ସତ ହୋଇଗଲା ନାଟକ, ରାବଣ ଆଖିରେ ବାଜିଲା ରାମଙ୍କ ତୀର, ଥାନାରେ ପହଞ୍ଚିଲା ମାମଲା

NEWS7
adultery-not-a-crime-law-is-unconstitutional-rules-supreme-court

ଉତ୍ତରପ୍ରଦେଶ ୦୧/୦୨:ମଞ୍ଚରେ ରାମଲୀଳା । ଘମାଘୋଟ ଚାଲିଥିଲା ରାମ ରାବଣ ଯୁଦ୍ଧ । ଦର୍ଶକ ବି ନାଟକ ଦେଖିବାରେ ଥିଲେ ମସଗୁଲ । ହଠାତ ଘଟିଲା ଅଘଟଣ । ରାମଙ୍କ ତୀର ଆସି ବାଜିଲା ରାବଣ ଆଖିରେ । ଏମିତି ପରିସ୍ଥିତି ଉପୁଜିଲା ଯେ ମାମଲା ପହଞ୍ଚିଲା ପୋଲିସରେ । ପୋଲିସ, ଆୟୋଜକ ଓ ରାମ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ବିରୋଧରେ ରୁଜୁ କରିଛି ମାମଲା । ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲାରୁ ଆସିଛି ଏ ଖବର । ଗତ ବର୍ଷ ନଭେମ୍ବର ୧୩ର ଘଟଣା । ଶାହଗଞ୍ଜରେ ମଞ୍ଚସ୍ଥ ହୋଇଥିଲା ରାମଲୀଳା । ରାବଣ ଭୂମିକାରେ ଅଭିନୟ କରୁଥିଲେ ସୁନୀଲ କୁମାର ଓ ରାମ ଭୂମିକା କରୁଥିଲେ ନୈତିକ ପାଣ୍ଡେ । ରାମ-ରାବଣ ଯୁଦ୍ଧ ଚାଲିଥିବାବେଳେ ରାମଙ୍କ ତୀର ସିଧା ଯାଇ ରାବଣଙ୍କ ମୁକୁଟରେ ବାଜିବା ପରିବର୍ତ୍ତେ ଆଖିରେ ବାଜିଥିଲା । ଗୁରୁତର ଭାବରେ ସେ ଆଘାତ ପାଇଥିଲେ । ଆଖିରୁ ରକ୍ତ ଓ ପାଣି ବାହାରିବା ଆରମ୍ଭ ହୋଇଯାଇଥିଲା ।

ସୁନୀଲ କହିଛନ୍ତି ପରଦିନ ସେ ଓ ତାଙ୍କ ପରିବାର ଆୟୋଜକ ରାମସନେହି ସିଂ ଓ ରାମ ଭୂମିକାରେ ଅଭିନୟ କରୁଥିବା ନୈତିକଙ୍କ ପାଖକୁ ଯାଇଥିଲେ । ସେଠି ଚିକିତ୍ସା ପାଇଁ ସହାୟତା ମାଗିଥିଲେ ।ଏମିତି ଅବସ୍ଥା ପାଇଁ ସମବେଦନା କି ସାହାଯ୍ୟ ତ ଦୂର କଥା ଓଲଟି ଦୁର୍ବ୍ୟବହାରର ଶିକାର ହୋଇଥିଲେ ସୁନୀଲ। ଜାତିଭିତ୍ତିକ ଓ ଅପମାନଜନକ ମନ୍ତବ୍ୟ ଶୁଣିବାକୁ ପଡିଥିଲା । ଏତିକିରେ କଥା ସରିନଥିଲା । ତାଙ୍କୁ କୁଆଡେ ହତ୍ୟା ଧମକ ବି ଦେଇଥିଲେ । ସେ ଥରେ ନୁହେଁ ଅନେକ ଥର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଛନ୍ତି କିନ୍ତୁ ସବୁ ଥର ଅପମାନିତ ହେବାକୁ ପଡିଛି ।ଏ ସଂପର୍କରେ ସେ ପ୍ରଥମେ ପୋଲିସରେ ଅଭିଯୋଗ କରିଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ମାମଲାର ସମୀକ୍ଷା ପରେ ଶାହଗଞ୍ଜ ପୋଲିସ ଆୟୋଜକ ରାମସନେହି ସିଂ ଓ ଅଭିନେତା ନୈତିକ ପାଣ୍ଡେଙ୍କ ବିରୋଧରେ SC/ST ଆଇନ ଓ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନର ଧାରା ଅନୁସାରେ ମାମଲା ରୁଜୁ ହୋଇଛି । ସଠିକ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।