ସୁଧୁରିଲାନି ପାକିସ୍ତାନ, ଏବେ ଭୋଗିବ ପରିଣାମ: ସିଡ୍‌ନୀ ବିଚ୍‌ ହମଲାର ବଦଲା ନେବ ଇସ୍ରାଏଲ

NEWS7
a-whale-skeleton-thought-to-be-up-to-5000-years-old-has-been-discovered-far-from-sea

ନୂଆଦିଲ୍ଲୀ: ସୁଧୁରିଲାନି ପାକିସ୍ତାନ, ଏବେ ଭୋଗିବ ପରିଣାମ। ଜାଣିସାରିଲାଣି ବିଶ୍ୱ, ଇସଲାମବାଦ ହିଁ ଆତଙ୍କୀଙ୍କ ହବ୍‌। ଧର୍ମର ଦ୍ୱାହି ଦେଇ ବିଷ ମଞ୍ଜି ବୁଣୁଥିବା ପାକିସ୍ତାନ ଏବେ ଚାରି ପାଞ୍ଜିରୁ ଯିବ। ସିଡ୍‌ନୀ ବିଚ୍‌ ହମଲାର ବଦଲା ନେବ ଇସ୍ରାଏଲ। ହାତ ଟେକିଦେଲା ଆମେରିକା। ଆଗକୁ ଆସିଲା ଭାରତ। ହାଇଆଲର୍ଟ ଜାରି କଲା ନୂଆଦିଲ୍ଲୀ। ଅଷ୍ଟ୍ରେଲିଆରେ ପହଲଗାମ୍‌ ଭଳି ଆକ୍ରମଣ। ସିଡନୀରେ ଥିବା ବଣ୍ଡି ବିଚରେ ନିରୀହ ଇହୁଦୀଙ୍କ ଉପରେ ଆଖିବୁଜା ଗୁଳିମାଡ। ୧୫ ଜଣଙ୍କ ମୃତ୍ୟୁ, ୪୦ରୁ ଅଧିକ ଆହତ। ଗତ ତିନି ଦଶନ୍ଧୀ ମଧ୍ୟରେ ଅଷ୍ଟ୍ରେଲିଆରେ ସବୁଠୁ ବଡ ଆକ୍ରମଣ। ବୈଦେଶିକ ବିଶେଷଜ୍ଞଙ୍କ ମତରେ ପହଲଗାମ ଆକ୍ରମଣକୁ ବିଶ୍ୱ ଅଣଦେଖା କରିବାର ଏହା ହେଉଛି ପରିଣାମ।

୧୪ ତାରିଖ, ରବିବାର। ସିଡନୀର ବଣ୍ଡି ବିଚରେ ମହା ଆଡ଼ମ୍ବରରେ ଚାଲୁଥିଲା ହନୁକା ପର୍ବ। ମହାପର୍ବରେ ସାମିଲ ହୋଇଥିଲେ ହଜାର ହଜାର ଇହୁଦୀ। ଆଉ ଠିକ୍‌ ସେହି ସମୟରେ ଆରମ୍ଭ ହୋଇଥିଲା ଆଖିବୁଜା ଗୁଳିମାଡ଼। ଭୟଙ୍କର ଆତଙ୍କୀ ହମଲା। ଯିଏ ଯୁଆଡେ ପାଇଲେ ଜୀବନ ବିକଳରେ ଦୌଡିଲେ। ପହଲଗାମରେ ଯେଭଳି ଧର୍ମ ପଚାରି ପଚାରି ହତ୍ୟା କରିଥିଲେ... ଠିକ ସେହି ଷ୍ଟାଇଲରେ ଧର୍ମ ଦେଖି ମାରିଚାଲିଲେ। ଆତଙ୍କବାଦୀ ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଆକ୍ରମଣକାରୀ ଧରାପଡ଼ିବା ପରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।

ଆମେରିକୀୟ ଗୁଇନ୍ଦା ଅଧିକାରୀଙ୍କ ଅନୁଯାୟୀ, ଦୁଇ ଆକ୍ରମଣକାରୀ ହେଲେ ବାପା-ପୁଅ। ଉଭୟେ ପାକିସ୍ତାନର। ବାପା ଅବସରପ୍ରାପ୍ତ ପାକିସ୍ତାନୀ ସେନା ଜେନେରାଲ ସାଦିକ ଆକ୍ରମ ଏବଂ ପୁଅ ନାଭିଦ ଆକ୍ରମ ଭାବରେ ଚିହ୍ନଟ କରାଯାଇଛି। ସେ କିଛି ମାସ ପୂର୍ବରୁ ISISରେ ଯୋଗ ଦେଇଥିବା ସୂଚନା ମିଳିଛି। ବାପା ଜେନେରାଲ ସାଦିକ ଆକ୍ରମଣର ପୂରା ପ୍ଲାନ ରଚିଥିଲା। ନାଭିଦ ଆକ୍ରମଙ୍କ ପରିବାର ବର୍ତ୍ତମାନ ଇସଲାମାବାଦରେ ରହୁଛନ୍ତି। ପୋଲିସ ଗୁଳିରେ ବାପାର ମୃତ୍ୟୁ ହୋଇଛି। ମୃତ ୫୦ ବର୍ଷୀୟ ବ୍ୟକ୍ତିଙ୍କ ପାଖରେ ଏକ ବୈଧ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଥିଲା ଏବଂ ତାଙ୍କ ନାମରେ ଛଅଟି ଅସ୍ତ୍ରଶସ୍ତ୍ର ପଞ୍ଜିକୃତ ହୋଇଛି। ସମସ୍ତ ଛଅଟି ଅସ୍ତ୍ରଶସ୍ତ୍ର ବଣ୍ଡି ବିଚ୍‌ରେ ହୋଇଥିବା ବ୍ୟବହୃତ ହୋଇଥିବା ଅନୁମାନ କରାଯାଉଛି। ସେମାନେ ଇସଲାମିକ ଷ୍ଟେଟ IS ସହ ଲିଙ୍କରେ ଥିବା କୁହାଯାଉଛି।

ସେହିପରି ଅଷ୍ଟ୍ରେଲିଆର ଗୁଇନ୍ଦା ସଂସ୍ଥା ASIO, ପ୍ରାୟ ଛଅ ବର୍ଷ ପୂର୍ବରୁ ନାଭିଦ ଆକ୍ରମଙ୍କ ସମ୍ପର୍କରେ ତଦନ୍ତ କରିଥିଲା। ସେହି ସମୟରେ, ୨୦୧୯ରେ ସେ ସିଡନୀରେ କାର୍ଯ୍ୟ କରୁଥିବା ଏକ ISIS ଲିଙ୍କ ଆତଙ୍କବାଦୀ ନେଟୱାର୍କ ସହିତ ଘନିଷ୍ଠ ସମ୍ପର୍କ ଥିବା ସନ୍ଦେହ କରାଯାଉଥିଲା। ISIS କମାଣ୍ଡର ଆଇଜାକ୍ ଏଲ୍ ମାଟାରି ଗିରଫ ହେବା ପରେ ASIO ନାଭିଦ ଉପରେ ନଜର ରଖି ଆରମ୍ଭ କରିଥିଲା। କିନ୍ତୁ ତଥାପି ଫେଲ ମାରିଥିଲା ଗୁଇନ୍ଦା ବିଭାଗ। ଯେଭଳି ଭାବେ ପହଲଗାମରେ ନୀରିହ ପର୍ଯ୍ୟଟକଙ୍କୁ ମାରିଥିଲେ ଆତଙ୍କୀ, ଠିକ୍‌ ସେଭଳି ଷ୍ଟାଇଲରେ ଇହୁଦୀଙ୍କୁ ହତ୍ୟା କରିଛନ୍ତି।

ତାହାହେଲେ ନିର୍ଦ୍ଦିଷ୍ଟ ଭାବେ ୧୫ ତାରିଖକୁ କାହିଁକି ବାଛିଲେ ଆକ୍ରମଣକାରୀ? ହନୁକା ହେଉଛି ଇହୂଦୀଙ୍କ ପ୍ରମୁଖ ପର୍ବ। ଆଲୋକର ପର୍ବ। ଏହା ଆଠ ଦିନ ଧରି ପାଳନ କରାଯାଏ। ପର୍ବର ପ୍ରଥମ ରାତିରେ ଶହ ଶହ ଲୋକ ବଣ୍ଡି ବିଚ୍‌ରେ ଏକାଠି ହୋଇଥିଲେ। ଏହି ପର୍ବ ସମୟରେ ମହମବତୀ ଜଳାଯାଏ। ହନୁକା ପର୍ବ ଇହୂଦୀ ଇତିହାସର ବିଜୟର ଉତ୍ସବ। ଏହି ପର୍ବ ଇହୂଦୀମାନଙ୍କୁ ୨ ହଜାର ବର୍ଷ ପୂର୍ବେ ସେହି ସମୟର ମନେ ପକାଇଥାଏ ଯେତେବେଳେ ସେମାନେ ଗ୍ରୀକ୍ ବିରୁଦ୍ଧରେ ଯୁଦ୍ଧରେ ବିଜୟୀ ହୋଇ ସେମାନଙ୍କର ଧର୍ମକୁ ମୁକ୍ତ ଭାବରେ ପାଳନ କରିଥିଲେ। ଯେହେତୁ ରବିବାର ଥିଲା, ଭିଡ଼ ଅଧିକ ହୋଇଥିଲା। ସୁରକ୍ଷା ଢ଼ିଲା ଯୋଗୁଁ ଆକ୍ରମଣ କରିବା ପାଇଁ ବଡ଼ ସୁଯୋଗ ଖୋଲିଦେଲା।

ଆପଣ ଭାବୁଥିବେ ଟାର୍ଗେଟରେ କାହିଁକି ଇହୁଦୀ? ଭୂରାଜନୈତିକ ବିଶେଷଜ୍ଞଙ୍କ ମତରେ ଇହୁଦୀଙ୍କ ଦେଶ ଇସ୍ରାଏଲ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଇସଲାମିକ ଦେଶ ଉପରେ ଆକ୍ରମଣ କରିଆସୁଛନ୍ତି। ଇସଲାମିକ ଦେଶକୁ ଏକାଠି ହେବାକୁ ଆହ୍ୱାନ ଦେଇଆସୁଛନ୍ତି ଏକାଧିକ ଆତଙ୍କବାଦୀ ସଂଗଠନ। ସିଡନୀ ନରସଂହାରର ଏହାର ପ୍ରମୁଖ କାରଣ ହୋଇପାରେ।

