ଭାରତ-ଇଂଲଣ୍ଡ ସେମି ଟକ୍କର : ପୁରୁଣା ତ୍ରୁଟି ସୁଧାରିବା ଲକ୍ଷ୍ୟରେ ସୂର୍ଯ୍ୟ ସେନା, ଚିନ୍ତାରେ ବ୍ୟାଟ୍ସମ୍ୟାନଙ୍କ ଫର୍ମ୍

NEWS7
accused-vinay-dubey-arrested-who-running-a-campaign-for-labourers-in-mumbai

ମୁମ୍ବାଇ, ୦୫ /୦୩: ଗୁରୁବାର ଚଳିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମି ପାଇନାଲ ଖେଳାଯିବ । ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ । ପ୍ରଥମ ସେମିରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଏହାସହ ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଭାରତ-ଇଂଲଣ୍ଡ ମୁକାବିଲାରେ ଫାଇନାଲ ଟିକେଟ୍ ପାଇଁ ଲଢେଇ ଜୋରଦାର ହେବ ।

ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବଙ୍କ ଟିମ୍ ଫୁଲ୍ ଦମରେ ପଡିଆକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି । ଦଳରେ ଅନେକ ଷ୍ଟାର୍ ଖେଳାଳି ରହିଛନ୍ତି । ସଞ୍ଜୁ ସାମସନ ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ମୁକାବିଲାରେ ଦମଦାର୍ ପାଳି ଖେଳିଥିଲେ । ଏକା ଲଢି ଭାରତକୁ ସେମିରେ ପ୍ରବେଶ କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ଅନ୍ୟ ଦିଗରେ ଅଭିଷେକ ଶର୍ମା, ଇଶାନ କିଷାନ ଏବଂ ସୂର୍ଯ୍ୟ କୁମାରଙ୍କ ଫର୍ମ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଅଭିଷେକଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ଖାସ୍ ରହିନାହିଁ । ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ଲଗାଇଛନ୍ତି । ସେହିପରି ଇଷାନ ଗତ ଦୁଇଟି ମ୍ୟାଚରେ ନିରବ ଅଛନ୍ତି । ଅନ୍ୟ ଦିଗରେ ସୂର୍ଯ୍ୟ କୁମାର ବଡ ସଟ୍ ଖେଳିବାରେ ବିଫଳ ହେଉଛନ୍ତି । ଏହି ସବୁ ତ୍ରୁଟିକୁ ଭାରତ ସୁଧାରିବା ଦରକାର ।

ଭାରତ ପାଇଁ ବୋଲିଂ ଚିନ୍ତାର କାରଣ ପାଲଟିଛି । ଜସପ୍ରିତ ବୁମରାଙ୍କ ବ୍ୟତୀତ ଅନ୍ୟ କେହି ପ୍ରଭାବି ପ୍ରଦର୍ଶନ କରିପାରୁ ନାହାଁନ୍ତି । ଅର୍ଶଦୀପ ସିଂ ଏବଂ ବରୁଣ ଚକ୍ରବର୍ତ୍ତୀ ସଅଳ ଓ୍ୱିକେଟ୍ ନେବାରେ ବିଫଳ ହେଉଛନ୍ତି । ତେଣୁ ବରୁଣଙ୍କ ଜାଗାରେ ସେମିରେ କୂଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ ।

ସେହିପରି ଇଂଲଣ୍ଡ ପାଇଁ ଟପ୍ ଅର୍ଡର୍ ଚିନ୍ତାର କାରଣ ପାଲଟିଛି । ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ କରିଛନ୍ତି ଜସ୍ ବଟଲର । ତାଙ୍କଠୁ ଦଳ ବଡ ସ୍କୋର ଆଶା କରୁଛି । ସେହିପରି ହ୍ୟାରି ବ୍ରୁକ୍, ସ୍ୟାମ୍ କୁରନ ଭଲ ଫର୍ମରେ ଅଛନ୍ତି । ଇଂଲଣ୍ଡରେ ବୋଲିଂ ଏବଂ ଫିଲ୍ଡିଂ ସନ୍ତୁଳିତ ରହିଛି । ତେବେ ଭାରତକୁ ଜିତିବାକୁ ହେଲେ ପ୍ରଥମେ ବ୍ୟାଟିଂ କରି ୨୦୦ରୁ ଅଧିକ ରନ୍ କରିବାକୁ ହେବ । ଯଦି ସୂର୍ଯ୍ୟ କୁମାର ବୋଲିଂ ନିଅନ୍ତି ତେବେ ବିପକ୍ଷ ଦଳକୁ ୧୫୦ରୁ ୧୬୦ ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କରିବେ । ଏହା ହେଲେ ହିଁ ସୂର୍ଯ୍ୟ ସେନାର ବିଜୟ ସମ୍ଭାବନା ଅଧିକ ହେବ ।

ବର୍ଷା ହେଲେ କିଏ ଯିବ ଫାଇନାଲ

ସେମି ମୁକାବିଲାର ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଯଦି ମ୍ୟାଚରେ ବର୍ଷା ହୁଏ ତେବେ ଏକ ରିଜର୍ଭ ଡେ ରହିଛି । ଅର୍ଥାତ ଆଜିର ମ୍ୟାଚ୍ ଶୁକ୍ରବାର ଖେଳାଯିବ । ଅତି କମରେ ୫ ଓଭର ଖେଳ ହେବାକୁ ଅମ୍ପାୟାର ଚେଷ୍ଟା କରିବେ । ତଥାପି ଯଦି ମ୍ୟାଚ୍ ବାତିଲ ହୁଏ ତାହାଲେ ସୁପର ୮ର ପଏଣ୍ଟ ନେଟ୍ ରନ୍ ରେଟ୍ ଦେଖାଯିବ । ସୁପର ୮ରେ ନିଜ ଗ୍ରୁପରେ ଇଂଲଣ୍ଡ ଟପ୍ ରେ ରହିଥିଲା । ଅନ୍ୟ ଦିଗରେ ଭାରତ ଦୁଇ ନମ୍ବର ସ୍ଥାନରେ ରହିଥିଲା । ତେବେ ମ୍ୟାଚରେ ବର୍ଷା ହେବା ସମ୍ଭାବନା ଅତି କମ୍ ରହିଥିବା ପାଣିପାଗ ବିଶେଷଜ୍ଞ କହୁଛନ୍ତି ।