ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିପାରନ୍ତି ତାରିକ ରହମାନ: ହସିନାଙ୍କ ବିନା ଆରମ୍ଭ ହେବ ସମ୍ପର୍କର ନୂଆ ଅଧ୍ୟାୟ !

NEWS7
7-villages-shut-down-for-5-days-in-keonjhar-district

ଢାକା: ପ୍ରଥମ ଥର ଶେଖ ହସିନାଙ୍କ ବିନା ବାଂଲାଦେଶ ସହିତ ଭାରତରେ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ସେଠାରେ ବିଏନପି ଦୀର୍ଘ ଦୁଇ ଦଶନ୍ଧୀ ପରେ କ୍ଷମତାକୁ ଫେରିଛି। ତାରିକ ରହମାନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି ଯେ ତାରିକ ତାଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିପାରନ୍ତି। ଯଦି ଏପରି ହେଲା ତେବେ ଭାରତ ପକ୍ଷେ ନିଶ୍ଚିତ ଏକ ଶୁଭ ସଂକେତ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାରିକ ରହମାନଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ପ୍ରମୁଖ ନେତାମାନଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା ଚାଲିଛି। ଏହି ନେତାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ ଆସିପାରେ ବୋଲି ଘଟଣା ସହ ଜଡ଼ିତ ସୂତ୍ରରୁ ସୂଚନା ମିଳିଛି।

ନିର୍ବାଚନ ଜିତିବା ପରେ ରହମାନଙ୍କୁ ବଧେଇ ଜଣାଇଥିଲେ ମୋଦୀ

ବାଂଲାଦେଶରେ କିଏ କ୍ଷମତାରେ ବସିବା ତାହା ଭାରତ ପାଇଁ ଖୁବ୍ ମହତ୍ୱ ରଖେ। ତେଣୁ ଭାରତ ବାଂଲାଦେଶ ନିର୍ବାଚନ ଉପରେ କଡ଼ା ନଜର ରଖିଥିଲା। ଭୋଟ୍ରେ ବିଏନ୍ପି ବହୁମତ ପାଇବା ପରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ଏକ୍ସରେ ପୋଷ୍ଟ କରି ତାଙ୍କୁ ବଧେଇ ଜଣାଇଥିଲେ। ବାଂଲାଦେଶ ଇଲେକ୍ସନ କମିଶନ ଫଳାଫଳ ଘୋଷଣା ନ କରିବା ପୂର୍ବରୁ ହିଁ ମୋଦୀ ବିଜୟ ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରଥମ ବିଦେଶୀ ନେତା ଭାବେ ମୋଦୀ ରହମାନଙ୍କୁ ପ୍ରଥମେ ବଧେଇ ଜଣାଇଥିଲେ। ରହମାନ ମଧ୍ୟ ଏଥିପାଇଁ ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ।

ଏକ୍ସରେ ପୋଷ୍ଟ କରି ମୋଦୀ ଲେଖିଥିଲେ “ଶ୍ରୀ ତାରିକ ରହମାନଙ୍କ ସହ କଥା ହୋଇ ଖୁସି ହେଲି। ବାଂଲାଦେଶ ନିର୍ବାଚନରେ ଉଲ୍ଲେଖନୀୟ ବିଜୟ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ବାଂଲାଦେଶର ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ତାଙ୍କ ପ୍ରୟାସ ପାଇଁ ମୁଁ ମୋର ଶୁଭେଚ୍ଛା ଏବଂ ସମର୍ଥନ ଜଣାଇଲି।”

ପଢନ୍ତୁ-ବାଂଲାଦେଶ ପ୍ରଧାନମନ୍ତ୍ରୀ ହେବେ ତାରିକ ରହମାନ: ଭାରତ ସହ ରହିଛି ତିକ୍ତ ଇତିହାସ, ଏବେ ବଦଳିବ କି ସମ୍ପର୍କ ?

ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଭିନ୍ନ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ସହିତ ଦୁଇଟି ନିକଟ ପଡ଼ୋଶୀ ଭାବରେ, ମୁଁ ଆମ ଉଭୟ ଲୋକଙ୍କ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପ୍ରତି ଭାରତର ନିରନ୍ତର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛି।” ରହମାନଙ୍କ ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ଏହି ଟ୍ୱିଟ୍ କରାଯାଇଥିଲା।

ବିଏନ୍ପିର ନୂଆ ରୂପ

୨୦ ବର୍ଷ ତଳେ ଖାଲିଦା ଜିଆଙ୍କ ନେତୃତ୍ୱରେ ଥିବା ବିଏନ୍ପି ଓ ଏବର ତାରିକ ରହମାନଙ୍କ ନେତୃତ୍ୱାଧୀନ ବିଏନ୍ପି ମଧ୍ୟରେ ପ୍ରାର୍ଥକ୍ୟ ପରିଲଖିତ ହେଉଛି। ଖାଲିଦା ଜିଆଙ୍କ ଆଭିମୁଖ୍ୟ କେବଳ ପାକିସ୍ତାନ ଓ ଚୀନକୁ ସନ୍ତୋଷ୍ଟ କରି ଭାରତକୁ ଟାର୍ଗେଟ୍ କରିବା ଥିଲା, ଯେଉଁଥିପାଇଁ ଖାଲିଦାଙ୍କ ସମୟରେ ଭାରତ-ବାଂଲାଦେଶ ସମ୍ପର୍କ ତିକ୍ତ ହୋଇଥିଲା। ଯଦିଓ ଏହା ପଛରେ ରିଙ୍ଗ ମାଷ୍ଟର ଥିଲେ ତାରିକ ରହମାନ। ସେ ହିଁ ବିଏନ୍‌ପି ଅଫିସ ହାୱା ଭବନରେ ବସି ଏସବୁ ଯୋଜନା କରୁଥିଲେ। ଭାରତ ତାଙ୍କ ବିରୁଦ୍ଧରେ ଉତ୍ତର ପୂର୍ବାଞ୍ଚଳରେ ବିଦ୍ରୋହୀଙ୍କୁ ଉସ୍କାଇବାର ଅଭିଯୋଗ ଲଗାଇଥିଲା।

ହେଲେ ଲାଗୁଛି, ତାରିକଙ୍କର ଦୀର୍ଘ ୧୭ ବର୍ଷର ନିର୍ବାସନ ତାଙ୍କୁ ମୌଳବାଦୀରୁ ସାମ୍ୟବାଦୀ କରି ଦେଇଛି। ଏଥିପାଇଁ ରହମାନ ତାଙ୍କ ଶପଥଗ୍ରହଣ ଉତ୍ସବରେ ସମସ୍ତ ପ୍ରମୁଖ ପଡ଼ୋଶୀ ଦେଶର ମୁଖ୍ୟଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା ବନାଇଛନ୍ତି। ଏଥିପାଇଁ ଚୀନ, ପାକିସ୍ତାନଙ୍କ ନାଁ ବି ଥାଇପାରେ। ତେବେ ଭାରତକୁ ଯଦି ବାଂଲାଦେଶରୁ ନିମନ୍ତ୍ରଣ ଆସେ ଓ ଭାରତକୁ ଏହାକୁ ସ୍ୱୀକାର କରି ମୋଦୀ ସେଠାକୁ ଯାଆନ୍ତି, ତେବେ ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କର ନୂଆ ଅଧ୍ୟାୟ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ତେବେ ଏହି ଖବର କେବଳ ସୂତ୍ରରୁ ପ୍ରକାଶ ହୋଇଥିବା ବେଳେ ଉଭୟ ଦେଶ ପକ୍ଷରୁ ଏନେଇ କୌଣସି ସରକାରୀ ସ୍ତରରେ ସୂଚନା ଦିଆ ଯାଇ ନାହିଁ।