LIVE TV

ପୁରୀରେ ମୁଖ୍ୟମନ୍ତ୍ରୀ; ହବିଷ୍ୟାଳୀ ଶିବିରରେ ବୁଲି ବ୍ୟବସ୍ଥାର କଲେ ଅନୁଧ୍ୟାନ

NEWS7
agricultural-law-postponed-know-who-are-the-members-of-the-supreme-court-committee

ପୁରୀ: ଚାଲିଛି ପୁଣ୍ୟର ମାସ କାର୍ତ୍ତିକ। କାର୍ତ୍ତିକ ମାସରେ ପୁରୀରେ ରହି ହବିଷ ପାଳିଲେ ପୁଣ୍ୟ ହୁଏ ବୋଲି ବିଶ୍ବାସ ରହିଥିବାବେଳେ, ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳିମାନେ ପୁରୀକୁ ଆସିଛନ୍ତି। ଏମିତିରେ ସୋମବାର ପୁରୀ ଗସ୍ତରେ ଯାଇ ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀଙ୍କୁ ଭେଟିବା ସହ ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏକ ମାସ ବ୍ୟାପୀ ଚାଲିଥିବା ମହା ଧାର୍ମିକ କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇପଡିଥିବା ବେଳେ ବୃନ୍ଦାବତୀ ନିବାସ ଆସି ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।  ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ପାଇଁ ପୂଜା, ରହିବା, ମହାପ୍ରସାଦ ସେବନ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ସୁଖ ଦୁଃଖ ନେଇ ସେ ଆଲୋଚନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ମହାପ୍ରଭୁଙ୍କ ଭକ୍ତ ଭାବେ ଆସିଛି। ଆପଣମାନଙ୍କ ସହିତ ମିଶିବା ପାଇଁ ଆସିଛି। କାର୍ତ୍ତିକ ମାସର ମହତ୍ତ୍ଵ ଅନେକ ରହିଛି। ଓଡ଼ିଆ ପରମ୍ପରା ତଥା ଭକ୍ତି, କରୁଣା ଓ ଆଧ୍ୟାତ୍ମିକର ମାସ ହେଉଛି କାର୍ତ୍ତିକ। ଏକ ମାସ ଧରି ନିଷ୍ଠା ଓ ପବିତ୍ରତାର ସହ ଆପଣମାନେ ବ୍ରତ କରିଥାନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ଚଳିତ ବର୍ଷ ୫ ଟି ସ୍ଥାନରେ ବ୍ୟବସ୍ଥା ହୋଇଛି। ’’

ତେବେ ହବିଷ୍ୟାଳୀ ଯୋଜନାକୁ ଆହୁରି ସୁଦୃଢ଼ କରାଯିବ। ପୁରୀରେ ବିଶ୍ବସ୍ତରୀୟ ମ୍ୟୁଜିୟମ, ଲାଇବ୍ରେରୀ କରାଯିବ। ତୀର୍ଥଯାତ୍ରୀଙ୍କ ସୁବିଧାକୁ ଆଧୁନିକୀକରଣ କରାଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୋଜିତ ଉତ୍ସବରେ ହବିଷ୍ୟାଳୀ ମାନେ ହୁଳହୁଳି ଦେଇ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିବା ସହ ଆର୍ଶୀବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ଓ ଜଗତସିଂହପୁର ସାଂସଦ, ସତ୍ୟବାଦୀ, ପୁରୀ, ପିପିଲି, ବ୍ରହ୍ମଗିରି ବିଧାୟକ, ଜିଲ୍ଲାପାଳ, ଏସପି  ଉପସ୍ଥିତ ଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରିଥିଲେ। ଏଥିସହ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଦର୍ଶନ ସାରି ଫେରିବା ପରେ ସିଂହଦ୍ଵାର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା।