LIVE TV

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରେ କେନ୍ ୱିଲିୟମ୍ସନଙ୍କ ଏଣ୍ଟ୍ରି, ନୂଆ ଭୂମିକାରେ ଆସିବେ ନଜର

NEWS7
a-new-way-to-test-the-covid-19-mouth-gargle

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପାଇଁ ମିନି ଅକ୍ସନ ଆସନ୍ତା ଡିସେମ୍ୱର ୧୩ରୁ ୧୫ ମଧ୍ୟରେ ହେବ । ଏଥିପାଇଁ ଟିମ୍‌ଗୁଡ଼ିକ ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ଲିଷ୍ଟ ନଭେମ୍ୱର ୧୪ ସୁଦ୍ଧା ହେବ । ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣ ପୂର୍ବରୁ ସବୁ ଫ୍ରାଞ୍ଚାଇଜ୍ ନିଜ ରଣନୀତି କରିବା ଉପରେ ଏବେଠାରୁ ଲାଗିପଡ଼ିଛନ୍ତି । ଏହାରି ଭିତରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନିଜ ଟିମ୍ ସହ ଜଣେ ମହାନ ବ୍ୟାଟରଙ୍କୁ ଯୋଡ଼ିଛି ।

ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମ୍ସନ୍ ଆଇପିଏଲ ୨୦୨୬ରେ ଅଂଶ ହେବେ । କିନ୍ତୁ ସେ ଖେଳାଳି ଭାବେ ନୁହେଁ, ବରଂ ନୂଆ ଭୂମିକାରେ ନଜର ଆସିବେ । ୩୫ ବର୍ଷୀୟ ୱିଲିୟମ୍ସନଙ୍କୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସର ଷ୍ଟ୍ରାଟେଜିକ୍ ଆଡଭାଇଜର୍ ନିଯୁକ୍ତ କରାଯାଇଛି । ପୂର୍ବତନ ଭାରତୀୟ କ୍ରିକେଟର ଜହିର ଖାନ ଏହି ଟିମର ମେଣ୍ଟର ପଦ ଛାଡ଼ିଥିଲେ । ତେବେ ୱିଲିୟମ୍ସନଙ୍କ ଯୋଗଦାନ ଟିମ୍ ପାଇଁ ଲାଭଦାୟକ ହୋଇପାରେ ।

କେନ ୱିଲିୟମ୍ସନ ଆଇପିଏଲ୍ ୨୦୨୬ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଟିମର ସଦସ୍ୟ ରହିବେ । ଉଲ୍ଲେଖଯୋଗ୍ୟ ଯେ ୱିଲିୟମ୍ସନ୍ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ସନ୍ନ୍ୟାସ ନେଇନାହାନ୍ତି । କିନ୍ତୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡର କନଟ୍ରାକ୍ଟରୁ ଅସ୍ୱୀକାର କରିଥିଲେ, ଫଳରେ ଫ୍ରାଞ୍ଚାଇଜ୍ କ୍ରିକେଟରେ ଆକ୍ଟିଭ ରହିପାରିବେ । ସେପଟେ ଇଂଲଣ୍ଡର କାର୍ଲ କ୍ରୋଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟର ସ୍ପିନ୍ ବୋଲିଂ କୋଚ୍ ନିଯୁକ୍ତ କରାଯାଇଛି । ପୂର୍ବରୁ ସେ କୋଲକାତା ନାଇଟ୍ ରାଇଡର୍ସର ସହ ଏହି ଭୂମିକାରେ ରହିଥିଲେ । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜଷ୍ଟିନ୍ ଲାଙ୍ଗର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ମୁଖ୍ୟ କୋଚ୍ ହୋଇ ରହିବେ ।

କେନ୍ ୱିଲିୟମ୍ସନଙ୍କ ଟିମରେ ସାମିଲ କରିବାର ନିଷ୍ପତ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମାଲିକ ସଞ୍ଜୀବ ଗୋଏଙ୍କା ବ୍ୟକ୍ତିଗତ ଥିଲା । ଲଣ୍ଡନରେ ୱିଲିୟମ୍ସନଙ୍କ ସହ ଗୋଏଙ୍କାଙ୍କ ବୈଠକ ହୋଇଥିଲା । ସଞ୍ଜୀବ ଗୋଏଙ୍କା ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି, "କେନଙ୍କ ରଣନୈତିକ ଚିନ୍ତାଧାରା ଓ ନେତୃତ୍ୱ ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡର ପ୍ରଭାବଶାଳୀ ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସେ ଜଣେ ଚମତ୍କାର ଖେଳାଳି, ମଣିଷ ଏବଂ ଅଧିନାୟକ । ତାଙ୍କର ଶାନ୍ତ ସ୍ୱଭାବ ଏବଂ ଖେଳାଳିମାନଙ୍କୁ ପ୍ରେରଣା ଦେବାର କ୍ଷମତା ମୋତେ ସର୍ବଦା ପ୍ରଭାବିତ କରିଛି । ଲଣ୍ଡନରେ ଆମର ସାକ୍ଷାତ ପରେ, କେନ, ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର ଏବଂ ଅଧିନାୟକ ରିଷଭ ପନ୍ତଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଥିଲା । ଏହା ପରେ, ଦଳ ପାଇଁ ସେ ସର୍ବୋତ୍ତମ ପସନ୍ଦ ବୋଲି ଆମେ ସମସ୍ତେ ନିଷ୍ପତ୍ତି ନେଇଥିଲୁ ।"

କେନ୍ ୱିଲିୟମ୍ସନ୍ ତାଙ୍କର କ୍ରିକେଟ୍ ଦକ୍ଷତା ଏବଂ ନେତୃତ୍ୱ ପାଇଁ ପରିଚିତ । ସେ ୧୦୫ଟି ଟେଷ୍ଟ,୧୭୩ଟି ଦିନିକିଆ ଏବଂ ୯୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ୱିଲିୟମ୍ସନ୍ ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟାନ୍ସ ପାଇଁ ଖେଳିଛନ୍ତି। କେନ୍‌ଙ୍କୁ ଏଲଏସଜି ଦଳରେ ସାମିଲ କରିବା ପାଇଁ ପ୍ରକ୍ରିୟା ପ୍ରାୟ ତିନି ମାସ ପୂର୍ବରୁ ଆରମ୍ଭ ହୋଇଥିଲା । ଦଳର ମାଲିକ, ପ୍ରଶିକ୍ଷକ, ଅଧିନାୟକ ଏବଂ ପରିଚାଳନା ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।