LIVE TV

ଛଅ ଦଶନ୍ଧୀର ଷ୍ଟାରଡମ୍...୩୦୦ରୁ ଅଧିକ ଫିଲ୍ମ; ପଞ୍ଜାବର ଧରମ୍‌ ଏମିତି ହୋଇଥିଲେ ବଲିଉଡର ହି-ମ୍ୟାନ୍‌

NEWS7
80-new-passenger-trains-will-start-12-september-obey-the-rules

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଦୁନିଆର ଜଣେ ଲୋକପ୍ରିୟ ଏବଂ ସଫଳତମ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସିନେ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି । ପଦ୍ମ ଭୂଷଣ ଧର୍ମେନ୍ଦ୍ର ଦୀର୍ଘ ୬୦ ବର୍ଷ ଧରି ହିନ୍ଦୀ ଚଳଚ୍ଚିତ୍ର ଦୁନିଆରେ ରାଜ କରିଥିଲେ । ଏହି ସମୟରେ ଅନେକ ରେକର୍ଡ କରିଛନ୍ତି, ଏବଂ ସେହି ରେକର୍ଡ ନିଜେ ବ୍ରେକ୍ କରିଛନ୍ତି ଧର୍ମେନ୍ଦ୍ର । ୬ ଦଶନ୍ଧୀର ଦୀର୍ଘ କ୍ୟାରିୟରରେ ବହୁ ଉତ୍ଥାନ ପତନ ଦେଖିଥିବା ଧର୍ମେନ୍ଦ୍ର ନିଜର ଦକ୍ଷତା ବଳରେ ହି-ମ୍ୟାନ୍ ଟାଇଟଲ୍ ବି ପାଇଛନ୍ତି । ପଞ୍ଜାବର ଏକ ଛୋଟ ସହରରୁ ମୁମ୍ବାଇ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅନେକଙ୍କ ଲାଗି ପ୍ରେରଣାଦାୟୀ ।

ଧର୍ମେନ୍ଦ୍ର ୧୯୬୦ ମସିହାରେ ‘ଦିଲ୍ ଭି ତେରା ହମ୍ ଭି ତେରେ’ ଫିଲ୍ମ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ । ୧୯୬୬ ମସିହାରେ ରିଲିଜ୍ ହୋଇଥିବା ‘ଫୁଲ୍ ଔର ପଥର’ ଫିଲ୍ମ ତାଙ୍କୁ ଷ୍ଟାରଡମ୍ ଦେଇଥିଲା। ପରବର୍ତ୍ତୀ ସମୟରେ ‘ସତ୍ୟକାମ୍’, ‘ମେରା ଗାଁଓ ମେରା ଦେଶ’ ଏବଂ ‘ଶୋଲେ’ ତାଙ୍କୁ ଜଣେ ବିଶିଷ୍ଟ ଅଭିନେତା ଭାବରେ ପ୍ରତିଷ୍ଠିତ କରିଥିଲା । ହେମା ମାଳିନୀଙ୍କ ସହିତ ତାଙ୍କର କେମିଷ୍ଟ୍ରି ତାଙ୍କୁ ବଲିଉଡର ସୁବର୍ଣ୍ଣ ଯୁଗରେ ଏକ ପ୍ରମୁଖ ବ୍ୟକ୍ତିତ୍ୱ ଭାବରେ ପରିଚିତି ଦେଇଥିଲା । ଧର୍ମେନ୍ଦ୍ରଙ୍କ ସମ୍ପତ୍ତି ମଧ୍ୟ ତାଙ୍କ ସଫଳ କ୍ୟାରିୟରର ପ୍ରମାଣ ଦିଏ । ପ୍ରାୟ ୩୩୫ରୁ ୪୫୦ କୋଟି ଟଙ୍କାର ସଂପତ୍ତିର ମାଲିକ ଥିଲେ ଧର୍ମେନ୍ଦ୍ର । ଏହା ବ୍ୟତୀତ ସେ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ନିବେଶ କରିଥିଲେ । ତାଙ୍କର ଥିମ୍ ରେଷ୍ଟୁରାଣ୍ଟ, ଗରମ ଧରମ୍ ଢାବା ଏବଂ ହି-ମ୍ୟାନ୍, ଏବେ ବି ପ୍ରଶଂସକମାନଙ୍କୁ ଆକର୍ଷିତ କରେ।

