ଡ୍ରାଏ ଷ୍ଟେଟ୍ ଗୁଜରାଟରେ ମଦ୍ୟପାନକୁ ଗ୍ରୀନ ସିଗନାଲ୍, ସର୍ତ୍ତ ଲାଗୁ

NEWS7
a-man-his-minor-son-and-daughter-died-due-to-a-poisonous-insect-bite

ନୂଆଦିଲ୍ଲୀ: ଗୁଜରାଟ ଏମିତି ଏକ ରାଜ୍ୟ, ଯେଉଁଠି ମଦ ତିଆରି, ବିକ୍ରି ଏବଂ ସେବନ ଉପରେ ପ୍ରତିବନ୍ଧକ ଲାଗିଛି । କିନ୍ତୁ ସରକାର ମଦକୁ ନେଇ ଏବେ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମଦ୍ୟପାନ ଉପରୁ ପ୍ରତିବନ୍ଧକ ଉଠାଇ ଦିଆଯିବ ବୋଲି କୁହାଯାଉଛି । ବାହାର ରାଜ୍ୟର ଲୋକ ଏବଂ ବିଦେଶୀମାନଙ୍କୁ ମଦ୍ୟପାନ ଲାଗି ଅନୁମତି ମିଳିବ । ଖୋଲାଖୋଲି ଭାବରେ ଲୋକେ ଗୁଜରାଟରେ ମଦ୍ୟପାନ କରିପାରିବେ । କିନ୍ତୁ ସାରା ରାଜ୍ୟରେ ଏହି ସୁଯୋଗ ମିଳିବ ନାହିଁ । କେବଳ ଗିଫ୍ଟ ସିଟିରେ ଏହି ସୁବିଧା ପାଇବେ ଲୋକେ । ସେଠାରେ ଥିବା ହୋଟେଲ ଏବଂ ସୁଇମିଂ ପୁଲ ପାଖରେ ଲୋକମାନେ ମଦ୍ୟପାନ କରିପାରିବେ ।

ନୂଆ ମଦ ନୀତି ଅନୁଯାୟୀ, କେବଳ GIFT ସିଟିର ସ୍ଥିରୀକୃତ ପରିସର ମଧ୍ୟରେ ମଦ୍ୟପାନ ଲାଗି ଅନୁମତି ଦିଆଯିବ। ଅଧିକାରୀମାନେ ANIକୁ କହିଛନ୍ତି ଯେ, ଏହି ପରିବର୍ତ୍ତନ ଏକ ବିଶ୍ୱସ୍ତରୀୟ ବ୍ୟବସାୟ ଇକୋସିଷ୍ଟମକୁ ସମର୍ଥନ କରିବା ଉାଦ୍ଦେଶ୍ୟରେ କରାଯାଇଛି । ଅନ୍ତର୍ଜାତୀୟ ନିବେଶକ ଏବଂ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାତୀୟ ଓ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ପାଇଁ କାର୍ଯ୍ୟକୁ ସୁଗମ କରିବା ପାଇଁ ଡିଜାଇନ୍ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ଗୁଜରାଟର ବାସିନ୍ଦାଙ୍କ ବ୍ୟତୀତ ଯେକୌଣସି ବ୍ୟକ୍ତି ଏବଂ ବିଦେଶୀ ନାଗରିକ ଏବେ GIFT ସିଟିର ନିର୍ଦ୍ଦିଷ୍ଟ ସ୍ଥାନରେ ଏକ ବୈଧ ଫଟୋ ପରିଚୟପତ୍ର ଦେଖାଇ ମଦ୍ୟପାନ କରିପାରିବେ । ପୂର୍ବରୁ ଗୁଜରାଟରେ ମଦ୍ୟପାନ କରିବାକୁ ହେଲେ, ଲୋକଙ୍କୁ ଏକ ଅସ୍ଥାୟୀ ଅନୁମତି ପତ୍ରର ଆବଶ୍ୟକତା ପଡ଼ୁଥିଲା । ଏବେ କେବଳ ଏକ ପରିଚୟ ପତ୍ର ଦେଖାଇ ଗିଫ୍ଟ ସିଟିରେ ମଦ୍ୟପାନ କରିପାରିବେ ଲୋକେ । ନୂଆ ନିୟମ ଅନୁସାରେ, ମଦ୍ୟପାନ ପରମିଟ୍ ଥିବା ଗିଫ୍ଟ ସିଟିର କର୍ମଚାରୀମାନେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ସମୟରେ ସର୍ବାଧିକ ୨୫ ଜଣ ଅତିଥିଙ୍କୁ ଆତିଥ୍ୟ ଦେଇପାରିବେ । ଯଦି ରାଜ୍ୟ ବାହାରର ଲୋକ ହୋଷ୍ଟ ଥାଆନ୍ତି, ତେବେ ତାଙ୍କୁ ଅସ୍ଥାୟୀ ପରମିଟ ମିଳିବ ।

ସାବରମତୀ ନଦୀ କୂଳରେ ୮୮୦ ଏକର ଜମିରେ ବ୍ୟାପିଛି ଗିଫ୍ଟ ସିଟି । ଏହା ଭାରତର ପ୍ରଥମ କାର୍ଯ୍ୟକ୍ଷମ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର (IFSC)। ରିପୋର୍ଟ ଅନୁଯାୟୀ, ଅହମଦାବାଦ ଏବଂ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଏହି ସ୍ମାର୍ଟ ସିଟି, ଏକ ବିଶ୍ୱ ଆର୍ଥିକ ଏବଂ IT ଡେଷ୍ଟିନେସନ୍ । ଯଦିଓ ଗୁଜରାଟ ସରକାର ନିଜ ‘ଓ୍ବାଇନ୍ ଆଣ୍ଡ ଡାଇନ୍’ ପଲିସକୁ ସାମାନ୍ୟ ପରିବର୍ତ୍ତନ କରିଛନ୍ତି, କିନ୍ତୁ ଗିଫ୍ଟ ସିଟିକୁ ବାଦ ଦେଲେ ରାଜ୍ୟର ବାକି ସ୍ଥାନରେ ପୂର୍ବ ନିୟମ ବଳବତ୍ତର ରହିବ