୧୯୭୪ରେ ଚୋରି କରିଥିଲା ୬୦ ଟଙ୍କିଆ ଘଣ୍ଟା, ୪ ଟଙ୍କା ଓ ଗୋଟିଏ ରୁମାଲ; କ୍ଲିନ ଚିଟ୍‌ ଦେଲେ କୋର୍ଟ

NEWS7
all-religious-places-shall-remain-closed-to-public-from-1st-may

ପୁନେ: ଆଜକୁ ପ୍ରାୟ ୫୧ ବର୍ଷ ତଳେ ଏକ ଚୋରି ମାମଲାରେ ବଡ଼ ରାୟ ଆସିଛି । ଚୋର ଏବଂ ତାର ଦୁଇ ସାଥିଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଦୁଇ ଜଣ ଚୋର ଦୋଷ ସ୍ବୀକାର କରିଥିଲେ ଏବଂ ୩ ମାସ ଜେଲ ଯାଇଥିଲେ । କିନ୍ତୁ ତୃତୀୟ ବ୍ୟକ୍ତି ଦୋଷ ସ୍ବୀକାର କରିନଥିଲେ ଏବଂ ଫେରାର ହୋଇଯାଇଥିଲେ । ସେତେବେଳେ ତାଙ୍କର ବୟସ ୨୦ ବର୍ଷ ଥିଲା । କିନ୍ତୁ ସମସ୍ତଙ୍କୁ କୋର୍ଟ କ୍ଲିନ ଚିଟ୍ ଦେଇଛନ୍ତି । ଡିସେମ୍ବର ୨୬, ୨୦୨୫ରେ ୩ ଜଣଙ୍କୁ ମିଳିଛି ନିର୍ଦ୍ଦୋଷ ସାର୍ଟିଫିକେଟ୍ ।

ଗତ ବକ୍ସିଂ ଡେ’ ୧୯୭୪ ମସିହାରେ ୬୦ ଟଙ୍କା ମୂଲ୍ୟର ହାତ ଘଣ୍ଟା, ୪ ଟଙ୍କା ନଗଦ ଏବଂ ଗୋଟିଏ ରୁମାଲ ଲୁଟ୍ କରିଥିବା ଅଭିଯୁକ୍ତ ଏବଂ ଅନ୍ୟ ଦୁଇଜଣଙ୍କ ପାଇଁ ଆଶୀର୍ବାଦ ହୋଇ ଆସିଥିଲା । ସାକ୍ଷୀ କିମ୍ବା ପ୍ରମାଣ ଅଭାବରୁ ୫୧ ବର୍ଷ ପରେ ଫେରାର ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

ଗତ ବର୍ଷ ଡିସେମ୍ବର ୨୬ ତାରିଖରେ ରେଳବାଇ କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଏନଜେ ଚଭନ, ରାଜାରାମ ତୁକାରାମ କାଲେଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି। କୋର୍ଟ କହିଛନ୍ତି, ‘ପ୍ରସିକ୍ୟୁସନ୍ ଆଜି ପର୍ଯ୍ୟନ୍ତ କୌଣସି ସାକ୍ଷୀଙ୍କ ଉପସ୍ଥିତି ସୁନିଶ୍ଚିତ କରିପାରି ନାହିଁ। ତେଣୁ, ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ରେକର୍ଡରେ ଆସିନାହିଁ। ଯଦି ପ୍ରମାଣ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ ନୁହେଁ, ତେବେ ଏହି କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାର କୌଣସି ଯଥାର୍ଥତା ନାହିଁ। ତେଣୁ କୋର୍ଟ ସମୟ ବଞ୍ଚାଇବା ପାଇଁ, ଏକ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବା ଜରୁରୀ ।’

୧୯୭୪ ମସିହା ମାର୍ଚ୍ଚ ୧୪ ତାରିଖରେ ବଣ୍ଡ ଗାର୍ଡେନ୍ ପୋଲିସ ଷ୍ଟେସନ୍ ପରିସରରେ ୬୦ ଟଙ୍କା ମୂଲ୍ୟର ଏକ ହାତ ଘଣ୍ଟା, ୪ ଟଙ୍କା ନଗଦ ଏବଂ ଏକ ରୁମାଲ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ପରଦିନ କାଲେ ଏବଂ ଅନ୍ୟ ଦୁଇଜଣଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୯୪, ଧାରା ୩୪ରେ ଏକ ଏଫଆଇଆର ରୁଜୁ ହୋଇଥିଲା।ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇଜଣ ଦୋଷ ସ୍ୱୀକାର କରିଥିଲେ ଏବଂ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏପ୍ରିଲ ୧୯୭୫ ରେ ସେମାନଙ୍କୁ ତିନି ମାସର କାରାଦଣ୍ଡ ଦିଆଯାଇଥିଲା। ତୃତୀୟ ଅଭିଯୁକ୍ତ, ରାଜାରାମ ଦୋଷ ସ୍ୱୀକାର କରିନଥିଲେ। ୩ ଏପ୍ରିଲ ୧୯୭୫ ରେ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହେବା ପରେ ସେ ଫେରାର୍ ହୋଇଯାଇଥିଲେ।

ସେବେଠାରୁ ରାଜାରାମଙ୍କ ବିରୁଦ୍ଧରେ ମାମଲା ଆଗକୁ ବଢ଼ିପାରି ନଥିଲା । କୋର୍ଟ ରେକର୍ଡ ଦର୍ଶାଉଛି ଯେ, ତାଙ୍କ ବିରୁଦ୍ଧରେ ସମୟ ସମୟରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । କିନ୍ତୁ ତାଙ୍କ ଟେର ପାଇନଥିଲା ପୋଲିସ । ଏବେ ବି ତାଙ୍କର କୌଣସି ପତ୍ତା ମିଳିପାରିନି ।

ସରକାରୀ ଓକିଲ ଅଶ୍ୱିନୀ କାଲେ କହିଛନ୍ତି ଯେ, ବର୍ତ୍ତମାନର ବିଚାରପତି ଦାୟିତ୍ୱ ନେବା ପରେ ନିଷ୍କ୍ରିୟ ମାମଲାଗୁଡ଼ିକୁ ସମୀକ୍ଷା ପାଇଁ ନିଆଯାଇଥିଲା । ଫଳରେ ଏହି ଫାଇଲଟି ପୁଣି ଖୋଲିଥିଲା । ଅଭିଯୋଗକାରୀ ଏବଂ ସାକ୍ଷୀମାନଙ୍କୁ ନୋଟିସ୍ ଓ ୱାରେଣ୍ଟ ଜାରି କରାଯାଇଥିଲା। କିନ୍ତୁ କେହି କୋର୍ଟରେ ହାଜର ହୋଇନଥିଲେ। ଫଳରେ ୫୦ ବର୍ଷରୁ ଅଧିକ ସମୟ ଧରି ଫେରାର ରହିବା ସତ୍ତ୍ୱେ ପ୍ରମାଣ ଅଭାବରୁ ରାଜାରାମ ଗତବର୍ଷ ବକ୍ସିଂ ଡେ'ରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।