ଖୋଲିଲା ଶାହବାଜଙ୍କ ମୁଖା, ଇସ୍ଲାମାବାଦ ମସଜିଦ ଆକ୍ରମଣକାରୀ ଥିଲେ ପାକିସ୍ତାନୀ, ଜଣେ ମହିଳାଙ୍କ ସମେତ ୩ ଗିରଫ

NEWS7
agri-vikas-2018-ଜୟ-କିଷାନ

ପେଶାବର ୭।୨: ଇସ୍ଲାମାବାଦ ଶିୟା ମସଜିଦ ବିସ୍ଫୋରଣ ମାମଲାରେ ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ମୁଖା ଖୋଲି ଦେଇଛି। ପାକିସ୍ତାନ ପୋଲିସ ଅନୁସାରେ ଶିୟା ମସଜିଦ୍ ଆକ୍ରମଣକାରୀ ୟାସିର ପାକିସ୍ତାନ ପେଶାବରର ବାସିନ୍ଦା ଥିଲା। ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ମଧ୍ୟ ପାକିସ୍ତାନୀ ନାଗରିକ। ପାକିସ୍ତାନୀ ଯାଞ୍ଚ ଏଜେନ୍ସୀମାନେ ଏହି ସୂଚନା ଦେଇଛନ୍ତି। ଏହି ସୂଚନା ଆସିବା ପରେ ପାକିସ୍ତାନ ପୁଣି ଥରେ ଅନ୍ତର୍ଜାତୀୟ ମଞ୍ଚରେ ଉପହସିତ ହୋଇଛି। ଏହି ଆକ୍ରମଣ ପଛରେ ଭାରତର ହାତ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଆଶଙ୍କା କରିଥିଲେ। ଏବେ ପାକ୍ ପୋଲିସ ଘଟଣା ଉପରୁ ପର୍ଦ୍ଦା ହଟାଇଛି।

ପାକିସ୍ତାନ ପୋଲିସ ଶନିବାର ଖୈବର ପୁକ୍ତନଖ୍ୱା ଓ ପେଶାବରରୁ ୨ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିଛି। ଏମାନେ ଶୁକ୍ରବାର ଇସ୍ଲାବାଦ ସହର ବାହାରେ ଥିବା ଶିୟା ମସଜିଦ ବିସ୍ଫୋରଣ ଘଟଣାରେ ସାମିଲ ବୋଲି ଯାଞ୍ଚ ଏଜେନ୍ସୀ କହିଛନ୍ତି। ଏହି ମସଜିଦ ଆକ୍ରମଣ ଘଟଣାରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୯ ଜଣ ଆହତ ହୋଇଛନ୍ତି। ଇସ୍ଲାମାବାଦ ତରଲାଇ ଅଞ୍ଚଳରେ ଥିବା ଖଦିଜା ଅଲ-କୁବ୍ରା ମସଜିଦ-କମ-ଇମାମବାଡାରେ ଜନୈକ ଆତ୍ମଘାତୀ ଆକ୍ରମଣକାରୀ ନିଜ ଦେହରେ ବିସ୍ଫୋରଣ କରିଥିଲା। ଗତବର୍ଷ ମାନଙ୍କରେ ଶିୟା ସମୂଦାୟ ଉପରେ ହୋଇଥିବା ଭୀଷଣ ଆକ୍ରମଣ ମଧ୍ୟରୁ ଏହା ଅନ୍ୟତମ ଥିଲା।

ଜନୈକ ପୋଲିସ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତ୍ରିରୁ ଆରମ୍ଭ ହୋଇଥିବା ଏହି ଅପରେସନରେ କଥିତ ଆତ୍ମଘାତୀ ଆକ୍ରମଣକାରୀର ଦୁଇ ଭାଇ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଏବେ ପଚରା ଉଚରା କରାଯାଉଛି। ଯାଞ୍ଚ ଅଧିକାରୀଙ୍କ ଅନୁସାରେ ସେମାନଙ୍କ ଠାରୁ ଜବତ ପରିଚୟପତ୍ରରୁ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ୟାସିର ଭାବେ ଚିହ୍ନଟ କରାଯାଇଛି। ଅଧିକାରୀକ ରେକର୍ଡ଼ ଅନୁସାରେ ଆକ୍ରମଣକାରୀର ସ୍ଥାୟୀ ଠିକଣା ଅବାସ କଲୋନୀ, ସିରୋଜଙ୍ଗୀ, ଚାରସଦ୍ଦା ରୋଡ, ପେଶାବର ଥିଲା। ସେହିପରି ସେ ଗଞ୍ଜ ମହଲ୍ଲା କାଜିୟାନ ପେଶାବରରେ ସେ ଅସ୍ଥାୟୀ ଭାବେ ରହୁଥିଲା।

ତଦନ୍ତକାରୀମାନେ କହିଛନ୍ତି ଯେ ଇସ୍ଲାମାବାଦ ଆତ୍ମଘାତୀ ବୋମା ବିସ୍ଫୋରଣ ପୂର୍ବରୁ ବିସ୍ଫୋରଣକାରୀ ପାଖାପାଖି ୫ ମାସ ଆଫଗାନିସ୍ତାନରେ ଥିଲା। ସେଠାରେ ସେ ଅସ୍ତ୍ରଶସ୍ତ୍ର ଚଳାଇବା ଓ ଆତ୍ମଘାତୀ ବିସ୍ଫୋରଣ ପ୍ରଶିକ୍ଷଣ ପ୍ରାପ୍ତ କରିଥିଲା। ବିସ୍ଫୋରଣକାରୀଙ୍କ ସୂଚନା ମିଳିବା ପରେ ଯାଞ୍ଚ ଏଜେନ୍ସୀ ସକ୍ରିୟ ନେଟୱାର୍କକୁ ଚିହ୍ନଟ କରିବା ସାଙ୍ଗକୁ ନଷ୍ଟ କରିବା ପାଇଁ ଫୋକସ କରୁଛନ୍ତି। ତେବେ ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ଇସ୍ଲାମିକ ଷ୍ଟେଟ୍ ଆଇଏସଆଇଏସ୍ ର ଖୁରାସାନ ପ୍ରାନ୍ତ (ଆଇଏସ-କେ) ନିଜକୁ ଦାୟି କରିଛି। ଏହି ସଙ୍ଗଠନ ପୂର୍ବରୁ ମଧ୍ୟ ଶିୟା ମୁସଲମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିସାରିଛି।

ଏହା ବି ପଢନ୍ତୁ :-ପିଓକେ ଓ ଅକ୍ସାଇ ଚୀନ ଭାରତର, ଟ୍ରେଡ୍ ଡିଲ୍ ଚୂଡ଼ାନ୍ତ ପରେ ଅଖଣ୍ଡ ଭାରତର ଫଟୋ ଜାରି କଲା ଆମେରିକା