ଜିଦ୍ ଛାଡିଲେ ଜେଲେନସ୍କି, ଏବେ ଆମେରିକା ଆଗରେ ରଖିଲେ ଏହି ନୂଆ ସର୍ତ୍ତ

NEWS7
achanaka-2-bhauni-nka-mrutyu

କିଭ୍ ୧୪।୧୨: ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ପକ୍ଷରୁ ହେଉଥିବା ଉଦ୍ୟମରେ ଭୋଲଦେମୀର ଜେଲେନସ୍କି ଏକ ବଡ଼ ବୟାନ ଦେଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ନାଟୋ ସଦସ୍ୟତା ପାଇଁ ତାଙ୍କ ଜିଦ୍ ଛାଡିବାକୁ ରାଜି ହୋଇଛନ୍ତି। ଏଣୁ ଏବେ ଋଷିଆ-ୟୁକ୍ରେନ ମଧ୍ୟରେ ଶାନ୍ତି ବୁଝାମଣା ଆଗକୁ ବଢିବାର ଆଶା ଦୃଢ ହୋଇଛି। ଜେଲେନସ୍କିଙ୍କ ବୟାନ ଏକ ଏପରି ସମୟରେ ଆସିଛି ଯେତେବେଳେ ଟ୍ରମ୍ପଙ୍କ ବିଶେଷ ଦୂତ ଋଷିଆ-ୟୁକ୍ରେନ ଶାନ୍ତି ଆଲୋଚନା ନେଇ ବାର୍ତ୍ତା ଲାଗି ବର୍ଲିନରେ ପହଞ୍ଚିଛନ୍ତି।

‘ଫାଇନାନ୍ସିଆଲ ଟାଇମ୍ସ’ ଅନୁସାରେ ଭୋଲୋଡେମୀର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ନାଟୋ ସଦସ୍ୟତା ଦାବି ଛାଡିବାକୁ ପ୍ରସ୍ତୁତ। ତେବେ ଏହା ବଦଳେ ଆମେରିକା ଓ ୟୁରୋପରୁ ସୁରକ୍ଷା ଗ୍ୟାରେଣ୍ଟି ମିଳୁ। ଜେଲେନସ୍କି ରବିବାର କହିଛନ୍ତି ଯେ ଆମେ କୌଣସି ବି ଯୋଜନା ବୁଝାମଣାରେ ସାମିଲ ହେବାକୁ ପ୍ରସ୍ତୁତ। ନାଟୋରେ ମଧ୍ୟ ଆମେ କଥା ମାନିବୁ କିନ୍ତୁ ୟୁକ୍ରେନକୁ ମଧ୍ୟ ଆମେରିକା ଓ ୟୁରୋପରୁ ସୁରକ୍ଷା ଗ୍ୟାରେଣ୍ଟି ଆବଶ୍ୟକ।

ଜେଲେନସ୍କି କହିଛନ୍ତି ଯେ ଆମେ ୟୁକ୍ରେନ ଓ ଆମେରିକା ମଧ୍ୟରେ ଦ୍ୱିପକ୍ଷୀୟ ସୁରକ୍ଷା ଗ୍ୟାରେଣ୍ଟି ସମ୍ପର୍କରେ କହୁଛୁ। ଏହି ଗ୍ୟାରେଣ୍ଟି ନାଟୋର ଅନୁଚ୍ଛେଦ-୫ ଭଳି ହେବ, ଯାହା ଆକ୍ରମଣ ସ୍ଥିତିରେ କୌଣସି ସଦସ୍ୟ ଦେଶଙ୍କ ପାରସ୍ପରିକ ସୁରକ୍ଷାର ପ୍ରାବଧାନ କରିଥାଏ। ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ ଭିଟକଫ ଓ ଜେରେଡ କୁଶନର ୟୁକ୍ରେନ ଉପରେ ଋଷିଆକୁ ଫ୍ରଣ୍ଟ ଲାଇନ ଅଞ୍ଚଳ ଛାଡିବାକୁ ଚାପ ସୃଷ୍ଟି କରୁଛନ୍ତି।

ଋଷିଆ କହିଛି ଯେ ସେ ୟୁକ୍ରେନ ଓ ୟୁରୋପର ସବୁ ପ୍ରସ୍ତାବକୁ ଅସ୍ୱୀକାର କରିଦେବ। ଏଣୁ ଏଥିରୁ ପ୍ରଶ୍ନ ଉଠୁଛି ଦୀର୍ଘ ୪ ବର୍ଷ ହେଲା ଜାରି ଯୁଦ୍ଧକୁ ଟ୍ରମ୍ପ ସମାପ୍ତ କରିପାରିବେତ? ଜେଲେନସ୍କି କହିଛନ୍ତି ଚଳିତ ସପ୍ତାହ ଆରମ୍ଭରେ ୟୁରୋପୀୟ ନେତାଙ୍କ ସହିତ ପରାମର୍ଶ ପରେ ପଠାଯାଇଥିବା ସଂଶୋଧିତ ପ୍ରସ୍ତାବ ଉପରେ ୱାସିଂଟନରୁ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ନାହିଁ। ତେବେ ଜେଲେନସ୍କି ତାଙ୍କ ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନ କରିଛନ୍ତି। କାରଣ ଋଷିଆର ଅସନ୍ତୋଷ ସତ୍ତ୍ୱେ ୟୁ୍କ୍ରେନ ଦୀର୍ଘ ସମୟରୁ ନାଟୋ ସଦସ୍ୟ ହେବାର ଇଛାବ୍ୟକ୍ତ କରିଆସୁଛି। ନାଟୋ ଏଭଳି ଏକ ସୈନ୍ୟ ସଙ୍ଗଠନ ଯାହା ସଦସ୍ୟ ଦେଶଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେଉଛି।