egg price hike: ହୁ ହୁ ହୋଇ ବଢ଼ୁଛି ଅଣ୍ଡା ଦର;ଖାଉଟି ଓ ବେପାରୀ ଉଭୟଚିନ୍ତାରେ, ଶୀତ ଦିନରେ କାହିଁକି ବଢୁଛି ଏତେ ଦର? କମିବ କେବେ ଜାଣନ୍ତୁ

NEWS7
9-minutes-9-pm-india-lights-deeya-candles-to-fight-against-corona-virus-amid

ନୂଆଦିଲ୍ଲୀ, egg price hike: ସଣ୍ଡେ ହୋ ୟା ମଣ୍ଡେ ରୋଜ୍ ଖାଓ ଅଣ୍ଡେ....ହେଲେ ଏବେ ରୋଜ୍ ଅଣ୍ଡା ଖାଇବା ଆଉ ସମ୍ଭବ ନୁହେଁ... କାରଣ ଦର ଏମିତି ବଢ଼ୁଛି, ଯେ ଅଣ୍ଡା କିଣିବା ପୂର୍ବରୁ ଖାଉଟି, କେବଳ ପକେଟ୍‌ରେ ଥରେ ଦୁଇ ଥର ହାତ ବୁଲାଇ ଆଣି ସନ୍ତୁଷ୍ଟ ହୋଇଯାଉଛି। ଖାଲି ଖାଉଟି କାହିଁକି ? ବେପାରୀ ବି ଚିନ୍ତାରେ...ଦର ବଢ଼ିବା ଯୋଗୁ ବିକ୍ରି ବି କମୁଛି। ଭୁବନେଶ୍ୱରରେ ଅଣ୍ଡା ଗୋଟି ୯ ଟଙ୍କା ହେଲାଣି। ଏ ଅବସ୍ଥା କେବଳ ଭୁବନେଶ୍ୱରରେ ନୁହେଁ। ଭାରତର ଅଧିକାଂଶ ରାଜ୍ୟରେ ଏଭଳି ସ୍ଥିତି।

ବିହାରର ପାଟନା ଠାରୁ ଦିଲ୍ଲୀ...ମହାରାଷ୍ଟ୍ରର ମୁମ୍ବାଇ ଠାରୁ ଝାଡ଼ଖଣ୍ଡର ରାଞ୍ଚି ସବୁଠି ଅଣ୍ଡା ଦରବୃଦ୍ଧି ଚିନ୍ତା। ଖୁଚୁରା ମାର୍କେଟ୍ର ଗୋଟି ୯ ଟଙ୍କା। ଶୀତ ଦିନରେ ଅଣ୍ଡା ଦର ଏତେ ବଢ଼ିବା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସାଧାରଣତଃ ଅଣ୍ଡା ଦର ୭ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଶୀତରେ ଏହା ଟଙ୍କାଟେ ବଢ଼ି ୮ ଟଙ୍କା ଓ ୮.୫୦ ହେଲା। ଆଉ ଏବେ ୯ ଟଙ୍କା ଗୋଟିଏ ଅଣ୍ଡାର ଦାମ।

ଡିସେମ୍ବର ମାସ ଯାଉଛି ଜାନୁଆରୀ ଆସୁଛି। ଅଣ୍ଡା ଦର ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଅଗଷ୍ଟ ଏବଂ ସେପ୍ଟେମ୍ବର ତୁଳନାରେ, ଅନେକ ବଜାରରେ ଅଣ୍ଡା ମୂଲ୍ୟ ପୂର୍ବରୁ ହିଁ ୨୫ ରୁ ୫୦% ବୃଦ୍ଧି ହୋଇଛି। ମାର୍କେଟ୍ର ଗତିକୁ ଦେଖି ବ୍ୟବସାୟୀମାନେ କହିଛନ୍ତି, ଯେହେତୁ ଶୀତ ଆଉ କିଛିଦିନ ରହିଛି ତେଣୁ ଅଣ୍ଡା ଦର ଫ୍କକଚୁଏଟ୍ ହୋଇପାରେ। ମୂଲ୍ୟ ସ୍ଥିର ରହିପାରେ କିମ୍ବା ସ୍ୱଳ୍ପ ସମୟ ପାଇଁ ଆହୁରି ବଢ଼ିପାରେ।

କ’ଣ କହିଲେ ଏକ୍ସପର୍ଟ ?

