LIVE TV
LIVE TV

‘ସଞ୍ଚାର ସାଥୀ’ ବିବାଦ ମଧ୍ୟରେ ଆପଲ୍‌ର ଏଣ୍ଟ୍ରି, ଆପ୍ ପ୍ରିଲୋଡ୍‌କୁ କରିବ ବିରୋଧ !

NEWS7
akshay-gifts-onion-earrings-to-twinkle-khanna

ନୂଆଦିଲ୍ଲୀ: ସବୁ ନୂଆ ମୋବାଇଲ ଫୋନ୍‌ରେ ସଞ୍ଚାର ସାଥୀ ଆପ୍ ପ୍ରିଲୋଡ୍‌ କରିବା ପାଇଁ ଦୂରସଞ୍ଚାର ମନ୍ତ୍ରଣାଳୟର ନିର୍ଦ୍ଦେଶକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ କଂଗ୍ରେସ ଏହାକୁ ପେଗାସସ ଭଳି ଗୁଇନ୍ଦା ଉପକରଣ ବୋଲି କହି ସରକାର ଏହି ପଦକ୍ଷେପର ବିରୋଧ କରିଛି। ଏମିତିରେ ଏହି ମାମଲାରେ ଚର୍ଚ୍ଚା ଜୋର୍ ଧରିବାରୁ ଦୂରସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ସ୍ପଷ୍ଟୀକରଣ ରଖିଛନ୍ତି ଏବଂ ଏହି ଆପ ବାଧ୍ୟମୂଳକ ନୁହେଁ ବୋଲି କହିଛନ୍ତି।

ଏହାରି ମଧ୍ୟରେ ଆପଲ ମଧ୍ୟ ସରକାରଙ୍କ ନିଷ୍ପତ୍ତିର ବିରୋଧ କରିବା ସଙ୍କେତ ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆପଲ ଏହାର ସ୍ମାର୍ଟଫୋନରେ ସରକାରୀ ସାଇବର ସେଫ୍ଟୀ ଆପ୍ ପ୍ରିଲୋଡ କରିବା ଆଦେଶର ପାଳନ କରିବାକୁ ଚାହୁନାହିଁ ଏବଂ ଏନେଇ କମ୍ପାନି ଆଗକୁ ସରକାରଙ୍କୁ ସୂଚନା ଦେବ।

ରିପୋର୍ଟରେ କୁହାଯାଇଛି ଯେ, ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଗୁଇନ୍ଦା ଚିନ୍ତା ଉତ୍ପନ୍ନ ହୋଇପାରେ । ତେଣୁ ଆପଲ ଏହି ନିଷ୍ପତ୍ତିର ବିରୋଧ କରିପାରେ। କମ୍ପାନି ଅନ୍ୟ ଦେଶମାନଙ୍କରେ ମଧ୍ୟ ଏଭଳି ଆଦେଶ ପାଳନ କରୁନଥିବା କଥା ମଧ୍ୟ କହିପାରେ। କମ୍ପାନି ସହ ଜଡ଼ିତ ବ୍ୟକ୍ତିଙ୍କ କହିବା ଅନୁସାରେ, ଏହାଦ୍ବାରା iOS ଇକୋସିଷ୍ଟମର ପ୍ରାଇଭେସୀ ଏବଂ ସିକ୍ୟୁରିଟି ପ୍ରଭାବିତ ହୋଇପାରେ। ତେବେ ଏନେଇ ଆପଲ କିମ୍ବା ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ସୂଚନାଥାଉକି, ନିକଟରେ ଭାରତ ସରକାର ଆପଲ, ସାମସଙ୍ଗ ଏବଂ ସାଓମି ଭଳି କମ୍ପାନିଙ୍କୁ, ୯୦ ଦିନ ଭିତରେ ଫୋନରେ ସଞ୍ଚାର ସାଥୀ ଆପ୍ ପ୍ରିଲୋଡ କରିବାକୁ ଆଦେଶ ଦେଇଥିଲେ। ଏହି ଆପ୍ର ଉଦ୍ଦେଶ୍ୟ ଚୋରି ହୋଇଥିବା ଫୋନ୍ ଟ୍ରାକ୍ କରିବା, ତାହାକୁ ବ୍ଲକ୍ କରିବା ଏବଂ ଏହାର ଭୁଲ ବ୍ୟବହାର ହେବାରୁ ରୋକିବା। ମିଡିଆ ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ, ସରକାର ଚାହୁଛନ୍ତି ଏହି ଆପ୍ ଯେପରି ଡିସେବୁଲ ମଧ୍ୟ ନହୁଏ।

ତେବେ ଏହା ଜଣାପଡ଼ିବା ପରେ ବିବାଦ ଆରମ୍ଭ ହୋଇଯାଇଥିଲା। ବିରୋଧୀ ସରକାଙ୍କୁ ଘେରିଥିଲେ। ଏମିତିରେ ଦୂର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସ୍ପଷ୍ଟୀକରଣ ରଖି କହିଛନ୍ତି ‘‘ଯଦି ୟୁଜର ଚାହିଁବେ ତେବେ ଆପ୍ ହଟାଇପାରିବେ। ହେଲେ ଦେଶରେ ସମସ୍ତେ ଜାଣିନାହାଁନ୍ତି ଯେଂ, ଏହି ଆପ୍ ସେମାନଙ୍କୁ ଠକେଇ ଏବଂ ଚୋରିରୁ ବଞ୍ଚାଇବା ପାଇଁ ।’’ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ‘‘ଏହି ଆପକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଆମର ଦାୟିତ୍ବ। ଯଦି ଆପଣ ଏହାକୁ ବ୍ୟବହାର କରିବାକୁ ଚାହୁନାହାଁନ୍ତି ତେବେ ଏହାକୁ ପଞ୍ଜୀକୃତ କରିବା ଆବଶ୍ୟକ ନାହିଁ।’’