କାହାକୁ ଦଣ୍ଡ ଦେଉଛନ୍ତି, ତାଙ୍କ ଧର୍ମକୁ ? ମୁସ୍ତାଫିଜୁର ରେହମାନଙ୍କ ସପକ୍ଷରେ ବାହାରିଲେ ଶଶି ଥରୁର

NEWS7
administration-relaxed-its-grip-in-phulbani

ନୂଆଦିଲ୍ଲୀ: IPL 2026 ନିଲାମୀରେ KKR ମୁସ୍ତାଫିଜୁର ହେହମାନଙ୍କୁ ୯.୨ କୋଟି ଟଙ୍କାରେ କିଣିଥିଲା । ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ବୃଦ୍ଧି ପାଇବା ପରେ ଭାରତରେ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁସ୍ତାଫିଜୁରଙ୍କୁ ଦଳରୁ ବାହାର କରିବା ଲାଗି ଦାବି ଜୋର ଧରିଥିଲା । ଏପରିକି ଦଳର ମାଲିକ ଶାହରୁଖ ଖାନଙ୍କ ଉପରେ ଚାପ ବୃଦ୍ଧି ପାଇଥିଲା । ଶେଷରେ ବିସିସିଆଇର ନିର୍ଦ୍ଦେଶରେ କେକେଆର ରେହମାନଙ୍କୁ ମୁକ୍ତ କରିଛି । ଏବେ କଂଗ୍ରେସ ସାଂସଦ ଶଶି ଥରୁର ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ସେ ପଚାରିଛନ୍ତି, ‘ଆପଣ କାହାକୁ ଦଣ୍ଡ ଦେଉଛନ୍ତି ?’

ସୋସିଆଲ ମିଡିଆରେ ଥରୁର ଲେଖିଛନ୍ତି, ‘ଗୋଟିଏ ପରେ ଗୋଟିଏ ପଡ଼ୋଶୀଙ୍କ ପ୍ରସଙ୍ଗରେ ସରକାର ସୋସିଆଲ ମିଡିଆ କ୍ୟାମ୍ପେନକୁ ଡିପ୍ଲୋମାସି ଉପରେ ଭାରୀ ହେବାକୁ ଦେଉଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଢ଼ାକା ଯାଇପାରୁଛନ୍ତି । ପିଏମ ମୋଦୀ ବାଂଲାଦେଶୀ ନେତାଙ୍କୁ ଭେଟି ପାରୁଛନ୍ତି । କିନ୍ତୁ ଜଣେ ବାଂଲାଦେଶୀ କ୍ରିକେଟର ଭାରତୀୟ ଟିମ୍ରେ ଖେଳିପାରିବେ ନାହିଁ ।’

ସେ ଆହୁରି କହିଛନ୍ତି, ବିସିସିଆଇ ଭୁଲ ପଦକ୍ଷେପ ନେଇଛି । ମୁସ୍ତାଫିଜୁର ରେହମାନଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପ ଭୁଲ । ଆମେ କାହାକୁ ସଜା ଦେଉଛନ୍ତି ? ଏକ ଦେଶକୁ, ଏକ ବ୍ୟକ୍ତିଙ୍କୁ, ତାଙ୍କ ଧର୍ମକୁ ? ଖେଳରେ ଏହି ଚିନ୍ତାଧାରା ଆମକୁ କୁଆଡ଼େ ନେଇକି ଯିବ ?

ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିସିସିଆଇର ନିର୍ଦ୍ଦେଶକ୍ରମେ ବାଂଲାଦେଶୀ ଦ୍ରୁତ ବୋଲର ରେହମାନଙ୍କୁ ଦଳରୁ ମୁକ୍ତ କରିଥିଲା। ବିସିସିଆଇ କହିଛି ଯେ, ୨୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଲିଗ୍ ପାଇଁ ଆବଶ୍ୟକ ହେଲେ କେକେଆର ରେହମାନଙ୍କ ବଦଳରେ ଜଣେ ଖେଳାଳି ଚୟନ କରିପାରିବ।

ବିସିସିଆଇ କହିଛି ଯେ, ଯଦି କେକେଆର ଅନୁରୋଧ କରେ, ତେବେ ବିସିସିଆଇ ଦଳରେ ଅନ୍ୟ ଖେଳାଳିଙ୍କୁ ସାମିଲ କରିବାକୁ ଅନୁମତି ଦେବ। ସେପଟେ ବିସିସିଆଇର ନିର୍ଦ୍ଦେଶରେ ମୁସ୍ତାଫିଜୁରଙ୍କୁ ଦଳରୁ ଆଉଟ୍ କରିଛି ବୋଲି କହିଛି କେକେଆର । ଉପଯୁକ୍ତ ପ୍ରକ୍ରିୟା ଏବଂ ପରାମର୍ଶ ପରେ ରେହମାନଙ୍କୁ ଦଳରୁ ବାଦ ଦିଆଯାଇଛି ବୋଲି ଫ୍ରାଞ୍ଚାଇଜ୍ ପକ୍ଷରୁ କୁହାଯାଇଛି ।