କୁକୁଡ଼ା ଚାଷ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅଣ୍ଡା ଦରରେ ଏହି ବୃଦ୍ଧି ହଠାତ୍ ନୁହେଁ। ଗତ ବର୍ଷ, କିଛି ଅଞ୍ଚଳରେ ଯୋଗାଣ ଏତେ କମ୍ ଥିଲା ଯେ ଗ୍ରାହକମାନେ ଅଣ୍ଡା ଖୋଜିଲେ ବି ମିଳୁ ନଥିଲା। ସବୁ ଦର ବଢ଼ୁଛି ହେଲେ ଅଣ୍ଡା ଦର ଦୀର୍ଘ ସମୟ ଧରି ସ୍ଥିର ରହିଥିଲା। ତେବେ ଚଳିତ ବର୍ଷ ଏହି ବୃଦ୍ଧି ବଜାର ମୂଲ୍ୟର ସଂଶୋଧନ ବୋଲି ବିଶେଷଜ୍ଞ କହିଛନ୍ତି। ଭୁବନେଶ୍ୱରରେ ବ୍ୟବସାୟୀଙ୍କ କହିବା କଥା ହେଲା ଡିମାଣ୍ଡ ଅନୁସାରେ ସପ୍ଲାଏ ହେଉ ନାହିଁ, ତେଣୁ ମୂଲ୍ୟ ବଢ଼ୁଛି।

ତେଣୁ ଅଣ୍ଡା ଦର ବୃଦ୍ଧିର ବଡ଼ କାରଣ ହେଲା ଏହାର ପ୍ରବଳ ଡିମାଣ୍ଡ। ଅନ୍ୟ ରାଜ୍ୟ କଥା ଦେଖିଲେ ଉତ୍ତର ପ୍ରଦେଶର କୁକୁଡ଼ା ସଂଘର ସଭାପତି ଆଡଭୋକେଟ୍ ନବାବ ଆକବର ଅଲି କହିଛନ୍ତି, ଡିସେମ୍ବର ଆରମ୍ଭ ହେବା ମାତ୍ରେ ଅଣ୍ଡାର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଏ।। ଏହି ଟ୍ରେଣ୍ଡ କେବଳ ଗୋଟିଏ ସହରର କିମ୍ବା ରାଜ୍ୟରେ ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ଦେଖାଯାଏ। ଉତ୍ତର ପ୍ରଦେଶ ଭଳି ବଡ଼ ରାଜ୍ୟରେ ଡିସେମ୍ବର ମାସରେ ଯେତିକି ଡିମାଣ୍ଡ ରହିଛି, ତା ଠାରୁ ସପ୍ଲାଏ ବହୁତ କମ ରହୁଛି। ତେଣୁ ରାଜ୍ୟରେ ଅଣ୍ଡାର ଖୁଚୁରା ମୂଲ୍ୟ ୮ରୁ ୧୦ ଟଙ୍କା ରହିଛି। ହେଲେ ହୋଲ୍ସେଲରେ ଅଣ୍ଡା ଗୋଟି ୭.୫ ଟଙ୍କା ରହିଛି।

ଡିମାଣ୍ଡ-ସପ୍ଲାଏ କମ୍ ବେଶି ହେଉଥିବା ବେଳେ ଟ୍ରାନ୍ସପୋର୍ଟ ଖର୍ଚ୍ଚ ଦର ବୃଦ୍ଧିକୁ ଆହୁରି ବଢ଼ାଇ ଦେଉଛି। ତେଣୁ ବଜାର ପର୍ଯ୍ୟବେକ୍ଷକମାନେ କହିଛନ୍ତି ହୋଲ୍ସେଲ୍ ମୂଲ୍ୟରେ ପ୍ରତି ଅଣ୍ଡାରେ ଆହୁରି ୧୫ ରୁ ୨୦ ପଇସା ବଢ଼ିପାରେ। ତେବେ ଫେବୃଆରୀ ମାସରୁ ଅଣ୍ଡା ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଦର ବୃଦ୍ଧିରେ କୃଷକ ଖୁସି, କହିଲେ ଦର ଠିକ୍ ଅଛି

