LIVE TV

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା: ସିଂହଦ୍ୱାରରେ ପ୍ରବେଶ, ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଭକ୍ତ

NEWS7
agriculture-minister-says-on-farmers-report

ପୁରୀ ୩୦/୧୦: ରବିବାରଠୁ ମହାପଞ୍ଚୁକ ବ୍ରତ । ଆଉ ଏହି ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ପଞ୍ଚୁକରେ ଭକ୍ତଙ୍କ ପ୍ରବଳ ସମାଗମ ହେବାକୁ ଥିବାରୁ ପୁରୀ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ପଞ୍ଚୁକ ସମୟରେ ଭକ୍ତମାନେ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା ସହିତ ଟେଣ୍ଟ ବ୍ୟବସ୍ଥା କରାଯାଉଛି । ପ୍ରବଳ ଖରା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ, ଫାଷ୍ଟ ଏଡ୍ ସେଣ୍ଟର, ମାଗଣା ଜୋତା ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି । ଭିଡ଼ ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ । ଭକ୍ତମାନେ ଯେଭଳି ମହାପ୍ରଭୁଙ୍କର ଶୃଙ୍ଖଳିତ ଭାବେ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ ତାକୁ ମଧ୍ୟ ଗୁରୁତ୍ବ ଦେଇଛି ପ୍ରଶାସନ । ସେହିଭଳି ଅଁଳା ନବମୀରେ ଭୋର ୫ଟାରୁ ରାଧାପାଦ ଦର୍ଶନ ବ୍ୟବସ୍ଥା କରାଯାଇଛି । ବିଳମ୍ବିତ ରାତ୍ରି ଯାଏଁ ଚାଲିବ ରାଧାପାଦ ଦର୍ଶନ । ତେବେ ଏହି ଦର୍ଶନ ପାଇଁ ୧୧ ଲେନ୍ ବିଶିଷ୍ଟ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି ।