ସର୍ବକାଳୀନ ନିମ୍ନ ସ୍ତରରେ ଭାରତୀୟ ମୁଦ୍ରା ଟଙ୍କା, ଜାଣନ୍ତୁ ଡଲାର ତୁଳନାରେ ମୂଲ୍ୟ ଏବେ କେତେ?

NEWS7
7-years-old-boy-kidnapped-and-killed-by-one-sided-lover-in-berhampur

ମୁମ୍ବାଇ ୨୧।୧: ଭାରତୀୟ ଟଙ୍କାର ମୂଲ୍ୟ ବୁଧବାର ଆମେରିକୀୟ ଡଲାର ତୁଳନାରେ ହ୍ରାସ ହୋଇ ସର୍ବକାଳୀନ ନିମ୍ନ ସ୍ତରକୁ ପହଞ୍ଚି ଯାଇଛି। ଡଲାରର ସ୍ଥିର ଚାହିଦା ଓ ବୈଶ୍ୱିକ ସ୍ତରରେ ସତର୍କତାର ପରିବେଶ ଯୋଗୁ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି। ବୈଦେଶିକ ମୁଦ୍ରା ବ୍ୟବସାୟୀଙ୍କ ଅନୁସାରେ ଭୂ-ରାଜନୈତିକ ଅନିଶ୍ଚିତତା ବୈଶ୍ୱିକ ବଜାରଗୁଡିକୁ ରିସ୍କିରୁ ସୁରକ୍ଷିତ ରଖିବାର ପ୍ରବୃତ୍ତିକୁ ପ୍ରୋତ୍ସାହିତ କରିଛି। ଏଣୁ ଏହାର ପ୍ରଭାବ ପ୍ରଗତିଶୀଳ ବଜାରଗୁଡିକାର ମୁଦ୍ରାଙ୍କ ଉପରେ ସ୍ପଷ୍ଟ ପରିଲଖିତ ହେଉଛି।

ଏହା ଛଡା ଲଗାତାର ବିଦେଶୀ ପୁଞ୍ଜି ଉଠାଣ ଘରୋଇ ସେୟାର ବଜାରକୁ ସୁସ୍ତିଆ କରିବା ଟଙ୍କାର ଦୁର୍ବଳତାର କାରଣ ପାଲଟିଛି। ଇଣ୍ଟରବ୍ୟାଙ୍କ ଫରେନ କରେନ୍ସୀ ଏକ୍ସଚେଞ୍ଜ ବଜାରରେ ଟଙ୍କା ବୁଧବାର ପ୍ରତି ଡଲାର ୯୧ଟଙ୍କା ୦୫ ପଇସାରେ ଖୋଲିଥିଲା। କିଛି ସମୟ ପରେ ୩୧ ପଇସା ହ୍ରାସ ସହ ୯୧.୨୮ ସ୍ତରକୁ ପହଞ୍ଚି ଯାଇଛି। ଏହା ପରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ହୋଇଥିଲା ଓ ପ୍ରତି ଡଲାର ୯୧.୭୪ ପଇସାକୁ ପହଞ୍ଚିଥିଲା। ଏହା ପୂର୍ବରୁ ମଙ୍ଗଳବାର ଟଙ୍କା ୦୭ ପଇସା ହ୍ରାସ ସହ ଡଲାର ତୁଳନାରେ ୯୦.୯୭ଟଙ୍କାର ସର୍ବକାଳୀନ ନିମ୍ନ ସ୍ତରରେ ବନ୍ଦ ହୋଇଥିଲା।

ଇତି ମଧ୍ୟରେ ୬ ବୈଶ୍ୱିକ ମୁଦ୍ରା ତୁଳନାରେ ଡଲାରର ସ୍ଥିତିକୁ ଦର୍ଶାଉଥିବା ଡଲାର ଇଣ୍ଡେକ୍ସ ୦.୦୫%ର ମାମୁଲି ହ୍ରାସ ସହିତ ୯୮.୫୯ରେ ରହିଛି। କେବଳ ମୁଦ୍ରା ବଜାର ନୁହେଁ ଘରୋଇ ସେୟାର ବଜାରରେ ମଧ୍ୟ ବୁଧବାର ହ୍ରାସ ଦେଖାଯାଇଛି। ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୩୮୫.୮୨ ପଏଣ୍ଟ ହ୍ରାସହୋଇ ୮୧,୭୯୪.୬୫ ଅଙ୍କକୁ ପହଞ୍ଚିଥିଲା। ଏହି ସମୟରେ ନିଫ୍ଟି ୯୧.୫ ପଏଣ୍ଟ ଖସି ୨୫,୧୪୧ ସ୍ତରକୁ ଆସି ଯାଇଛି। ଅନ୍ତର୍ଜାତୀୟ ବଜାରରେ ବୁଧବାର ବ୍ରେଣ୍ଟ କ୍ରୁଡ ମୂଲ୍ୟ ୧.୧୧% ହ୍ରାସ ହୋଇ ପ୍ରତି ବ୍ୟାରଲ ୬୪.୨୦ ଡଲାରକୁ ପହଞ୍ଚିଛି।

ସେୟାର ବଜାର ତଥ୍ୟ ଅନୁସାରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫଆଇଆଇ) ମଙ୍ଗଳବାର ମଧ୍ୟ ବିକାବିକି କରିଛନ୍ତି। ସେମାନେ ମୋଟ ୨,୯୩୮.୩୩ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି। ଏଣୁ ବଜାର ଉପରେ ଅତିରିକ୍ତ ଚାପ ପଡିଛି। ଏକ୍ସପର୍ଟଙ୍କ ଅନୁସାରେ ବୈଶ୍ୱିକ ସଂକେତ, ଡଲାରର ଚାଲ ଓ ବିଦେଶୀ ନିବେଶକଙ୍କ ଆଭିମୁଖ୍ୟ ଉପରେ ଆଗକୁ ବି ଭାରତୀୟ ସେୟାର ବଜାର ଓ ଟଙ୍କାର ବିନିମୟ ମୂଲ୍ୟ ନିର୍ଭର କରିବ।