାହ୍ନ ଅଥବା କାଲି ସକାଳ ସୁଦ୍ଧା ଭାରତ ଉପକୂଳକୁ ପହଞ୍ଚିବ। ଏଣୁ ଦେଶରେ ଉପୁଜିଥିବା ରନ୍ଧନ ଗ୍ୟାସ୍ ସଂକଟ ଅନେକାଂଶରେ ପ୍ରସମିତ ହେବ ବୋଲି ଆଶା କରାଯାଉଛି।

ରୋଷେଇ ଗ୍ୟାସ ଅଭାବ ଖବରରେ ଦୁଇ ଜାହାଜ ଭାରତ ପହଞ୍ଚିବା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁ ସାମୁ୍ଦ୍ରିକ ରାସ୍ତା ଏବେ ସମ୍ପୂର୍ଣ୍ଣ ବନ୍ଦ। ବହୁ ସଂଖ୍ୟାରେ ଜାହାଜ ଏବେବି ସମୁଦ୍ରରେ ଫଶି ରହିଛନ୍ତି। ତେବେ ଭାରତକୁ ଇରାନ ନିଜର ବନ୍ଧୁ ବୋଲି କହିଛି। ଗତ ଦିନରେ ଜାହାଜଙ୍କୁ ସୁରକ୍ଷିତ ମାର୍ଗ ଦେବା ପ୍ରସଙ୍ଗରେ ଭାରତରେ ଇରାନ ରାଜଦୂତ ମହମଦ ଫତହାଲୀ କହିଥିଲେ ଯେ ମୋର ଭରସା ରହିଛି ଯେ ଭାରତ ଓ ଇରାନ ବନ୍ଧୁ, କାରଣ ଆମର ଗୋଟିଏ ହୀତ। ଏହା ପରେ ଜାହାଜଙ୍କୁ ଯାତ୍ରା ଅନୁମତି ଦିଆଯାଇଥିଲା।