ମୁମ୍ବାଇ ଏବଂ ଲୋନାୱାଲାରରେ ୧୦୦ ଏକରରେ ଥିବା ଫାର୍ମହାଉସରେ ଧର୍ମେନ୍ଦ୍ର ସରଳ ଜୀବନ ଯାପନ କରୁଥିଲେ । ପ୍ରକୃତି ପ୍ରତି ପ୍ରେମ ତାଙ୍କୁ ଜଣେ ହୃଦୟବାନ ବ୍ୟକ୍ତିତ୍ବର ପରିଚୟ ଦେଇଥିଲା । ଧର୍ମେନ୍ଦ୍ରଙ୍କ କାର କଲେକ୍ସନ ମଧ୍ୟ ନିଆରା । ରେଞ୍ଜ ରୋଭର ଇଭୋକ୍ ଏବଂ ମର୍ସିଡିଜ୍-ବେଞ୍ଜ SL500 ଭଳି ବିଳାସପୂର୍ଣ୍ଣ ଯାନ ବ୍ୟବହାର କରୁଥିଲେ ଧର୍ମେନ୍ଦ୍ର । ସେ ଆକ୍ସନ ଠାରୁ ଆରମ୍ଭ କରି ପ୍ରେମ ଏବଂ ଭାବପ୍ରବଣ ଭରା ଭୂମିକାରେ ଅତି ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିପାରି ଥିଲେ । ସେ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣିତ କରିଥିଲେ।

ନିଜ କ୍ୟାରିୟରରେ ଧର୍ମେନ୍ଦ୍ର ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ରେକର୍ଡ କରିଥିଲେ । ୧୯୮୩ରେ ଧର୍ମେନ୍ଦ୍ର ନିଜ ବ୍ୟାନର ‘ବିଜେତା ଫିଲ୍ମ’ ମାଧ୍ୟମରେ ‘ବେତାବ’ ଏବଂ ‘ବରସାତ’ ଭଳି ହିଟ୍ ଫିଲ୍ମ ଭେଟି ଦେଇଥିଲେ । ଏହି ଫିଲ୍ମ ଜରିଆରେ ସେ ନିଜର ଦୁଇ ପୁଅ ସନି ଦେଓଲ ଏବଂ ବବି ଦେଓଲଙ୍କୁ ମଧ୍ୟ ଲଞ୍ଚ କରିଥିଲେ । ଧର୍ମେନ୍ଦ୍ରଙ୍କ ଭଳି ସନି ଏବଂ ବବି ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଦୁଇ ପୁଅଙ୍କ ବ୍ୟତୀତ ଧର୍ମେନ୍ଦ୍ର ନିଜ ନାତି କରଣ ଦେଓଲଙ୍କୁ ଫିଲ୍ମ ‘ପଲ ପଲ୍ ଦିଲ୍ କେ ପାସ’ ଫିଲ୍ମ ମାଧ୍ୟମରେ ଲଞ୍ଚ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି, ଧର୍ମେନ୍ଦ୍ର ୨୦୨୪ ପର୍ଯ୍ୟନ୍ତ ଫିଲ୍ମରେ ସକ୍ରିୟ ଥିଲେ । ତେରେ ବାତୋ ମେଁ ଏସେ ଓଲଝା ଜିଆରେ ବଳିଷ୍ଠ ଅଭିନୟ କରିଥିଲେ ଧର୍ମେନ୍ଦ୍ର । ସେହିଭଳି ତାଙ୍କ ଅଭିନୀତ ‘ଇକ୍କିସ୍’ ରିଲିଜ୍ ଅପେକ୍ଷାରେ ରହିଛି ।