ଇହୁଦୀଙ୍କ ଉପରେ ଆକ୍ରମଣକୁ ନେଇ ଟେନସନରେ ବିଶ୍ୱ ନେତା। ଇସ୍ରାଏଲ ପିଏମ ବେଞ୍ଜାମିନ ନେତାନ୍ୟାହୁ କ୍ଷୁବ୍ଧ। ଏହାକୁ ଆତଙ୍କୀ କାର୍ଯ୍ୟ ବୋଲି କହିଛି ଅଷ୍ଟ୍ରେଲିଆ। ଏହି ଆକ୍ରମଣ ପୁଣି ଥରେ ଇସଲାମିକ୍ ଆତଙ୍କବାଦ ଉପରେ ପ୍ରଶ୍ନ ଉଠାଇଛି। ଅଷ୍ଟ୍ରେଲିଆ ମିଳିତ ଜାତିସଂଘ ସାଧାରଣ ସଭା ସମୟରେ ପାଲେଷ୍ଟାଇନ ରାଷ୍ଟ୍ରକୁ ଆନୁଷ୍ଠାନିକ ଭାବରେ ମାନ୍ୟତା ଦେଇଥିଲା। ପୁଣି ଅଷ୍ଟ୍ରେଲିଆ ଅବୈଧ ପ୍ରବାସୀମାନଙ୍କୁ ସ୍ୱାଗତ କରିବା ନୀତି ଏବେ ଗମ୍ଭୀର ପ୍ରଶ୍ନର ସମ୍ମୁଖୀନ ହେଉଛି। ଇହୂଦୀ ସୁରକ୍ଷା ପ୍ରତି ଅବହେଳା କହି ଅଷ୍ଟ୍ରେଲୀୟ ସରକାରଙ୍କ ଉପରେ ବର୍ଷିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। କିନ୍ତୁ ଅଷ୍ଟ୍ରେଲିଆ ଏହାକୁ ପ୍ରତ୍ୟାଖାନ କରିବା ସହ ନେତନ୍ୟାହୁ ହିଁ ନିଆଁ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ।

ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆରବ ବିଶେଷଜ୍ଞମାନେ। ଅଷ୍ଟ୍ରେଲିଆରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କୀଙ୍କ ଚିନ୍ତାଧାରାକୁ ଦାୟୀ କରିଛନ୍ତି ୟୁଏଇର ଭୂରାଜନୈତିକ ବିଶେଷଜ୍ଞ ଅମଜାଦ। ତାଙ୍କ ମତରେ ଉଭୟ ଆତଙ୍କବାଦୀ ପାକିସ୍ତାନର। କିଛି ମାସ ପୂର୍ବରୁ ଭାରତ କାଶ୍ମୀରରେ ଇସଲାମିକ୍ ପାକିସ୍ତାନ ସମର୍ଥିତ ଜିହାଦୀ ଆତଙ୍କବାଦର ସମ୍ମୁଖୀନ ହୋଇଥିଲା। ବିଶ୍ୱ ଏହାକୁ ଅଣଦେଖା କରିଥିଲା। ଏବେ ସେହି ସମାନ ଚିନ୍ତାଧାରା ଅଷ୍ଟ୍ରିଆ ଏବଂ ବଣ୍ଡି ବିଚରେ ପହଞ୍ଚିଛି ଏବଂ ଇହୁଦୀ ସମ୍ପ୍ରଦାୟ ବିରୁଦ୍ଧରେ ନରସଂହାର କରୁଛି।

ଆତଙ୍କୀ ହମଲାକୁ ନେଇ କଡା ନିନ୍ଦା କରିଛି ଭାରତ। ଏବେ ବ୍ଲାକ୍ ଲିଷ୍ଟେଟ୍ ହେବେ ପାକିସ୍ତାନର ଆତଙ୍କବାଦୀ ସଂଗଠନ। ଭାରତ ସହ ହାତ ମିଳାଇଛନ୍ତି ଟ୍ରମ୍ପ ପ୍ରଶାସନ। ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଏବଂ ଅଲ-କାଏଦା, ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ସେମାନଙ୍କର ପ୍ରକ୍ସି ନେଟୱର୍କଗୁଡ଼ିକ ଉପରେ ଜାତିସଂଘ ସୁରକ୍ଷା ପରିଷଦ 1267 ସିଷ୍ଟମ ଅନୁଯାୟୀ ନୂତନ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ଏବଂ ଭାରତ ମିଳିତ ଭାବରେ ଜାତିସଂଘକୁ ନିବେଦନ କରିଛନ୍ତି। ବିଳମ୍ବ ନକରି ଆତଙ୍କୀଙ୍କ ମୂଳପୋଛ କରିବାକୁ ବିଶ୍ୱନେତାଙ୍କୁ ଆହ୍ୱାନ ଦେଇଛି ନୂଆଦିଲ୍ଲୀ।