ଇଣ୍ଡଷ୍ଟ୍ରୀ ଲିଡରଙ୍କ କହିବା କଥା ହେଲା ୮ ଟଙ୍କାରେ ମିଳୁଥିବା ଅଣ୍ଡାକୁ ମହଙ୍ଗା କୁହାଯାଇପାରିବ ନାହିଁ। କୁକୁଡ଼ା ଫେଡେରେସନ ଅଫ୍ ଇଣ୍ଡିଆର ସଭାପତି ରଣପାଲ ଧଣ୍ଡା କହିଛନ୍ତି ଯେ ଏହି ଦର କୁକୁଡ଼ା ଚାଷୀମାନଙ୍କୁ କିଛିମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛି। କୁକୁଡ଼ା ଚାଷ ପାଇଁ ଖାଦ୍ୟ ଭାବରେ ବ୍ୟବହାର ହେଉଥିବା ମକା, ସୋୟାବିନ ଓ ଅନ୍ୟାନ୍ୟ ଦାନାର ଦର ବର୍ଷକୁ ବର୍ଷ ବଢ଼ୁଛି, ତେଣୁ ଚାଷରେ ଖର୍ଚ୍ଚ ଅଧିକ ହେଉଛି, ହେଲେ ଅଣ୍ଡା ଦର ନ ବଢ଼ି ସ୍ଥିର ରହୁଛି। ତେଣୁ କ୍ଷତିରେ ଅନେକ ଚାଷୀ ସେମାନଙ୍କର କୁକୁଡ଼ା ଫାର୍ମ ବନ୍ଦ କରିଦେଲେଣି। ତେଣୁ ଦେଶରେ ଅଣ୍ଡା ଉତ୍ପାଦନ ହ୍ରାସ ପାଉଛି। ଏହାଦ୍ୱାରା ଡିମାଣ୍ଡ ଅନୁସାରେ ସପ୍ଲାଏ ହୋଇପାରୁ ନାହିଁ। ଚଳିତ ବର୍ଷ ଯଦି ଚାଷୀ ଭଲ ମୂଲ୍ୟ ନପାଇଲେ ତେବେ ଭବିଷ୍ୟତରେ ଅଣ୍ଡା ଉତ୍ପାଦନର ବଡ଼ ସମସ୍ୟା ସୃଷ୍ଟି ହୋଇପାରେ। ଏହା ସତ୍ତ୍ୱେ ବି ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ଅଣ୍ଡା ମୂଲ୍ୟ ବହୁତ କମ୍ ବୋଲି ଧଣ୍ଡା କହିଛନ୍ତି।

ହୋଲସେଲ୍ ବଜାରରେ ଅଣ୍ଡା କେଉଁଠାରେ ସବୁଠାରୁ ଶସ୍ତା?

ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ରୁ ମିଳିଥିବା ତଥ୍ୟ ଦର୍ଶାଉଛି ଯେ ନମାକ୍କାଲ ଏବଂ ହସପେଟ୍ ଦେଶରେ ସବୁଠାରୁ କମ ପାଇକାରୀ ମୂଲ୍ୟରେ ଅଣ୍ଡା ବିକ୍ରି କରୁଛନ୍ତି। ଏହି ବଜାରରେ ପ୍ରତି ୧୦୦ ଅଣ୍ଡାକୁ ପ୍ରାୟ ୬୪୦ ରୁ ୬୪୫ ଟଙ୍କାରେ ବିକ୍ରି କରାଯାଉଛି। କୁକୁଡ଼ା ଚାଷ ବିଶେଷଜ୍ଞମାନଙ୍କ ଅନୁଯାୟୀ ଏହି ଦୁଇଟି ସେଣ୍ଟର ଭାରତର ସବୁଠାରୁ ବଡ଼ ଅଣ୍ଡା ବଜାର ମଧ୍ୟରୁ ଗୋଟିଏ। ବିଶେଷକରି ନମକ୍କାଲ ଏକ ପ୍ରମୁଖ କେନ୍ଦ୍ର। ଦେଶରୁ ଅଣ୍ଡା ରପ୍ତାନିର ଏକ ବଡ଼ ଅଂଶ ଏହି ବଜାରରୁ ଆସୁଛି। ତେବେ ଡିମାଣ୍ଡ ସପ୍ଲାଏର ଏହି ଅସ୍ଥିରତା ଭିତରେ ଶୀତ ଦିନରେ ଅଣ୍ଡାଦର କମିବାର ସମ୍ଭାବନା ଦେଖା ଯାଉ ନାହିଁ। ଗରମ ଦିନ ଆସିଲେ ଦର ହ୍ରାସ ପୋଇପାରେ ବୋଲି ଆଶା କରାଯାଉଛି।