ଭାରତ ଆସୁଛନ୍ତି ପୁଟିନ୍, ସେପଟେ ରୁଷର ପ୍ଲାନ ବିଗାଡ଼ିବାକୁ ଚୀନରେ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି

NEWS7
after-nilgiri-police-the-bampur-police-in-action-mode-now-seized-a-vehicle-laden-with-smuggled-sand

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ବେଳେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଚୀନରେ ପହଞ୍ଚିଛନ୍ତି । ମାକ୍ରନ ତିନି ଦିନ ପାଇଁ ଚୀନରେ ରହିବେ, ଯେଉଁଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଫ୍ରାନ୍ସକୁ ରୁଷର ଶତ୍ରୁ ବୋଲି ବିବେଚନା କରାଯାଏ। ୟୁକ୍ରେନ ଯୁଦ୍ଧରେ ପରଦା ପଛରେ ରହି ଆମେରିକା ସହ ଫ୍ରାନ୍ସ ଏବଂ ବ୍ରିଟେନ୍ ମୁଖ୍ୟ ଭୂମିକା ନିଅନ୍ତି । ୟୁକ୍ରେନ ଯୁଦ୍ଧକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରୁଛି ରୁଷ । ଏହାରି ମଧ୍ୟରେ ମାକ୍ରନଙ୍କ ଚୀନ୍ ଗସ୍ତ ଚର୍ଚ୍ଚା ସୃଷ୍ଟି କରିଛି ।

ଦୁଇ ଦିନ ପୂର୍ବରୁ ମସ୍କୋ ସ୍ଥିତ ରାଷ୍ଟ୍ରପତି ଭବନରେ ପୁଟିନ୍ ଏବଂ ଆମେରିକା ଶାନ୍ତି ଦୂତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ରୁଷର ସର୍ତ୍ତ ଅନୁସାରେ ଚୁକ୍ତି ହେବ ବୋଲି କହିଥିଲେ ରାଷ୍ଟ୍ରପତି ପୁଟିନ୍ । ଫାଇନାନ୍ସିଆଲ ଟାଇମ୍ସ ଅନୁସାରେ, ପ୍ରଥମ ଦନ ମାକ୍ରନ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ଏହି ସକ୍ଷାତ ସମୟରେ ମାକ୍ରନ ୩ଟି ବଡ଼ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ୟୁକ୍ରେନ ଯୁଦ୍ଧରେ ବଡ଼ ଭୂମିକା ନେବାକୁ ସେ ଜିନପିଙ୍ଗଙ୍କୁ କହିଛନ୍ତି । ଯୁଦ୍ଧ ପ୍ରସଙ୍ଗରେ ହସ୍ତକ୍ଷେପ କରି ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଅପିଲ୍ କରିଛନ୍ତି ମାକ୍ରନ । ଯଦି ଯୁଦ୍ଧ ବନ୍ଦ ନୁହୁଏ, ତେବେ ବିଶ୍ବର ସ୍ଥିତି ବିଗିଡ଼ିଯିବ ବୋଲି ସେ କହିଛନ୍ତି ।

ରୁଷ ଉପରେ ଚାପ ପକାଇବାକୁ ଜିନପିଙ୍ଗକୁ ମାକ୍ରନ କହିଛନ୍ତି । ମାକ୍ରନ କହିଛନ୍ତି, ଯଦି ଚୀନ ରୁଷ ଉପରେ ଚାପ ପକାଏ, ତେବେ ମସ୍କୋ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ ହେବ । ତେବେ ୟୁକ୍ରେନ ଯୁଦ୍ଧରେ ରୁଷର ବଡ଼ ସହଯୋଗୀ ଚୀନ । ରୁଷରୁ ସର୍ବାଧିକ ଅଶୋଧିତ ତୈଳ କରୁଛି ଡ୍ରାଗନ । ସେହିଭଳି ବେଜିଂ ରୁଷକୁ ଯୁଦ୍ଧାସ୍ତ୍ର ମଧ୍ୟ ଦେଉଛି ।

ସେପଟେ ପ୍ୟାରିସ୍ରେ ନିବେଶ କରିବାକୁ ଚୀନ୍ ନିକଟରେ ଦାବି କରିଛନ୍ତି ମାକ୍ରନ । ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି, ଉଭୟ ପକ୍ଷ ସନ୍ତୁଳିତ ବାଣିଜ୍ୟ କରିବା ଦିଗ ଉପରେ ଧ୍ୟାନ ଦେବା ଦରକାର। ଗତ ବର୍ଷ ଫ୍ରାନ୍ସରେ ଚୀନ୍ର ବାଣିଜ୍ୟ ହ୍ରାସ ନେଇ ରେକର୍ଡ କରାଯାଇଥିଲା । କିନ୍ତୁ ଏବେ ଫ୍ରାନ୍ସ ଚୀନ୍ ସହ ବାଣିଜ୍ୟରେ ସୁଧାର ଆଣିବାକୁ ଚେଷ୍ଟା କରୁଛି ।

ବାଣିଜ୍ୟକୁ ନଜରରେ ରଖି ଗୁରୁବାର ମାକ୍ରନ ଏବଂ ଜିନପିଙ୍ଗ ମଧ୍ୟରେ ୧୨ଟି ଚୁକ୍ତି ହୋଇଛି । ଏହି ସମୟରେ ପାଲେଷ୍ଟାଇନ୍ର ପୁନଃନିର୍ମାଣ ଲାଗି ୧୦୦ ମିଲିୟନ ଡଲାର ସହାୟତା ଉପରେ ମଧ୍ୟ ହସ୍ତାକ୍ଷର କରିଛନ୍ତି ଚୀନ ରାଷ୍ଟ୍ରପତି । ସେପଟେ ସାଉଦି ଆରବ ସହ ମିଳିତ ଭାବରେ ପାଲେଷ୍ଟାଇନ୍କୁ ଏକ ସ୍ବତନ୍ତ୍ର ରାଷ୍ଟ୍ର ଭାବରେ ନିର୍ମାଣ କରିବାକୁ ପ୍ରୟାସ କରୁଛି ଫ୍ରାନ୍ସ ।