LIVE TV

ୟୁଜିଏମ୍ଆଇଟି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ନ୍ୟାୟ ଦାବିରେ ଧାରଣାରେ ବସିଲେ ଶତାଧିକ ଛାତ୍ରଛାତ୍ରୀ

NEWS7
all-political-party-targeting-odisha-for-loksabha-election

ରାୟଗଡ଼ା: ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ (ୟୁଜିଏମ୍ଆଇଟି)ରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ପ୍ରଥମ ବର୍ଷର ଜଣେ ଆଦିବାସୀ ଛାତ୍ରୀଙ୍କୁ ଗଣିତ ବିଭାଗର ଅଧ୍ୟାପକ ପ୍ରଦୀପ କୁମାର ତ୍ରିପାଠୀ ଅସଦାଚରଣ କରିଥିବା ଜଣାପଡ଼ିଛି। ଏନେଇ ସଂପୃକ୍ତ ପୀଡ଼ିତା କଲେଜ ଇଣ୍ଟରନାଲ୍ କମିଟି ଓ ଅଧ୍ୟକ୍ଷଙ୍କ ଆଗରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଘଟଣାରେ ନ୍ୟାୟ ଦାବି କରି ପୀଡ଼ିତାଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ କଲେଜ ଆଗରେ ଅଧ୍ୟାପକଙ୍କ ଗିରଫ ଦାବିରେ  ଧାରଣାରେ ବସିଛନ୍ତି ।

 ଦୀର୍ଘ ସମୟ ଧରି ପିଲାମାନେ ଧାରଣାରେ ବସିବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା । ତଥାପି ଧାରଣାରୁ ହଟିନଥିଲେ ଛାତ୍ରଛାତ୍ରୀ । ପରେ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ତହସିଲଦାରଙ୍କ ଉପସ୍ଥିତିରେ ପୀଡ଼ିତାଙ୍କୁ କଡାପହରା ମଧ୍ୟରେ ଜିଲ୍ଲାପାଳଙ୍କ ନିକଟକୁ ନେବାବେଳେ ପିଲାମାନେ ପୁଲିସ ଗାଡ଼ିକୁ ଅଟକାଇଥିଲେ। ପରେ ଛାତ୍ରଛାତ୍ରୀ ଓ ପୁଲିସ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା ।

ସୂଚନା ଅନୁସାରେ, ଗତ ଅକ୍ଟୋବର ୨୫ ତାରିଖ ସନ୍ଧ୍ୟାରେ କଲେଜର ଅଧ୍ୟାପକ ପ୍ରଦୀପ କୁମାର ତ୍ରିପାଠୀ ପୀଡ଼ିତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୀଡିତା କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବା ପରେ କଲେଜର ଇଣ୍ଟନାଲ କମିଟି ତଦନ୍ତ କରିଥିଲା। କିନ୍ତୁ ତଦନ୍ତ କରିବା ପରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଘଟଣାକୁ ରଫାଦଫା କରିବା ପାଇଁ ପୀଡିତାକୁ ଦାଗିଦ କରାଯାଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ କୌଣସି କଥାକୁ ଗ୍ରହଣ କରାଯାଇନଥିବା ବେଳେ ତଦନ୍ତ କରୁଥିବା କମିଟି ମଧ୍ୟ ପୀଡିତାକୁ ସହାୟତା କରିନଥିବା ଅଭିଯୋଗ ହୋଇଛି ।

ତେବେ ଶୁକ୍ରବାର ପୀଡ଼ିତା ଓ ତାଙ୍କ ବାପାଙ୍କୁ ପୁଲିସ ଏକ ସୁରକ୍ଷିତ ସ୍ଥାନରେ ରଖି ପଚରାଉଚରା କରୁଥିବାବେଳେ ସଂପୃକ୍ତ ଅଧ୍ୟାପକଙ୍କ ଅଟକ ରଖି ପଚରାଉଚରା କରୁଛି । ସେହିପରି ସଂପୃକ୍ତ ଅଧ୍ୟାପକ ଘଟଣାରେ ନିର୍ଦ୍ଦୋଶ ବୋଲି କହୁଥିବାବେଳେ ବିଭିନ୍ନ ସଂଗଠନ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ।

ସେପଟେ କଲେଜର ଛାତ୍ରୀମାନଙ୍କ ଅଭିଯୋଗ, ପୂର୍ବରୁ ମଧ୍ୟ ସଂପୃକ୍ତ ଅଧ୍ୟାପକ ଅନେକ ଛାତ୍ରୀଙ୍କୁ ଏପରି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ସବୁବେଳେ ଘଟଣାକୁ ଚପାଇଦେଇଛନ୍ତି କଲେଜ କର୍ତ୍ତୃପକ୍ଷ।