Abrar Ahmed: କାବ୍ୟା ମାରାନଙ୍କୁ ବଡ଼ ଝଟକା, ଅଢେଇ କୋଟିରେ କିଣିଥିବା ପାକିସ୍ତାନୀ ସ୍ପିନର ଖେଳିବେନି 'ଦି ହଣ୍ଡ୍ରେଡ୍' ଟୁର୍ଣ୍ଣାମେଣ୍ଟ!

NEWS7
after-assam-nrc-may-issue-in-odisha

ନୂଆଦିଲ୍ଲୀ: ଇଂଲଣ୍ଡରେ ଖେଳାଯାଉଥିବା 'ଦି ହଣ୍ଡ୍ରେଡ୍' (The Hundred) ୨୦୨୬ ଟୁର୍ଣ୍ଣାମେଣ୍ଟ ପାଇଁ ନିକଟରେ ହୋଇଥିବା ନିଲାମରେ ଏକ ବଡ଼ ବିବାଦ ଦେଖିବାକୁ ମିଳିଥିଲା। କାବ୍ୟା ମାରାନଙ୍କ ମାଲିକାନାରେ ଥିବା ଦଳ 'ସନରାଇଜର୍ସ ଲିଡ୍ସ' ପାକିସ୍ତାନର ମିଷ୍ଟ୍ରି ସ୍ପିନର ଅବରାର ଅହମ୍ମଦଙ୍କୁ ୧ ଲକ୍ଷ ୯୦ ହଜାର ପାଉଣ୍ଡ ଭାରତୀୟ ମୁଦ୍ରାରେ ପ୍ରାୟ ୨.୩୪ କୋଟି ଟଙ୍କା ଦେଇ କିଣିଥିଲା। ଏହି ନିଷ୍ପତ୍ତି ସହିତ ଭାରତୀୟ ମାଲିକାନା ଥିବା ଦଳଗୁଡ଼ିକରେ ପାକିସ୍ତାନୀ ଖେଳାଳିଙ୍କ ଉପରେ ଥିବା ଅଘୋଷିତ କଟକଣା ହଟିଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏବେ ଏହି ଖୁସି ଫିକା ପଡ଼ିବାରେ ଲାଗିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡର କଡ଼ା ନିୟମ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍ କାର୍ଯ୍ୟସୂଚୀ କାରଣରୁ ସନରାଇଜର୍ସର ଏହି ଦାମୀ ଖେଳାଳି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ଆଶଙ୍କା ଦେଖାଦେଇଛି।

ଦେଶ ବଡ଼ ନା ପଇସା? ଭାରତୀୟ ସେନାକୁ ଅପମାନିତ କରିଥିବା ପାକିସ୍ତାନୀ ଖେଳାଳିଙ୍କ ଉପରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବର୍ଷା କଲେ କାବ୍ୟା ମାରାନ!

ୱେଷ୍ଟଇଣ୍ଡିଜ୍ ଗସ୍ତ ସାଜିବ ବାଧକ

ଅବରାର ଅହମ୍ମଦଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ତାଙ୍କ ଜାତୀୟ ଦଳର କାର୍ଯ୍ୟସୂଚୀ, ଯାହାକି 'ଦି ହଣ୍ଡ୍ରେଡ୍' ସହ ମିଶି ଯାଉଛି ।

* ପାକିସ୍ତାନ ଦଳ ଆସନ୍ତା ଜୁଲାଇ ୧୫ ରୁ ଅଗଷ୍ଟ ୭, ୨୦୨୬ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (WTC) ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

* ଅନ୍ୟପକ୍ଷରେ 'ଦି ହଣ୍ଡ୍ରେଡ୍' ଟୁର୍ଣ୍ଣାମେଣ୍ଟ ଜୁଲାଇ ୨୧ ରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ରେ ଶେଷ ହେବ।

* ଏହାର ଅର୍ଥ ହେଉଛି, ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟ ଚାଲିଥିବା ବେଳେ ଅବରାରଙ୍କୁ କାରିବିଆନ୍ ଦ୍ୱୀପରେ (ୱେଷ୍ଟଇଣ୍ଡିଜ୍ ଗସ୍ତରେ) ରହିବାକୁ ପଡ଼ିବ। ଯଦିଓ ନୋମାନ ଅଲି ଏବଂ ସାଜିଦ୍ ଖାନ ବର୍ତ୍ତମାନ ପାକିସ୍ତାନର ମୁଖ୍ୟ ରେଡ୍-ବଲ୍ ସ୍ପିନର ଅଛନ୍ତି, ତଥାପି ଅବରାର ଦଳର ଏକ ପ୍ରମୁଖ ଖେଳାଳି। ତେଣୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଚାଲିଥିବା ବେଳେ ଏକ ଫ୍ରାଞ୍ଚାଇଜ୍ ଲିଗ୍ ପାଇଁ ତାଙ୍କୁ ଜାତୀୟ ଦଳରୁ ଛାଡ଼ିବା ପ୍ରାୟତଃ ଅସମ୍ଭବ।

ପିସିବି (PCB) ର କଡ଼ା NOC ନିୟମ

କେବଳ ମ୍ୟାଚ୍ କାର୍ଯ୍ୟସୂଚୀ ନୁହେଁ, ପାକିସ୍ତାନ କ୍ରିକେଟ୍ ବୋର୍ଡର କଠୋର ଏନଓସି (NOC) ନିୟମ ମଧ୍ୟ ଅବରାରଙ୍କ ରାସ୍ତାରେ ବଡ଼ କଣ୍ଟା ସାଜିଛି। ୨୦୨୫ ରେ ପାକିସ୍ତାନ ଦଳର କ୍ରମାଗତ ଖରାପ ପ୍ରଦର୍ଶନ ପରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ଏକ ନୂଆ ନିୟମ ଲାଗୁ କରିଛନ୍ତି। ବର୍ତ୍ତମାନ ଖେଳାଳିଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ ଏବଂ ୱାର୍କଲୋଡ୍ ମ୍ୟାନେଜମେଣ୍ଟକୁ ଦୃଷ୍ଟିରେ ରଖି ହିଁ ଅନ୍ୟ ଲିଗ୍ ଖେଳିବାକୁ ଅନୁମତି ମିଳୁଛି।

ଟେଷ୍ଟ ମ୍ୟାଚ୍ଗୁଡ଼ିକ ପାଇଁ ଖେଳାଳିଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ବୋର୍ଡ ପୂର୍ବରୁ 'ଗ୍ଲୋବାଲ ଟି-୨୦ କାନାଡା' ଏବଂ 'ଦି ହଣ୍ଡ୍ରେଡ୍' ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ନସିମ ଶାହଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ ଏନଓସି ଦେବାକୁ ରୋକ୍ଠୋକ୍ ମନା କରିଦେଇଥିଲା। ତେଣୁ ଏଭଳି କଡ଼ା ନିୟମ ଭିତରେ ଅବରାର ଅହମ୍ମଦଙ୍କୁ ମଧ୍ୟ ପିସିବି ସମାନ କାରଣ ଦର୍ଶାଇ ଅଟକାଇବାର ଯଥେଷ୍ଟ ସମ୍ଭାବନା ରହିଛି।