ଇଟାଲୀରୁ ଅମୃତସର ଆସିଥିବା ଏୟାର ଇଣ୍ଡିଆ ବିମାନର ୧୨୫ ଯାତ୍ରୀ କରୋନା ଆକ୍ରାନ୍ତ, ଏୟାରପୋର୍ଟରେ ଆଲର୍ଟ

Published By : Prameya-News7 Bureau | January 06, 2022 IST

ଅମୃତସର ୦୬/୦୧ : ଦେଶରେ କରୋନା ସଂକ୍ରମଣ ହାର ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦ ହଜାର ୯୨୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବ ଦିନ ତୁଳନାରେ ୫୬ ପ୍ରତିଶତ ଅଧିକ । ଏହା ସହିତ ୩୨୫ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି ।

ଏହାରି ମଧ୍ୟରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଇଟାଲୀରୁ ପଞ୍ଜାବର ଅମୃତସର ଆସିଥିବା ଏୟାର ଇଣ୍ଡିଆ ବିମାନର ୧୮୨ ଯାତ୍ରୀଙ୍କ ମଧ୍ୟରୁ ୧୨୫ ଜଣଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି । ଯାହାକୁ ନେଇ ଆତଙ୍କ ଖେଳିଯାଇଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଆଇସୋଲେଟ୍‌ କରାଯାଇଛି । ଏକାବେଳେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ବିମାନବନ୍ଦରରେ ଆଲର୍ଟ ଜାରିକରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆର ଏକ ବିମାନ ଇଟାଲୀରୁ ପଞ୍ଜାବର ଅମୃତସର ଏୟାରପୋର୍ଟରେ ପହଞ୍ଚିବା ପରେ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ୧୨୫ ଜଣ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଥିଲା । ତେବେ ଚିହ୍ନଟ ହୋଇଥିବା ଯାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଛି । ଏହା ସହିତ ବିମାନରେ ଆସୁଥିବା ଅନ୍ୟ ଯାତ୍ରୀଙ୍କୁ ମଧ୍ୟ ହୋମ୍‌ ଆଇସୋଲେସନରେ ରହିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.