ଦଇବ ଏତେ କେମିତି ନିଷ୍ଠୁର ? ୭୦ ଦିନ ଭିତରେ ଚାଲିଗଲେ ହ୍ୟୁମାନ-ଅଭିଜିତ... ଫ୍ୟାନ୍ସଙ୍କ ଆଖିରୁ ଶୁଖୁନି ଲୁହ

NEWS7
alia-bhatt-shares-photo-romantic-pose-with-ranbir-kapoor-fans-are-excited

ଭୁବନେଶ୍ୱର,|୧: ସେ ସ୍ୱରର ଯାଦୁଗର । ଗୀତରେ ଝୁମୁଥିଲା ଓଡିଶା । ସଙ୍ଗୀତ ଇଣ୍ଡଷ୍ଟ୍ରିର ବାଦଶାହ । ଷ୍ଟେଜରେ ଚଢିଲେ ଅନ୍ ହୋଇଯାଏ ମୋବାଇଲ୍ ର ଫ୍ଲାସ୍ ଲାଇଟ୍ । ତାଙ୍କ ଗୀତର ପ୍ରତିଟି ଶବ୍ଦ ସିଧା ହୃଦୟକୁ ଛୁଏଁ । ହେଲେ ଆଜି ନୀରବି ଗଲା ସ୍ୱର । ଆଉ ନାହାଁନ୍ତି ଦାଦା ଭାବେ ପରିଚିତ ସଙ୍ଗୀତକାର ଅଭିଜିତ ମଜୁମଦାର । ସମସ୍ତଙ୍କୁ ସେ କରିଛନ୍ତି ପର । ୫୪ବର୍ଷରେ ବୁଜିଛନ୍ତି ଆଖି । କୋଟି କୋଟି ପ୍ରଶଂସକଙ୍କଠୁ ନେଇଛନ୍ତି ବିଦାୟ । ଏହାସହ ଦୁଇ ମାସରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଲାଗିଛି ଶକ୍ତ ଧକ୍କା । ଶୋକରେ ବୁଡିଛନ୍ତି କଳାକାର ଏବଂ ଫ୍ୟାନ୍ସ ।୨୦୨୫ନଭେମ୍ବରରେ ହ୍ୟୁମାନ ସାଗର । ଆଉ ଏବେ ଅଭିଜିତ । ଦୁଇ ସଙ୍ଗୀତ ଯାଦୁଗରଙ୍କ କଣ୍ଠ ନୀରବିବା ଖବର ପାଦ ତଳୁ ଖସାଇ ଦେଇଛି ମାଟି।

ଓଡିଶାଆଧୁନିକ ଗୀତର ସେ ହେଲେ ମଉଡମଣି । ଟିଭି ଖୋଲିଲେ ବାଜେ ତାଙ୍କର ଗୀତ । ତୋର କଞ୍ଚା ହଳଦୀ ହେଉ କି ରିବନ ଫିତା । ସବୁ ଗୀତରେ ତାଙ୍କରି ଧାକ୍ । ଏବେ କିନ୍ତୁ ଆଉ କାହା ପାଟିରୁ ବାହାରିବନି ହଇଗୋ ନନୀ । କେହି କହିବେନି କେମିତି ଦିଶୁଛି ଦୋର କଞ୍ଚା ହଳଦିଆ ଦେହ । ଏବେ ସରିଗଲା ସବୁ । ହ୍ୟୁମାନଙ୍କ ପରେ ଆହୁରି ନିର୍ଦ୍ଦୟ ହୋଇ ଯାଇଛି ଦଇବ । ଛଡାଇ ନେଇଛି ଅଭିଜିତଙ୍କୁ ।

