କାଶ୍ମୀର ଓ ଲଦ୍ଦାଖରେ ଭୀଷଣ ଥଣ୍ଡା, ଭାରତର ସବୁଠୁ ଶୀତଳତମ ସ୍ଥାନ ହେଲା ଦ୍ରାସ

NEWS7
after-us-and-brazil-death-rate-from-corona-in-india-crosses-3-lakh

ଶ୍ରୀନଗର ୧୦।୧: ଉତର ଭାରତ ଓ ହିମାଳୟ କ୍ଷେତ୍ରରେ ଏବେ ଭୀଷଣ ଥଣ୍ଡା ଓ ଶୀତ ଲହରର ପ୍ରକୋପ ଜାରି ରହିଛି। କାଶ୍ମୀର ଉପତ୍ୟାକାରୁ ଆରମ୍ଭ କରି ଲଦ୍ଦାଖ ପର୍ଯ୍ୟନ୍ତ ତାପମାତ୍ରା ଶୁନରୁ କିଛି ଡିଗ୍ରି ତଳକୁ ଖସିଛି। ଏଣୁ ସ୍ୱଭାବିକ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଜମ୍ମୁ-କାଶ୍ମୀରର ଦ୍ରାସ ଓ ଲଦ୍ଦାଖ କ୍ଷେତ୍ରର ଦେଶର ସବୁଠୁ ଶୀତଳତମ ସ୍ଥାନରେ ପରିଣତ ହୋଇଛି। ଶ୍ରୀନଗରରେ ମଧ୍ୟ ଗତ ରାତି ଚଳିତ ଋତୁର ସବୁଠୁ ଶୀତଳତମ ରାତ୍ରି ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

କାଶ୍ମୀର ଉପତ୍ୟାକାରେ ହ୍ରାସ ହେଉଥିବା ତାପମାତ୍ରାର ପ୍ରଭାବ ଏଠାକାର ଜଳ ସ୍ରୋତ ଉପରେ ସ୍ପଷ୍ଟ ଦେଖି ହେଉଛି। ଭୀଷଣ ଥଣ୍ଡାରେ ଝରଣା ଓ ପୁଷ୍କରିଣୀ ବରଫ ପାଲଟିଛି। ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରାଦର ପାଣି ବରଫ ହୋଇଯାଇଛି। ଏଣୁ ହ୍ରଦରେ ଏବେ ଶିକାରା ଚଳାଇବା ସମ୍ଭବ ହେଉ ନାହିଁ। ଏହା ଛଡା ଜନବସତୀ ଅଞ୍ଚଳରେ ପିଇବା ପାଣି ପାଇପରେ ପାଣି ବରଫ ପାଲଟିବା ଏବେ ଚିନ୍ତାର କାରଣ ପାଲଟିଛି। ଲୋକେ ଏବେ ଗୁରୁତର ପାନୀୟ ସଂକଟର ସମ୍ମୁଖୀନ ହୋଇଛନ୍ତି। ଏଣୁ ପଇପରେ ପାଣି ତରଳେଇବା ପାଇଁ ଲୋକେ ନିଆଁ ଜାଳୁଥିବାର ଦେଖାଯାଉଛନ୍ତି।

ତାପମାତ୍ରା ତଥ୍ୟ ଅନୁସାରେ କାଶ୍ମୀର ଉପତ୍ୟାକାରେ ଶୋପିୟାନ ସବୁଠୁ ଥଣ୍ଡା ସ୍ଥାନରେ ପରିଣତ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୮.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ପୁଲବାମାର ତାପମାତ୍ରା ବିଯୁକ୍ତ ୮ ଡିଗ୍ରି ସେଲସିୟସ ଥିବା ବେଳେ ପହଲଗାମରେ ବିଯୁକ୍ତ ୭.୮। ରାଜଧାନୀ ଶ୍ରୀନଗରରେ ମଧ୍ୟ ତାପମାତ୍ରା ବିଯୁକ୍ତ ହୋଇଛି। ଏଠାରେ ସର୍ବନିମ୍ନ ତାପାମାତ୍ରା ଏବେ ବିଯୁକ୍ତ ୫.୭ ଡିଗ୍ରି ସେଲସିୟସ ଆଖପାଖରେ ରହୁଛି। ସେହିପରି ଶ୍ରୀନଗର ବିମାନବନ୍ଦରରେ ତାପମାତ୍ରା ବିଯୁକ୍ତ ୭.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

ତେବେ ଲଦ୍ଦାଖରେ ଥଣ୍ଡା ଏବେ ବିକରାଳ ରୂପ ଧାରଣ କରିଛି। ଦ୍ରାସରେ ତାପମାତ୍ରା ବିଯୁକ୍ତ ୨୪.୬ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ହ୍ରାସ ହୋଇଛି, ଯାହା ଦେଶରେ ଶନିବାର ସବୁଠୁ କମ ତାପମାତ୍ରା ବୋଲି ଜଣାପଡିଛି। ସେହିପରି ନ୍ୟୋମା ଓ ପଦୁମରେ ଯଥାକ୍ରମେ ବିଯୁକ୍ତ ୨୦.୩ ଓ ବିଯୁକ୍ତ ୧୯.୬ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ହନଲେରେ ପାରଦ ବିଯୁକ୍ତ ୧୭.୦ ଡିଗ୍ରି ରହିଛି। ଏହି ସମୟରେ ଲେହ ସହରର ତାପମାତ୍ରା ବିଯୁକ୍ତ ୧୪.୪ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି।

ତେବେ ଚଳିତବର୍ଷ ପଡିଥିବା ଥଣ୍ଡାରୁ ନିକଟ ଭବିଷ୍ୟତରେ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଆକଳନ କରିଛନ୍ତି। ପାଣିପାଗ ବିଭାଗ ଅନୁସାରେ ଆଗାମୀ ଦିନରେ ଆକାଶ ସଫା ରହିବା ସହ ରାତି ତାପମାତ୍ରାରେ ହ୍ରାସ ହୋଇପାରେ। ଏଣୁ ପ୍ରଶାସନ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ସେହିପରି ରାତି ସମୟରେ ଓ ସକାଳେ ଅତ୍ୟନ୍ତ ଆବଶ୍ୟକତା ନଥିଲେ ଯାତ୍ରାରୁ ବର୍ତ୍ତିବା ଲାଗି କୁହାଯାଇଛି।