୨୦୨୫ସରିବାକୁ ବସିଥାଏ । ପିକନିକରେ ବାଜୁଥାଏ ପ୍ରେମ ଖଞ୍ଜଣୀ । ଝିପି ଝିପି ମେଘରେ ମସଗୁଲ ଥାଆନ୍ତି ଯୁବ ପୀଢି । କିନ୍ତୁ ରାତିରେ ହଠାତ ଏମ୍ସ ଆଗରେ ଗହଳି । ସ୍ତବ୍ଧ ହୋଇଗଲା ଓଡିଶା । କେହି ସହଜରେ କରିପାରିଲେନି ବିଶ୍ୱାସ । ଟିଭିରେ ବାଜିଲା ବ୍ରେକିଂ । ଲୋକଙ୍କ ହ୍ୱାଟସଆପ୍ ଷ୍ଟାଟସ ଆଉ ସୋସିଆଲ ମିଡିଆର ନ୍ୟୁଜ୍ ଫିଡ୍ । ଛାଇଗଲା ହ୍ୟୁମାନ ସାଗରଙ୍କ ଫଟୋ । ସବୁଠି ତାଙ୍କର ମୃତ୍ୟୁର ଖରାପ ଖବର । ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ସେ କରିଥିଲେ ଗୁଡ୍ ବାଏ । ଦୁଃଖର ଗୀତ ଗାଇ ପ୍ରେମିକଙ୍କୁ କନ୍ଦାଉଥିବା ହ୍ୟୁମାନ ସାରା ଓଡିଶାକୁ କନ୍ଦାଇ ଦେଲେ । ପିଲାଠୁ ବୁଢା ସମସ୍ତଙ୍କ ଆଖିରେ ଭରିଗଲା ଲୁହ ଏବଂ କୋହ । ସବୁଦିନ ପାଇଁ ନଭେମ୍ବର ମାସ୧୭ତାରିଖ ରହିଗଲା ଅଭୁଲା ହୋଇ ।

ହ୍ୟୁମାନଙ୍କ ମୃତ୍ୟୁକୁ୬୯ଦିନ ବିତିଛି । ତିନି ମାସ ବି ପୂରା ହେଇନି । ଏବେ ଚାଲିଗଲେ ଦାଦା । ଉଭୟଙ୍କର ଏକାଠି ଚାଲିଥିଲା ଚିକିତ୍ସା । ହ୍ୟୁମାନଙ୍କ ପରଲୋକ ପରେ ସୁସ୍ଥ ହୋଇଯାଇଥିଲେ ଦାଦା । ଦର୍ଶକଙ୍କୁ ଦେଇଥିଲେ ନ୍ୟୁ ଇଅର୍ ଗିଫ୍ଟଟ୍ । କିନ୍ତୁ ଏହି ଖୁସି ରହିଲାନି ବେଶି ଦିନ । ପୁଣି ହେଲେ ଅସୁସ୍ଥ । ଆଉ ଭର୍ତ୍ତି ହେଲେ ସମାନ ହସ୍ପିଟାଲରେ । ଏଥର ବିଫଳ ହୋଇଗଲା ସବୁ ପ୍ରୟାସ । ସେ ପୁଣି ଫେରିବେ ବୋଲି ଆଶା କରୁଥିଲେ ସଙ୍ଗୀତପ୍ରେମୀ । ହେଲେ ସେ ଫେରିଲେ । ହେଲେ ଫେରିଲା ପାର୍ଥୀବ ଶରୀର । ଯାହାର ପିଣ୍ଡରେ ନାହିଁ ପ୍ରାଣ । ଅର୍ଥାତ ସେ ନା ଗାଇପାରିବେ ନା ହସିପାରିବେ ନା ହସାଇପାରିବେ ।

ସବୁଦିନ ପାଇଁ ଛାଡି ଚାଲିଯାଇଛନ୍ତି ଦୁଇ ରଥୀ । ତାଙ୍କୁ ଝୁରୁଛି ସାରା ଓଡିଶା । ଗୋଟିଏ ଦୁଃଖରୁ ଏବେବି ବାହାରିନି ଓଡିଶା । ଯାହା ହ୍ୟୁମାନ ଦେଇ ଯାଇଥିଲେ । ଏବେ୭୦ଦିନ ଭିତରେ ଆଉ ଏକ ବିରାଟ ଦୁଃଖ । ସତେ ଯେମିତି ଓଲିଉଡ୍ ତଥା ଓଡିଶାର ମ୍ୟୁଜିକ ଇଣ୍ଡଷ୍ଟ୍ରି ଉପରେ କଳା ଯାଦୁ କରିଛି କେହି ଗୁଣିଆ । ଯାହା ଅସମୟରେ ଦେଇ ଚାଲିଛି ଦୁଃଖ ଏବଂ କଷ୍ଟ । ଗୋଟିଏ ଦାରୁଣ ସମୟରୁ ଅଣ୍ଟା ସଳଖିଲା ବେଳକୁ ଆଉ ଏକ ଯନ୍ତ୍ରଣାର ପାହାଡ । ସେ ଶାରୀରିକ ଯନ୍ତ୍ରଣା ନୁହେଁ । ଯାହାର ଉପଶମ ସହଜ । ଏହା ହେଉଛି ମାନସିକ ଏବଂ ହୃଦୟର ଯନ୍ତ୍ରଣା । ଯାହାକୁ ଲାଘବ କରିବା ଏତେ ସହଜ ନ୍ୟୁହେଁ ।